କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ଅଞ୍ଚଳରେ ଯୁବତୀ ଆଲବିନା ଗରଡ଼ାଙ୍କ ସନ୍ଦେହଜନକ ହତ୍ୟା ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କାକିଗାଁର ମୋହନ ଖିଲ ଓ ସେମିଳିଗୁଡ଼ା ଗୁରୁଦ୍ୱାର ଗ୍ରାମର ମିଲନ୍ କୁଲଦୀପ । ଘଟଣାର ମୁଖ୍ୟ ଅଭିଯୁକ୍ତ ମୋହନ ଆଲବିନାଙ୍କୁ ହତ୍ୟା କରିବା ପରେ ମୃତଦେହ ଲୁଚାଇଥିବା ଅଭିଯୋଗ ହୋଇଥିବା ବେଳେ ମିଲନ୍ ମୃତଶରୀର ଲୁଚାଇବା ଓ ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିବା ପୋଲିସ କହିଛି।
ଏନେଇ ସେମିଳିଗୁଡ଼ା ଥାନାରେ କେସ୍ ନମ୍ବର ୧୨୬ ଅନୁଯାୟୀ ବିଏନଏସ୍ ଦଫା ୧୦୩, ୨୩୮ ଓ ୩ ଅଧୀନରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ପୋଲିସ ମୋହନ ଓ ମିଲନ୍ଙ୍କୁ ସନ୍ଦେହରେ ଧରି ପଚରାଉଚରା କରିଥିଲା। ପଚରାଉଚରା ବେଳେ ମୃତଶରୀର ଲୁଚାଇବା ସମ୍ପର୍କରେ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିଲା।
ସେହି ସୁରାଗ ଆଧାରରେ ଅଗଷ୍ଟ ୧୪ ତାରିଖରେ ଆନ୍ଧ୍ରପ୍ରଦେଶ ପୋଲିସ ଓ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ସହାୟତାରେ ବିଜୟନଗରମ ଜିଲ୍ଲା ଗଜପତିନଗରମ ଥାନା ଅଧୀନ ମାରୁପାଲି ଗ୍ରାମ ନିକଟରେ ମାଟିତଳେ ପୋତାଯାଇଥିବା ଆଲବିନାଙ୍କ ମୃତଶରୀର ଉଦ୍ଧାର କରାଯାଇଥିଲା। ଆଂଶିକ ଭାବେ ପଚିଯାଇଥିବା ବେଳେ ପିନ୍ଧିଥିବା ପୋଷାକକୁ ଆଲବିନାଙ୍କ ବାପା ଚିହ୍ନଟ କରିଥିଲେ। ମାଜିଷ୍ଟ୍ରେଟ୍, ପରିବାର ସଦସ୍ୟ ଓ ସାକ୍ଷୀଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯାଇଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଡିଏନଏ ପ୍ରୋଫାଇଲିଂ ପାଇଁ ଜୈବିକ ନମୁନା ସଂରକ୍ଷଣ କରାଯାଇଛି। ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ୍ ଜୈବିକ ନମୁନା ସମେତ ବିଭିନ୍ନ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରିଛି।
ତଦନ୍ତରେ ପୋଲିସ ଏକ ମାରୁତି ସୁଜୁକି ୱାଗନଆର୍ କାର,ଏବଂ ଗାତ ଖୋଳିବାରେ ବ୍ୟବହୃତ ଗଇଁତି ଓ କୋଡ଼ି, ଅଭିଯୁକ୍ତଙ୍କ ମୋବାଇଲ ଫୋନ ଏବଂ ପିନ୍ଧିଥିବା ପୋଷାକ ଜବତ କରିଛି। ଉଭୟ ଅଭିଯୁକ୍ତଙ୍କୁ ଅଗଷ୍ଟ ୧୩ ତାରିଖ ରାତି ପ୍ରାୟ ୧୧ଟା ୩୦ରେ ଗିରଫ କରାଯାଇଥିବା ବେଳେ ୧୪ ତାରିଖରେ ବିଚାର ବିଭାଗୀୟ ରିମାଣ୍ଡ ପାଇଁ କୋର୍ଟରେ ହାଜର କରାଯାଇଛି।ମାମଲାର ତଦନ୍ତ ଅଧିକାରୀ ସୁମିତ୍ରା ଜେନା ଓ ସୁନାବେଡ଼ା ଏସଡିପିଓଙ୍କ ତତ୍ତ୍ୱାବଧାନରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ହତ୍ୟାର ପ୍ରକୃତ କାରଣ, ଘଟଣାରେ ଅନ୍ୟ କେହି ସମ୍ପୃକ୍ତ କି ନାହିଁ ଏବଂ ଅନ୍ୟାନ୍ୟ ପ୍ରମାଣ ସମ୍ପର୍କରେ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।