ପାରାଦ୍ଵୀପ ଟ୍ରକ୍ ମାଲିକ ସଂଘ ନିର୍ବାଚନରେ ଗୌତମଙ୍କ ବିଜୟ

ବନ୍ଦର ନଗରୀ ପାରାଦ୍ଵୀପର ସବୁଠୁ ଚର୍ଚ୍ଚିତ ଟ୍ରକ୍ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନକୁ ନେଇ ଶେଷରେ ସ୍ପଷ୍ଟ ହୋଇଛି ଚିତ୍ର। ଏହି ନିର୍ବାଚନରେ ଗୌତମ ନାୟକ ବାଜିମାତ କରି ସଭାପତି ପଦ ହାସଲ କରିଛନ୍ତି। ତେବେ ଚଳିତ ନିର୍ବାଚନରେ ଦୁଇଟି ପ୍ୟାନେଲ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଉଭୟ ଗୋଷ୍ଠୀରୁ ତିନିଜଣ ଲେଖାଏଁ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ସଂଘରେ ସମତୁଳିତ ପରିସ୍ଥିତି ସୃଷ୍ଟି ହୋଇଛି।

ପାରାଦ୍ଵୀପ ଟ୍ରକ୍ ମାଲିକ ସଂଘକୁ ନେଇ ପୂର୍ବରୁ ବାରମ୍ବାର ଦୁର୍ନୀତି ଅଭିଯୋଗ ଆସୁଥିଲା। ବିଶେଷକରି ପଣ୍ୟ ପରିବହନ କାର୍ଯ୍ୟରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଥିବା ନେଇ ପୂର୍ବ କର୍ମକର୍ତ୍ତାଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ସମୟରେ ସଂଘ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଧାରଣା, ବିକ୍ଷୋଭ ଓ ଅନଶନ ମଧ୍ୟ ହୋଇଥିଲା। ପରିସ୍ଥିତି ଏପର୍ଯ୍ୟନ୍ତ ଗମ୍ଭୀର ହୋଇଥିଲା ଯେ ସଂଘର ଅନିୟମିତତା ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତ କମିଟି ମଧ୍ୟ ଗଠନ କରାଯାଇଥିଲା।ଏପରି ପରିସ୍ଥିତିରେ ହୋଇଥିବା ଏହି ନିର୍ବାଚନକୁ ଟ୍ରକ୍ ମାଲିକମାନେ ଗୁରୁତ୍ୱ ସହ ନେଇଥିଲେ। ନବନିର୍ବାଚିତ କର୍ମକର୍ତ୍ତାମାନେ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ସଂଘର ଦାୟିତ୍ୱ ନେବେ। ଟ୍ରକ୍ ମାଲିକମାନଙ୍କ ମୌଳିକ ସମସ୍ୟାର ସମାଧାନ ସହ ସଂଘରେ ସ୍ୱଚ୍ଛତା ଆଣିବାକୁ ପ୍ରାଥମିକତା ଦିଆଯିବ ବୋଲି ବିଜୟୀ ପ୍ରାର୍ଥୀମାନେ କହିଛନ୍ତି।

ବିଜୟ ପରେ ପ୍ରତିକ୍ରିୟା ଦେଇ ନବନିର୍ବାଚିତ ସଭାପତି ଗୌତମ ନାୟକ କହିଛନ୍ତି ଯେ, ସମସ୍ତଙ୍କୁ ନେଇ ସଂଘର କାର୍ଯ୍ୟ ଆଗେଇ ନେବାକୁ ସେ ପ୍ରୟାସ କରିବେ। ସଂଘରେ ଦୁର୍ନୀତିକୁ କୌଣସି ପ୍ରଶୟ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଏତେ ଦୁର୍ନୀତି ଓ ଅନିୟମିତତା ସତ୍ତ୍ୱେ ମଧ୍ୟ ସଂଘର ସଭ୍ୟମାନେ ପୂରାପୂରି ସଚେତନ ହୋଇନଥିବା କଥା ତାଙ୍କୁ ବ୍ୟଥିତ କରିଥିବା ସେ ପ୍ରକାଶ କରିଛନ୍ତି।ଏବେ ନୂତନ କର୍ମକର୍ତ୍ତାମାନଙ୍କ ସାମ୍ନାରେ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ସଂଘ ଉପରେ ଲାଗିଥିବା ଦୁର୍ନୀତିର ଦାଗକୁ ମିଟାଇ ସାଧାରଣ ଟ୍ରକ୍ ମାଲିକଙ୍କ ବିଶ୍ୱାସ ପୁନଃ ଫେରାଇ ଆଣିବା।