ଷ୍ଟିଲ ସିଟି ପ୍ରେସ କ୍ଲବ ପକ୍ଷରୁ ଦହିପଣା ବଣ୍ଟନ।ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ‘ଷ୍ଟିଲ ସିଟି ପ୍ରେସ କ୍ଲବ’ ପକ୍ଷରୁ ଏକ ଜନହିତକର ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳେ କ୍ଲବ ତରଫରୁ ଦାନଗଦି ବ୍ଲକ ତ୍ରିଜଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାନଗଦି ବଜାରଠାରେ ଏକ ଜଳଛତ୍ର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଉକ୍ତ ଜଳଛତ୍ରକୁ ଦାନଗଦି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିବା ବେଳେ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ବାବୁଲି ନାଟିଆ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରେସ କ୍ଲବ ପକ୍ଷରୁ ଅତିଥିଦ୍ଵୟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ଅବସରରେ ବିଡିଓ ଶ୍ରୀଯୁକ୍ତ ସେଠୀ ନିଜ ହସ୍ତରେ ସ୍ଥାନୀୟ ବାଟୋଇ ଓ ଜନସାଧାରଣଙ୍କୁ ଦହି ସରବତ ଏବଂ ପାନୀୟ ଜଳ ବଣ୍ଟନ କରିଥିଲେ। ଗ୍ରୀଷ୍ମ ଋତୁରେ ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ପ୍ରେସ କ୍ଲବର ଏଭଳି ମହତ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏଭଳି ସେବା କାର୍ଯ୍ୟ ଜାରି ରଖିବାକୁ ସଦସ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ମାନବିକ ସେବା କାର୍ଯ୍ୟକ୍ରମରେ ଷ୍ଟିଲ ସିଟି ପ୍ରେସ କ୍ଲବର ସଦସ୍ୟ ଶ୍ରୀକାନ୍ତ ମହାପାତ୍ର, ଅବିନାଶ ମିଶ୍ର, ତୁଷାର ସାହୁ, ପଦ୍ମନାଭ ପହି, ବିଜୟ ରଶ୍ମି ତ୍ରିପାଠୀ, ମୃତ୍ୟୁଞ୍ଜୟ ଦେଓ, ରାକେଶ ଘଡେଇ ଓ ଚିତ୍ତରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ଏହି ପ୍ରଖର ଖରାରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଓ ପଥିକ ଜଳଛତ୍ରରୁ ସୁସ୍ୱାଦୁ ଦହି ସରବତ ଏବଂ ଥଣ୍ଡା ପାଣି ପିଇ ନିଜର ଶୋଷ ମେଣ୍ଟାଇବା ସହ କ୍ଲବର ଏହି ମହାନ କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି।