ଭୁଲ ଇଞ୍ଜେକ୍ସନ ଅଭିଯୋଗରେ ୧୮ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ, ଭାପୁର ମେଡିକାଲରେ ଉତ୍ତେଜନା

ସାଧାରଣ ଜ୍ୱରର ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିବା ଜଣେ ୧୮ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି।ମୃତ ଛାତ୍ରୀ ହେଉଛନ୍ତି ଭାପୁର ବ୍ଲକ୍ ଗୋଳାପୋଖରୀ ଗ୍ରାମର ଗୋପାଳ ଚନ୍ଦ୍ର ବେହେରାଙ୍କ ଝିଅ ସନ୍ତୋଷୀ ବେହେରା।
ପରିବାରର ସୂଚନା ଅନୁଯାୟୀ, ସନ୍ତୋଷୀଙ୍କୁ ଗତକାଲିଠାରୁ ଜ୍ୱର ହୋଇଥିଲା। ଜ୍ୱର ନକମିବାରୁ ଆଜି ସକାଳେ ପରିବାର ଲୋକେ ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଏକ ଇଞ୍ଜେକ୍ସନ ଦେଇଥିଲେ।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଇଞ୍ଜେକ୍ସନ ଦିଆଯିବା ପରେ ସନ୍ତୋଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହୋଇପଡ଼ିଥିଲା ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ଅବହେଳା ଯୋଗୁଁ ସେମାନେ ନିଜ ଝିଅକୁ ହରାଇଥିବା ମୃତକଙ୍କ ବାପା ଗୋପାଳ ଚନ୍ଦ୍ର ବେହେରା ଅଭିଯୋଗ କରିଛନ୍ତି।ଘଟଣା ପରେ ଭାପୁର ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଜଣେ ଉଦୀୟମାନ ଛାତ୍ରୀଙ୍କ ଏଭଳି ଅକାଳ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ସାଧାରଣ ଜ୍ୱର ପାଇଁ ଚିକିତ୍ସା ନେବାକୁ ଆସିଥିବା ଜଣେ ଯୁବତୀଙ୍କ ମୃତ୍ୟୁ କିପରି ହେଲା, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।
ପରିବାର ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।
ତେବେ ଘଟଣା ସମ୍ପର୍କରେ ଖବର ଲେଖା ହେବା ସୁଦ୍ଧା ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କିମ୍ବା ସମ୍ପୃକ୍ତ ଡାକ୍ତରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।