
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପବିତ୍ର ସ୍ନାନଯାତ୍ରା ଅବସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସ୍ନାନ ମଣ୍ଡପରେ ମହାପ୍ରଭୁ ଗଜାନନ (ହାତୀ) ବେଶରେ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେବେ। ଏହି ଅବସର ପାଇଁ ସ୍ନାନ ମଣ୍ଡପକୁ ସୁସଜ୍ଜିତ କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀରେ ପହଞ୍ଚି ସାରିଛନ୍ତି। ବଡ଼ଦାଣ୍ଡର ହୋଟେଲ ଓ ଲଜଗୁଡ଼ିକ ଭକ୍ତଙ୍କରେ ପୂର୍ଣ୍ଣ ହୋଇଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡିଂ, ଛାମୁଡ଼ିଆ ବ୍ୟବସ୍ଥା ଏବଂ ପାନୀୟ ଜଳ ସହ ବିଭିନ୍ନ ସୁବିଧା କରାଯାଇଛି। ଖରା କିମ୍ବା ବର୍ଷା ସମୟରେ ଭକ୍ତମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଯାୟୀ ବଡ଼ସିଂହାର ଭୋଗ, ପହୁଡ଼ ଆଳତି, ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ ଏବଂ ସେନାପଟା ଲାଗି ଭଳି ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପନ୍ନ କରାଯାଇଛି। ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ଡୋରଲାଗି ପହଣ୍ଡି, ସ୍ନାନ, ଛେରା ପହଁରା, ହାତୀ ବେଶ, ସାହାଣମେଳା ଏବଂ ବାହୁଡ଼ା ପହଣ୍ଡି ନୀତି ସମ୍ପାଦିତ ହେବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଭକ୍ତମାନେ ପ୍ରଶାସନର ନିର୍ଦ୍ଦେଶ ମାନି ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ସେ ଅନୁରୋଧ କରିଛନ୍ତି।ଏପଟେ ସ୍ନାନଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ୩ରୁ ୪ ଲକ୍ଷ ଭକ୍ତ ସ୍ନାନଯାତ୍ରା ଦର୍ଶନ ପାଇଁ ପୁରୀ ଆସିବେ ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୪ ଜଣ କମାଣ୍ଡାଣ୍ଟ/ଏସ୍ପି ପାହ୍ୟାର ଅଧିକାରୀ, ୧୪ ଜଣ ଅତିରିକ୍ତ ଏସ୍ପି, ୩୧ ଜଣ ଡିଏସ୍ପି, ୮୩ ଜଣ ଇନ୍ସପେକ୍ଟର/ସବ୍-ଇନ୍ସପେକ୍ଟର, ୩୪୦ ଜଣ ଏସ୍ଆଇ/ଏଏସ୍ଆଇ ଏବଂ ୭୯ ପ୍ଲାଟୁନ ପୋଲିସ ବାହିନୀ ନିୟୋଜିତ ହୋଇଛନ୍ତି।ସୁରକ୍ଷା ବ୍ୟବସ୍ଥାରେ ଜନସମାଗମ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଭିଆଇପି ସୁରକ୍ଷା, ଜରୁରୀକାଳୀନ ସେବା ଏବଂ ଭକ୍ତ ସହାୟତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। କ୍ୱିକ୍ ଆକ୍ସନ ଟିମ୍ (QAT), ସ୍ନିଫର ଡଗ୍ ସ୍କ୍ୱାଡ୍, ରୁଫ୍ଟପ୍ ନଜରଦାରି, ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର (ICCC), ଆଣ୍ଟି-ସାବୋଟାଜ୍ ଯାଞ୍ଚ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇଛି।
ପୁରୀ ଏସ୍ପି ପ୍ରତୀକ ସିଂ କହିଛନ୍ତି, ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ସ୍ନାନ ମଣ୍ଡପରେ ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ବାହାରିବେ। ଟିକେଟଧାରୀ ଭକ୍ତମାନଙ୍କ ପାଇଁ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ପ୍ରବେଶ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡର ବିଭିନ୍ନ ଅଞ୍ଚଳକୁ ‘ନୋ ଭେଇକିଲ ଜୋନ୍’ ଘୋଷଣା କରାଯାଇଥିବା ବେଳେ ମନ୍ଦିର ଭିତରେ ୧୪ଟି ସୁରକ୍ଷା ସେକ୍ଟର ଗଠନ କରାଯାଇଛି।ସେହିପରି ମନ୍ଦିର ଭିତରେ ୧୫୨ଟି, ମନ୍ଦିର ପରିସରରେ ୨୫୦ଟି ଏବଂ ଶ୍ରୀମନ୍ଦିରରୁ ମାର୍କେଟ ଛକ ପର୍ଯ୍ୟନ୍ତ ୩୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ରୁ ସମଗ୍ର ସୁରକ୍ଷା ବ୍ୟବସ୍ଥା ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି। ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ହେଲ୍ପଡେସ୍କ ଓ ଚିକିତ୍ସା କେନ୍ଦ୍ର ମଧ୍ୟ ପ୍ରସ୍ତୁତ ରହିଛି।ସ୍ନାନଯାତ୍ରା ଅବସରରେ ଭକ୍ତି, ପରମ୍ପରା ଓ ସୁରକ୍ଷାର ସମନ୍ୱୟ ସହ ଶ୍ରୀକ୍ଷେତ୍ର ପୁରୀ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇଉଠିଛି। ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରି ଆଶୀର୍ବାଦ ଲାଭ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।