ଜନତା ପାର୍ଟି, ତୃଣମୂଳ କଂଗ୍ରେସ ରାଜନିତି ତୀବ୍ର
ଓଡ଼ିଆ ନେତାଙ୍କ ସହ ବିଜେପିର ମେଗା ରଣନୀତି
ପଶ୍ଚିମବଙ୍ଗରେ ଜୋରଦାର ଲଢ଼େଇ
ବିଜେପି-ତୃଣମୂଳ ମୁକାବିଲାରେ ତୀବ୍ର ରଣନୀତି

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ବିଜେପି ଏବଂ ତୃଣମୂଳ କଂଗ୍ରେସ ଟିଏମସି ମଧ୍ୟରେ ରାଜନୈତିକ ଲଢ଼େଇ ଦିନକୁ ଦିନ ତୀବ୍ର ହେଉଛି। ଆଗାମୀ ନିର୍ବାଚନକୁ ନଜରରେ ରଖି ଉଭୟ ଦଳ ନିଜ ନିଜ ଭୋଟବ୍ୟାଙ୍କ ସୁଦୃଢ କରିବା ସହିତ ମାଇକ୍ରୋ-ଲେଭେଲରେ ରଣନୀତି ତୟାରି କରୁଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସି ପାରମ୍ପରିକ ଭାବରେ ସଂଖ୍ୟାଲଘୁ ଏବଂ ଗ୍ରାମୀଣ ଭୋଟରଙ୍କ ଉପରେ ଭରସା କରୁଥିବାବେଳେ, ବିଜେପି ହିନ୍ଦୁ ଭୋଟବ୍ୟାଙ୍କକୁ ଏକତ୍ର କରିବାରେ ଲାଗିଛି। ଦୁଇପକ୍ଷର ଏହି ସମୀକରଣ ନିର୍ବାଚନକୁ ଅଧିକ ରୋଚକ କରିଛି । ବିଜେପି ପକ୍ଷରୁ ଏଥର ବିଶେଷ ଭାବେ ପ୍ରବାସୀ ଓଡ଼ିଆ ଭୋଟରଙ୍କୁ ଟାର୍ଗେଟ କରାଯାଇଛି। କୋଲକାତା ସହରରେ ଥିବା ଓଡ଼ିଆ ସମୁଦାୟଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଓଡ଼ିଶାର କିଛି ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଉତ୍ତର ଓ ଦକ୍ଷିଣ କୋଲକାତାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ବଢ଼ାଇବାକୁ ଦଳ ନିର୍ଦ୍ଦେଶ ଦେଇଛି।

ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଆସନ ଭାବେ ପରିଚିତ ନନ୍ଦିଗ୍ରାମରେ ବିଜେପି ନିଜ ଶକ୍ତି କେନ୍ଦ୍ରିତ କରିଛି। ଏଠାରେ ଦଳ ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ପୁନର୍ବାର ପ୍ରାର୍ଥୀ ହୋଇଥିବାବେଳେ, ତାଙ୍କ ଜୟ ସୁନିଶ୍ଚିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହିତ ଅନ୍ୟାନ୍ୟ ନେତାମାନେ ମାଇଦାନରେ ନାମିଛନ୍ତି। ଏହି ଅଞ୍ଚଳରେ ଓଡ଼ିଆ ନେତାଙ୍କ ସକ୍ରିୟ ଭୂମିକା ବିଜେପିର ରଣନୀତିର ଅଂଶ ହୋଇପଡ଼ିଛି। ଅନ୍ୟପଟେ, ଟିଏମସି ମଧ୍ୟ ନିଜ ସଂଗଠନକୁ ମଜବୁତ କରିବା ସହିତ ଗ୍ରାସରୁଟ୍ ଲେଭେଲରେ କାମ କରୁଛି। ମମତା ବାନାର୍ଜୀଙ୍କ ନେତୃତ୍ୱ ଏବଂ ସ୍ଥାନୀୟ ନେତାଙ୍କ ଜୋରଦାର ପ୍ରଚାର ଦଳକୁ ମଜବୁତ ଆଧାର ଦେଇଆସୁଛି ।

ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଏଥର ନିର୍ବାଚନରେ ଭୋଟବ୍ୟାଙ୍କର ଗଣିତ, ସ୍ଥାନୀୟ ପ୍ରାର୍ଥୀଙ୍କ ପ୍ରଭାବ, ଏବଂ ଦଳୀୟ ରଣନୀତି ଫଳାଫଳ ନିର୍ଣ୍ଣୟ କରିବ। ଶହର ଓ ଗ୍ରାମୀଣ ଭୋଟରଙ୍କ ମନୋଭାବ ମଧ୍ୟ ଏଥିରେ ମୁଖ୍ୟ ଭୂମିକା ନେବ। ସମଗ୍ରରେ, ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ ମଧ୍ୟରେ ଏହି ମୁକାବିଲା ଦୁଇ ଦଳ ପାଇଁ ମର୍ଯ୍ୟାଦାର ଲଢ଼େଇ ହୋଇପଡ଼ିଛି। ଫଳାଫଳ କଣ ହେବ ସେଥିପାଇଁ ସବୁଙ୍କର ନଜର ଏବେ ଏହି ରାଜ୍ୟ ଉପରେ ରହିଛି।