ଅଙ୍ଗନୱାଡ଼ି ପ୍ରାକ୍-ବିଦ୍ୟାଳୟ ପୋଷାକ ବିତରଣକୁ ନେଇ କୋରାପୁଟ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହାକୁ ନେଇ ସୁନାବେଡ଼ା ସିଡିପିଓ ନଳିନୀ ବେହେରା ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିଛନ୍ତି। କିଛି ଦିନ ତଳେ କେତେକ ଅଙ୍ଗନୱାଡ଼ି କର୍ମୀ କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସୁନାବେଡ଼ା ସିଡିପିଓ ଓ ସୁପରଭାଇଜରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଥିବା ନେଇ ଖବର ପ୍ରକାଶ ପାଇଥିଲା।

ଏହାପରେ ସୋମବାର ସୁନାବେଡ଼ା ସିଡିପିଓଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ନଳିନୀ ବେହେରା କହିଛନ୍ତି ଯେ, ତାଙ୍କ ସମେତ ସୁପରଭାଇଜର ଓ କର୍ମଚାରୀଙ୍କ ବିରୋଧରେ ଅଙ୍ଗନୱାଡ଼ି କର୍ମୀମାନେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ପୋଷାକ ବିତରଣ ପାଇଁ ଆବଶ୍ୟକ ପ୍ରକ୍ରିୟା କମିଟି ପକ୍ଷରୁ ପାଳନ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

ସିଡିପିଓଙ୍କ ସୂଚନା ଅନୁଯାୟୀ, ପୋଷାକ ଯୋଗାଣ ପାଇଁ ଦୁଇଟି ମହିଳା ମହାସଂଘ ଟେଣ୍ଡର ଦାଖଲ କରିଥିଲେ। ସେଥିମଧ୍ୟରୁ ଶାଶ୍ୱତୀ ମହିଳା ମହାସଂଘ ଆବଶ୍ୟକୀୟ ଦସ୍ତାବିଜ ଓ ଟେଲରିଂ ସମ୍ବନ୍ଧୀୟ ନିୟମ ପୂରଣ କରିଥିବାରୁ ତାଙ୍କୁ ଟେଣ୍ଡର ପ୍ରଦାନ କରାଯାଇଥିଲା। ଏଥିରେ କୌଣସି ଅନିୟମିତତା ହୋଇନଥିବା ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଗତ ପାଞ୍ଚ ଦିନ ଧରି କିଛି ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟ ବନ୍ଦ କରିଥିବା ନେଇ ସିଡିପିଓ ଉଦ୍ବେଗ ପ୍ରକାଶ କରିଛନ୍ତି। କାର୍ଯ୍ୟ ବନ୍ଦ ନକରି ନିଜ ନିଜ କାର୍ଯ୍ୟରେ ଯୋଗଦେବାକୁ ସେ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି। ତେବେ ଅଙ୍ଗନୱାଡ଼ି କର୍ମୀମାନଙ୍କ ଅଭିଯୋଗ ଓ ସିଡିପିଓଙ୍କ ସ୍ପଷ୍ଟୀକରଣ ପରେ ଘଟଣାର ପ୍ରକୃତ ତଥ୍ୟ କଣ, ତାହା ଉପରେ ଏବେ ନଜର ରହିଛି।