କୋରାପୁଟ ଜିଲ୍ଲା ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ (OUJ) ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ଲକ୍ଷ୍ମୀପୁର ବ୍ଲକଠାରେ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକଙ୍କ ସୁରକ୍ଷା ଓ ସାଙ୍ଗଠନିକ ସୁଦୃଢ଼ୀକରଣ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ବୈଠକରେ ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉନ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ: ସାଂସଦ ପ୍ରତିନିଧି କୈଳାସ ଖୋସଲା OUJ ରାଜ୍ୟ ଉପସଭାପତି ପରିକ୍ଷିତ ବିଶ୍ୱାଳ, ରାଜ୍ୟ ସମ୍ପାଦକ ତଥା ମାଲକାନଗିରି ଜିଲ୍ଲା ସଭାପତି ଦେବ ପ୍ରସାଦ ଦାସ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲିପ ମହାନ୍ତି, ଆଇନ ପରାମର୍ଶଦାତା ବାଲାରାୟ ଓ ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ବ୍ଲକର ସଂଯୋଜକ ଓ ବରିଷ୍ଠ ସଦସ୍ୟମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ସେମାନଙ୍କ ସୁରକ୍ଷା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଯାଇଥିଲା। ଶ୍ରୀ ସାଉନ୍ତା ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବେ। ଜିଲ୍ଲାର କୋରାପୁଟ, ଜୟପୁର, ସୁନାବେଡ଼ା, ପଟାଙ୍ଗି, ଦଶମନ୍ତପୁର, ସେମିଳିଗୁଡା, ନନ୍ଦପୁର, ଲମତାପୁଟ, ଲକ୍ଷ୍ମୀପୁର ଓ ବନ୍ଧୁଗାଁ ସମେତ ପଡ଼ୋଶୀ ମାଲକାନଗିରି ଜିଲ୍ଲାର ବହୁ ସଦସ୍ୟ ଏକତ୍ରିତ ହୋଇ ସଂଘକୁ ଆହୁରି ମଜବୁତ କରିବାକୁ ସଂକଳ୍ପ ନେଇଥିଲେ। ଏହି ସଫଳ ବୈଠକ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ନିଷ୍ପତ୍ତି ନିଆଯାଇଛି। ଲକ୍ଷ୍ମୀପୁର ବ୍ଲକର ବରିଷ୍ଠ ସଦସ୍ୟ ତଥା କାର୍ଯ୍ୟକାରୀ ସଭାପତି ଶରତ ନାୟକ ଏବଂ ଜିଲ୍ଲା ସଂଗଠନ ସମ୍ପାଦକ ପରମେଶ୍ୱର ସାହୁ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ସହ ବୈଠକରେ ବାଧା ସୃଷ୍ଟି କରିବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି।

ଏହି ଅଭିଯୋଗକୁ ଭିତ୍ତି କରି ସଂଘ ପକ୍ଷରୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମକୁ ସଫଳ କରିବାରେ ଲକ୍ଷ୍ମୀପୁର ବ୍ଲକ ସଂଯୋଜକ ଯୁଧିଷ୍ଠିର ବାଘ, ବରିଷ୍ଠ ସଦସ୍ୟ ପ୍ରମୋଦ ଜେନା, ସହ ସମ୍ପାଦକ ଶରତ ଧଳ, ପଟାଙ୍ଗି ବ୍ଲକ ସଂଯୋଜକ ପ୍ରଶାନ୍ତ ଦାସ ଏବଂ ଦଶମନ୍ତପୁର ସଂଯୋଜକ ଶୈଳେଶ ଖଡିଆରଙ୍କ ପ୍ରମୁଖ ଭୂମିକା ରହିଥିଲା। ଜିଲ୍ଲା ସଂଘ ପକ୍ଷରୁ ସମସ୍ତ ସହଯୋଗୀ ଓ ଉପସ୍ଥିତ ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରାଯାଇଛି।