ସ୍ପୀଡ଼ ସ୍କେଟିଙ୍ଗରେ ଯାକର୍ତା ଯିବେ ସୁନାବେଡାର ରାଜବୀର ସିଧୁ

କୋରାପୁଟ ଜିଲ୍ଲାର ହାଲ ସହରାଞ୍ଚଳ ସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ଼ ସୁନାବେଡା ପାଇଁ ଗୌରବର ବିଷୟ ହୋଇଛନ୍ତି ଡିଏଭି ଭିଏସ ବିଦ୍ୟାଳୟର ଛାତ୍ର ରାଜବୀର ସିଧୁ। ସ୍ପୀଡ଼ ସ୍କେଟିଙ୍ଗରେ ନିଜ ଦକ୍ଷତା ଦ୍ୱାରା ସେ ଏବେ ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶା ଏବଂ ଭାରତଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

ରାଜବୀର ପୂର୍ବରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅନେକ ପଦକ ଜିତି ସମସ୍ତଙ୍କ ନଜର ଆକର୍ଷଣ କରିଥିଲେ। ପରେ ଜାତୀୟ ସ୍ତରରେ ମଧ୍ୟ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରି ତିନୋଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ତାଙ୍କର ଏହି ସଫଳତା ଆଧାରରେ ସେ ଭାରତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି।

ଆସନ୍ତା ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ରାଜଧାନୀ ଯାକର୍ତାରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ସ୍ପୀଡ଼ ସ୍କେଟିଙ୍ଗ ଚ୍ୟାମ୍ପିୟନଶିପରେ ରାଜବୀର ସିଧୁ ଭାରତ ପକ୍ଷରୁ ନିଜ ପ୍ରଦର୍ଶନ କରିବେ। ସୁନାବେଡା ଅଞ୍ଚଳରେ ଏହି ଖବରକୁ ନେଇ ଖୁସିର ଲହରୀ ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦା, ଶିକ୍ଷକ ଏବଂ କ୍ରୀଡ଼ାପ୍ରେମୀମାନେ ରାଜବୀରଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ କରିଛନ୍ତି। ସେ ଆଗାମୀ ଦିନରେ ଭାରତ ପାଇଁ ଆହୁରି ଗୌରବ ଆଣିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି।