
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମିନ୍ଦାସ୍ଥିତ ଏମ୍ ଜିମ୍ ଲୌହ କାରଖାନାରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ଇଞ୍ଜିନିୟର ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା କାରଖାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି।ସୂଚନା ଅନୁଯାୟୀ, କାରଖାନାର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ସ୍ଥାପିତ ଏକ ମୋବାଇଲ୍ ସ୍କ୍ରିନ୍ ହଠାତ୍ ଭାଙ୍ଗି ପଡ଼ିଥିଲା। ଏହା ତଳେ ଛିଡ଼ା ହୋଇଥିବା ଇଞ୍ଜିନିୟର ଶତାଦ୍ଧି ରାଜମୋହନ ସ୍କ୍ରିନ୍ ତଳେ ଚାପି ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଡାହାଣ ହାତର ଅଣ୍ଟା ଏବଂ ବାମ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ କାରଖାନା କର୍ତ୍ତୃପକ୍ଷ ତୁରନ୍ତ ଆହତ ଇଞ୍ଜିନିୟରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଓଡ଼ପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସା ସମ୍ଭବ ନହେବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଶ୍ରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ପ୍ରୋସେସ୍ ବିଭାଗର ମୁଖ୍ୟ ଶୁଭେନ୍ଦୁ ପଣ୍ଡା ଉପସ୍ଥିତ ଥିଲେ। ତେବେ ସୂତ୍ର ଅନୁସାରେ, ଦୁର୍ଘଟଣା ଘଟିଥିବା ସ୍ଥାନରେ ସମ୍ପୃକ୍ତ ଦୁଇ ଅଧିକାରୀଙ୍କର ଡ୍ୟୁଟି ନଥିଲା।ଏପଟେ କାରଖାନାର ସମ୍ପ୍ରସାରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଉଥିବା ନେଇ କର୍ମଚାରୀ ମହଳରେ ଅସନ୍ତୋଷ ଦେଖାଦେଇଛି। ଶ୍ରମିକ ଓ କର୍ମଚାରୀମାନେ ଭୟ ଓ ଆଶଙ୍କା ମଧ୍ୟରେ କାମ କରୁଥିବା ବେଳେ ନିକଟ ଭବିଷ୍ୟତରେ ଆହୁରି ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ପ୍ରକାଶ ପାଉଛି।
ସ୍ଥାନୀୟ ମହଳରେ ଦାବି ହେଉଛି ଯେ, କାରଖାନାର ସୁରକ୍ଷା ବ୍ୟବସ୍ଥା, ସମ୍ପ୍ରସାରଣ କାର୍ଯ୍ୟର ଗୁଣବତ୍ତା ଏବଂ ପରିଚାଳନା ବ୍ୟବସ୍ଥା ନେଇ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଶ୍ରମିକମାନେ ମଧ୍ୟ ସରକାର ଓ ସମ୍ପୃକ୍ତ ବିଭାଗ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।