Month: May 2023

  • ଓଡିଶା ବୋଟ ନିୟମରେ ଆସୁଛି ପରିବର୍ତ୍ତନ

    ଓଡିଶା ବୋଟ ନିୟମରେ ଆସୁଛି ପରିବର୍ତ୍ତନ

    ୧୯ ବର୍ଷ ପରେ ବଦଳିବ ଓଡ଼ିଶା ବୋଟ ନିୟମ। ଦୁଇ ମାସ ଭିତରେ ଆସିବ ନୂଆ ଓଡ଼ିଶା ବୋଟ ଅଧିନିୟମ। ସେହିପରି ଚିଲିକାରେ ସୋଲାର ଓ ଇଲେକ୍ଟ୍ରକ ବୋଟ ଚଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୩ ମାସ ଭିତରେ ପରୀକ୍ଷାମୂଳକ ଭାବେ ପ୍ରଥମ ସୋଲାର ବୋଟ ଚଳାଯିବା ଫଳରେ ବର୍ଷକୁ ପରିବହନ ଖର୍ଚ୍ଚ ୭ ଲକ୍ଷ ଟଙ୍କା ହ୍ରାସ ପାଇବ। ଏହା ସଫଳ ହେଲେ ରାଜ୍ୟର ଅନ୍ୟ ଜଳପଥରେ ସୋଲାର ବୋଟ ଚଳାଯିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି।

    ପାଢୀ ଆହୁରି କହିଛନ୍ତି, କେନ୍ଦ୍ରୀୟ ଆଇନ ଢାଞ୍ଚାରେ ତିଆରି ହେବ ଅଧିନିୟମ। ଜଳପଥରେ ନିରାପଦ ଯାତ୍ରା ସହ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ଦିଆଯିବ ଗୁରୁତ୍ୱ। ନୂଆ ନିୟମ ଅନୁସାରେ ସାରା ରାଜ୍ୟରେ ସମୁଦ୍ର, ନଦୀ ଓ ହ୍ରଦରେ ଗୋଟିଏ ପ୍ରକାର ଯାତ୍ରୀବାହୀ ବୋଟ  ଚାଲିବ ।  ବୋଟର ଡିଜାଇନ୍ ପ୍ରସ୍ତୁତ ସରିଛି। ଯାତ୍ରୀଙ୍କ ସହ ପଣ୍ୟ କାରବାରରେ ମଧ୍ୟ ବୋଟ ପ୍ରଚଳନ ହେବ। । ବୋଟ ମାଲିକ, ନିର୍ମାତା, ଅଧିକାରୀ ଓ ନୀତି ନିର୍ଦ୍ଧାରକଙ୍କୁ ନେଇ ନୂଆ ବୋଟ ଅଧିନିୟମ ବିଚାର ହେଉଛି।

  • ମୁଖ୍ୟମନ୍ତ୍ରୀ କଲେ ସମ୍ଭାବ୍ୟ ବାତ୍ୟାର ସମୀକ୍ଷା

    ମୁଖ୍ୟମନ୍ତ୍ରୀ କଲେ ସମ୍ଭାବ୍ୟ ବାତ୍ୟାର ସମୀକ୍ଷା

    ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଭିତରେ ଆସନ୍ତା ୬-୭ ଦିନରେ ବାତ୍ୟା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ ବଙ୍ଗୋପସାଗରରେ ୬ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ପ୍ରକାଶ ପାଇଛି। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି। ଏହି ଆକଳନ ପରେ ରାଜ୍ୟ ସରକାର  ମୁକାବିଲା ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।  ଏନେଇ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ତେବେ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ରହିବ କି ନା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

    ଗ୍ରୀଷ୍ମ କାଳୀନ ବାତ୍ୟାର ଆକଳନ କରିବା କଷ୍ଟକର। ୨୦୧୯ର ଫନି ବାତ୍ୟା ଏହି ଶ୍ରେଣୀରେ ଯାଉଛି, ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତେଣୁ ମୁଖ୍ୟମନ୍ତ୍ରୀ ବୈଠକରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ  ଏନ୍‌ଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ସେବା ଆଦିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଏଥିସହ ଉପକୂଳ ଓ ତଳୁଆ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଅତ୍ୟାବଶ୍ୟକ ମେସିନ୍‌ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖି ଆବଶ୍ୟକ ସ୍ଥଳେ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ମିଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

    ସେପଟେ ଏସଆରସି ସତ୍ୟବ୍ରତ ସାହୁ ମଧ୍ୟ ସମ୍ଭାବ୍ୟ ବାତ୍ୟାକୁ ନେଇ କହିଛନ୍ତି କି, ୬ ତାରିଖ ସୁଦ୍ଧା କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ସମ୍ଭାବନା ରହିଛି। ମେ ମାସରେ ବାତ୍ୟାର ନଜିର ରହିଥିବାରୁ  ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏନେଇ ଆସନ୍ତା କାଲିଠାରୁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଉଦ୍ଧାର କାର୍ଯ୍ୟ ନିମନ୍ତେ ଏନ୍‌ଡିଆରଏଫ୍, ଓଡ୍ରାଫ୍ ପ୍ରସ୍ତୁତ ରହିଛନ୍ତି।  ଆମେ ମୁକାବିଲା କରିପାରିବୁ ବୋଲି ଶ୍ରୀ ସାହୁ କହିଛନ୍ତି।

  • ସୁନ୍ଦରଗଡ଼: କେମିତି ଗଲା ୩ ଜଣଙ୍କ ଜୀବନ, ଖୋଳତାଡ଼ ଜାରି

    ସୁନ୍ଦରଗଡ଼: କେମିତି ଗଲା ୩ ଜଣଙ୍କ ଜୀବନ, ଖୋଳତାଡ଼ ଜାରି

    ସୁନ୍ଦରଗଡ଼ ଜିଲ୍ଲା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟ ରାସ୍ତାକଡ଼ରୁ ୩ ମୃତଦେହ ଠାବ କରାଯାଇଛି । ଘଟଣାକୁ ନେଇ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ହତ୍ୟା ନା ଏହା କୌଣସି ଦୁର୍ଘଟଣା ସେ ନେଇ ସସପେନ୍ସ ଜାରି ରହିଛି । ମୃତକଙ୍କ ମଧ୍ୟରେ ବାଙ୍କିବାହାଲ–ଟପରିଆ ରାସ୍ତା ନିର୍ମାଣକାରୀ ସଂସ୍ଥା ଆରକେଡିର ୨ ଜଣ ସୁରକ୍ଷାକର୍ମୀ ଅଛନ୍ତି ।

    ୩ ମୃତକ ବରଗଡ଼ ଭେଡେନ ଥାନା ମହୁଲପାଲିର ମାନସ କୁମାର ରଥ,ସୁନ୍ଦରଗଡ଼ ବିଶ୍ରା ଥାନା ଉଡୁସୁ ଗାଁର ପ୍ରିନ୍ସ ନାଏକ ଏବଂ ହେମଗିର ଥାନା ବଲିଙ୍ଗାର ସଚିନ ଚିତକି । ତେବେ ଏଯାଏ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଗତ ୨୯ ତାରିଖରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିଟି ରାସ୍ତାକଡ଼ରେ ପଡ଼ିଥିଲା । ଗତକାଲି ରାତିରେ ୩ ଜଣ ଏହାର ଚକ ଏବଂ ଅନ୍ୟାନ୍ୟ ପାର୍ଟସ ନେବାକୁ ଚେଷ୍ଟା କରିଥିଲେ ଯାହାକୁ ସେଠାରେ ଥିବା ସୁରକ୍ଷାକର୍ମୀ ବିରୋଧ କରିଥିଲେ । ଘଟଣାକୁ ନେଇ ଦୁର୍ବୃତ୍ତ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏଥିରେ ୨ ସୁରକ୍ଷାକର୍ମୀ ଏବଂ ଜଣେ ଦୁର୍ବୃତ୍ତର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

