ଯୁକ୍ତ ଦୁଇ ପରୀକ୍ଷାରେ ଫିଜିକ୍ସ ଏକାଡେମୀର ଶତପ୍ରତିଶତ ସଫଳତା, କ୍ୟାମ୍ପସରେ ବିଜୟ ଉତ୍ସବ

ଯାଜପୁର ରୋଡ଼ ଦଳାସ୍ଥିତ ଫିଜିକ୍ସ ଏକାଡେମୀ ଚଳିତ ବର୍ଷର ଉଚ୍ଚମାଧ୍ୟମିକ ପରୀକ୍ଷା ଫଳାଫଳରେ ଶତପ୍ରତିଶତ ସଫଳତା ହାସଲ କରି ଅଞ୍ଚଳରେ ଗର୍ବର ବିଷୟ ପାଲଟିଛି। ଦୁଇ ବର୍ଷ ପୂର୍ବରୁ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ଅଳ୍ପ ସମୟ ମଧ୍ୟରେ ଉନ୍ନତମାନର ଶିକ୍ଷାଦାନ ଏବଂ ଶୃଙ୍ଖଳିତ ଶିକ୍ଷା ପରିବେଶ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱାସ ଅର୍ଜନ କରିପାରିଛି।

ଚଳିତ ବର୍ଷ ବିଜ୍ଞାନ ଶାଖାରେ ଅନୁଷ୍ଠାନର ୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଛାତ୍ରୀ ରୋଜାଲିନ ଖିଲାର ୮୦ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁପ୍ରିୟା କୁମାରୀ ୭୯ ପ୍ରତିଶତ ନମ୍ବର ସହ ଦ୍ୱିତୀୟ ଏବଂ ରାକସେଣ୍ଡା କ୍ୱାମାର ୭୫ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି।ଅନୁଷ୍ଠାନର ଏମ୍‌ଡି ଶୁଭଶ୍ରୀ ପଣ୍ଡା, ଚେୟାରମ୍ୟାନ ହୃଷିକେଶ ତ୍ରିପାଠୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିରନ୍ତର ପ୍ରୟାସ, ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ସ୍ନେହ, ମାର୍ଗଦର୍ଶନ ଓ ଉତ୍ସାହ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଥିବା କହିଛନ୍ତି ସଫଳ ଛାତ୍ରଛାତ୍ରୀମାନେ। ସେମାନଙ୍କ ମତରେ, ଏକାଡେମୀର ଗୁଣାତ୍ମକ ଶିକ୍ଷା ପଦ୍ଧତି ଏବଂ ନିୟମିତ ମାର୍ଗଦର୍ଶନ ସେମାନଙ୍କୁ ଉତ୍କୃଷ୍ଟ ଫଳାଫଳ ପାଇଁ ପ୍ରେରିତ କରିଛି।

ଏହି ଉଲ୍ଲେଖନୀୟ ସଫଳତାକୁ ନେଇ ଆଜି ଏକାଡେମୀ କ୍ୟାମ୍ପସରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମିଷ୍ଟାନ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅଭିଭାବକ, ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି କରିଥିଲା।ଫିଜିକ୍ସ ଏକାଡେମୀର ଏହି ସଫଳତା ଆଗାମୀ ଦିନରେ ଅଧିକ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।