ଶ୍ରୀକ୍ଷେତ୍ରରେ ଗତକାଲି ଦେଖିବାକୁ ମିଳିଥିଲା ଏକ ଅସାଧାରଣ ନୀତିକାନ୍ତିର ଚିତ୍ର। ସାବିତ୍ରୀ ଅମାବାସ୍ୟା, ସାଗର ବିଜେ ନୀତି ଓ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା ଯୋଗୁଁ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଥିଲା। ଫଳରେ ରାତି ସାରା ଅନିଦ୍ରା ରହିଥିଲେ ମହାପ୍ରଭୁ, ଏବଂ ହୋଇପାରିନଥିଲା ରାତ୍ର ପହୁଡ଼ ନୀତି।

ଗତକାଲି ଭିତର ଚନ୍ଦନ ଯାତ୍ରା ଅବସରରେ ଜଳକ୍ରୀଡ଼ା ନୀତି ବିଶେଷ ଆକର୍ଷଣ ହୋଇଥିଲା। ରାତି ପ୍ରାୟ ୮ଟା ୫ ମିନିଟ୍ ସୁଦ୍ଧା ଜଳକ୍ରୀଡ଼ା ସମ୍ପନ୍ନ କରି ମଦନ ମୋହନ, ଶ୍ରୀଦେବୀ ଓ ଭୂଦେବୀ ବିଜେ କରିଥିଲେ। ଏହାପରେ ମଧ୍ୟାହ୍ନ ଧୂପ ନୀତି ହୋଇଥିଲା। ନୀତିରେ ବିଳମ୍ବ ହେବାରୁ ରାତି ପ୍ରାୟ ୧୨ଟା ୩୦ ବେଳେ ସନ୍ଧ୍ୟା ଧୂପ ନୀତି ସମ୍ପନ୍ନ ହୋଇଥିଲା।
ପରେ ପଣା ଭୋଗ, ଚନ୍ଦନ ଲାଗି ଏବଂ ଅନ୍ୟାନ୍ୟ ଗୁପ୍ତ ନୀତି ଶେଷ ହେବା ପରେ ବଡ଼ ସିଂହାର ବେଳକୁ ଭୋର୍ ୪ଟା ୨୪ ହୋଇଯାଇଥିଲା। ଫଳରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ହୋଇପାରିନଥିଲା। ଏହି ଦୁର୍ଲଭ ଘଟଣାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସାଗର ବିଜେ ଓ ଚନ୍ଦନ ଯାତ୍ରାର ଏହି ବିଶେଷ ନୀତି ଶ୍ରୀମନ୍ଦିର ପରମ୍ପରାର ଏକ ଅନନ୍ୟ ଦୃଶ୍ୟକୁ ପୁଣିଥରେ ସାମ୍ନାକୁ ଆଣିଛି।