  • ଦ କେରଳ ଷ୍ଟୋରୀକୁ ପ୍ରବଳ ରାଜନୈତିକ ବିରୋଧ

    ଦ କେରଳ ଷ୍ଟୋରୀକୁ ପ୍ରବଳ ରାଜନୈତିକ ବିରୋଧ

    ମହିଳାଙ୍କ ଉପରେ ପର୍ଯ୍ୟବସିତ ବିବାଦୀୟ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ତେଜୁଛି ରାଜନୀତି। ତେଣୁ ଏହାର ପ୍ରଦର୍ଶନ ଉଚିତ ନୁହେଁ ବୋଲି କହିଛନ୍ତି କେରଳ ସରକାର। କାରଣ ଫିଲ୍ମ ଦେଖିବା ପରେ ମହିଳାଙ୍କ ଭିତରେ ଉତ୍ତେଜନା ଦେଖାଦେବାର ସମ୍ଭାବନା ରହିଛି। କେରଳ ସରକାର ମତରେ ସହମତି ପ୍ରକାଶ କରି ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ଓ କଂଗ୍ରେସ ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରୁଛନ୍ତି। ଦ କେରଳ ଷ୍ଟୋରୀକୁ ରାଜନୈତିକ ବିରୋଧ ଭିତରେ କିନ୍ତୁ ସିନେମା ହଲ ମାଲିକ ସଂଗଠନ (ଫ୍ୟୁକ) ଫିଲ୍ମ ପ୍ରଦର୍ଶନ କରିବା ଉପରେ ଦେଇଛନ୍ତି ଜୋର। ସଂଗଠନ ପକ୍ଷରୁ କୁହାଯାଇଛି କି, ଲୋକଙ୍କର ଫିଲ୍ମ ପ୍ରତି ରହିଛି ପ୍ରବଳ ଆଗ୍ରହ। ତେଣୁ କେରଳ ସରକାରଙ୍କ ଏଭଳି ପଦକ୍ଷେପ ଅଗ୍ରହଣୀୟ।

    କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗତ ୩୦ ତରିଖରେ ଫେସବୁକ ଜରିଆରେ ସଂଘ ପରିବାର ଦ୍ବାରା ନିର୍ମିତ ଚଳଚ୍ଚିତ୍ର ମିଛ ପ୍ରସାରଣ କରୁଛି। କେରଳ ଏକ ଧାର୍ମିକ ତଥା ଧର୍ମନି‌ରପେକ୍ଷ ରାଜ୍ୟ। ଧାର୍ମିକ ଉଗ୍ରବାଦ ମାଧ୍ୟମରେ କେରଳକୁ ଛୋଟ କରିବାକୁ ରାଜନୈତିକ ଷଡଯନ୍ତ୍ର କରାଯାଉଛି ବୋଲି ପିନାରାଇ କହିଥିଲେ। ସେହିପରି କେରଳର ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ସାଜି ଚେରିଆନ ଫେସବୁକରେ କହିଥିଲେ କି,  କରେଳରେ ସାମ୍ପ୍ରଦାୟିକ ସଦଭାବ ରହିଛି। ଚଳଚ୍ଚିତ୍ର ମାଧ୍ୟମରେ ଧର୍ମନିରପେକ୍ଷତାକୁ ନଷ୍ଟ କରିବାକୁ ଅପଚେଷ୍ଟା କରୁଛି ସଂଘ ପରିବାର। ଏପରି ହେଲେ ସମାଜରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ତେଣୁ ଫିଲ୍ମକୁ ବାରଣ କରିବାର ଆବଶ୍ୟକତା ରହିଛି।

    ଫିଲ୍ମ ଦ କେରଳ ଷ୍ଟୋରୀ ରାଜ୍ୟର ହଜାର ହଜାର ପ୍ରବାସୀ ମହିଳାଙ୍କ ଉପରେ ପର୍ଯ୍ୟବେଷିତ। ଏଥିରେ ଦେଖା ଯାଇଛି, କିପରି ସିରିୟା ଏବଂ ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ସଂଗଠନ ଇସଲାମିକ ଷ୍ଟେଟ କେରଳର ୩୨ ହଜାରରୁ ଅଧିକ ମହିଳାଙ୍କୁ ପ୍ରଲୋଭିତ କରି ନିଜ ସଂଗଠନରେ ସାମିଲ କରିଛି।

  • ଦିଲ୍ଲୀ ମଦ ଦୁର୍ନୀତି: ଚାର୍ଜସିଟରେ ରାଘବ ଚଢାଙ୍କ ନାମ

    ଦିଲ୍ଲୀ ମଦ ଦୁର୍ନୀତି: ଚାର୍ଜସିଟରେ ରାଘବ ଚଢାଙ୍କ ନାମ

    ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ  ମଙ୍ଗଳବାର ଇଡି ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆପ୍‌ ସାଂସଦ ରାଘବ ଚଢ଼‌ାଙ୍କ ନାମ ରହିଛି। ତେବେ ଚାର୍ଜ ସିଟର ରାଘବଙ୍କୁ ଅଭିଯୁକ୍ତ ଭାବେ ଉପସ୍ଥାପନ କରାଯାଇନାହିଁ।   ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଦ ନୀତିକୁ ନେଇ ହେଉଥିବା ବୈଠକରେ ରାଘବ ଥିବା ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ ଇଡିକୁ ସୂଚନା ଦେଇଥିଲେ। ଚାର୍ଜ ସିଟରେ ରାଘବଙ୍କ ଭିନ୍ନ ମନୀଷ ସିସୋଦିଆ ଓ ସତ୍ୟୈନ୍ଦ୍ର ଜୈନଙ୍କ ନାମ ଉଲ୍ଳେଖ ରହିଛି।

    ଚାର୍ଜସିଟରେ ଉଲ୍ଲେଖ ରହିଛି କି, ସି ଅରବିନ୍ଦ ତାଙ୍କ ବୟାନରେ କହିଥିଲେ କି, ସିସୋଦିଆଙ୍କ ଘରେ ହୋଇଥିବା ବୈଠକରେ ରାଘବ, ପଞ୍ଜାବ ଅବକାରୀ କମିଶନର, ଅବକାରୀ ଅଧିକାରୀ ଓ ବିଜୟ ନାୟର ଉପସ୍ଥିତ ଥିଲେ।  ବିଜୟ ନାୟର ଜୁମ କଲରେ ଅରୁଣ ପିଲାଇ, ଅଭିଷେକ ବୋଇନାପଲ୍ଲୀ ଓ ବୁଚି ବାବୁଙ୍କୁ ସଂଯୋଗ କରିଥିଲେ। ଦିଲ୍ଲୀର ନୂଆ ଅବକାରୀ ନୀତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମାନସ ସନ୍ତାନ ଥିଲା। ନୀତି ତିଆରି ଓ କାର୍ଯ୍ୟକାରୀ ହେବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତା ବିଜୟ ନାୟରଙ୍କ ସହ ବହୁବାର ବୈଠକ କରିଥିଲେ। ଦିଲ୍ଲୀର ନୂଆ ମଦ ନୀତିରେ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇ ସେମାନଙ୍କଠାରୁ ଅର୍ଥ ଆଦାୟ କରାଯାଇଥିଲା।  

  • କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ

    କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ

    ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କ ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ-ଜଗମୋହନପୁର ରାସ୍ତା ଗୋବିନ୍ଦ କିଷାନ ପେଟ୍ରୋଲ ଟାଙ୍କି ନିକଟରେ ମର୍ମନ୍ତୁ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ଜଣଙ୍କ ଜୀବନ ଯାଇଛି ।

    କେନ୍ଦୁଝର ଜିଲ୍ଲା ଗୋବିନ୍ଦ କିଷାନ ପେଟ୍ରୋଲ ଟାଙ୍କି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଟ୍ରାକ୍ଟର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ କତରାପାଲି ଗାଁର ଚିନ୍ମୟ ମହାନ୍ତ । ବାଇକ୍ ପଛରେ ବସିଥିବା ରାକେଶ ମହାକୁଡ଼ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଟ୍ରାକ୍ଟର ସହ ଡ୍ରାଇଭର ଫେରାର୍ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

  • ଶିଳ୍ପାଞ୍ଚଳ ଏବଂ ଟ୍ରାଫିକ ପୋଲିସ ଷ୍ଟେସନ ପ୍ରସ୍ତାବକୁ ନବୀନଙ୍କ ଗ୍ରୀନ୍ ସିଗ୍ନାଲ୍

    ଶିଳ୍ପାଞ୍ଚଳ ଏବଂ ଟ୍ରାଫିକ ପୋଲିସ ଷ୍ଟେସନ ପ୍ରସ୍ତାବକୁ ନବୀନଙ୍କ ଗ୍ରୀନ୍ ସିଗ୍ନାଲ୍

    ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସମ୍ପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ୨୩ଟି ନୂତନ ପଦବୀ ମଧ୍ୟରୁ ଗୋଟିଏ ଇନ୍ସପେକ୍ଟର,୬ଟି ସବ୍‌ ଇନ୍ସପେକ୍ଟର,୩ଟି ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର,୨ଟି ହାବିଲଦାର ଏବଂ ୧୧ଟି କନେଷ୍ଟବଳ ପଦବୀ ରହିଛି ।

    ସେହିପରି କେନ୍ଦୁଝର ଓ ବଡ଼ବିଲରେ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ଖୋଲାଯିବ । ୨୪ଟି ନୂତନ ପଦବୀ ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇଟି ସହରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୪ଟି ମଧ୍ୟରେ ୨ଟି ଇନ୍ସପେକ୍ଟର,୬ଟି ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ରହିଛି ।