ମୟୂରଭଞ୍ଜରେ ରକ୍ତର ହୋଲି: ନିଶା ସକ୍ତ ଯୁବକର ଶାବଳ ଚୋଟରେ ଚାଲିଗଲା ଦୁଇ ନିରୀହ ଜୀବନ

ଆଜି ସକାଳ ପ୍ରାୟ ୮.୩୦ ରୁ ୯.୦୦ ଟା ସମୟରେ, ଯେତେବେଳେ ସାରା ଗାଁ ଚଳଚଞ୍ଚଳ ଥିଲା, ସେତିକି ବେଳେ ଅଭିଯୁକ୍ତ ମୋଚକା ଆଲଦା ନିଶାରେ ଚୂର ହୋଇ ନିଜ ଘର ଆଗରେ ଠିଆ ହୋଇଥିଲା। ସେହି ରାସ୍ତା ଦେଇ ଗ୍ରାମର ଗୋପୀନାଥ ସର୍ଦ୍ଦାରବୁଦ୍ଧେଶ୍ୱର ରଣା ଯାଉଥିବା ବେଳେ, ମୋଚକା ହଠାତ୍ ଏକ ଲୁହା ଶାବଳରେ ସେମାନଙ୍କୁ ଅତି ନୃଶଂସ ଭାବେ ଆକ୍ରମଣ କରିଥିଲା। ଶାବଳର ଶକ୍ତ ପହାରରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଭୟଙ୍କର ଦୃଶ୍ୟ ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଏକତ୍ରିତ ହୋଇ ଅଭିଯୁକ୍ତ ମୋଚକାକୁ କାବୁ କରିଥିଲେ ଏବଂ ଉତ୍ତ୍ୟକ୍ତ ଅବସ୍ଥାରେ ତାକୁ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ରେ ଅଭିଯୁକ୍ତର ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଖବର ପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ଗିରଫ କରିବା ସହ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି।

“ନିଶା କିପରି ଜଣେ ମଣିଷକୁ ପଶୁ ପଲଟାଇ ଦିଏ, ତାହାର କରୁଣ ପରିଣତି ଆଜି କୁଲୁଘୁଟୁ ଗ୍ରାମବାସୀ ଦେଖିଲେ। ବିନା କୌଣସି କାରଣରେ ଦୁଇଟି ହସୁଥିବା ପରିବାର ଆଜି ଉଜୁଡ଼ି ଯାଇଛି।”

ମୃତ ଗୋପୀନାଥ ଓ ବୁଦ୍ଧେଶ୍ୱରଙ୍କ ପରିବାରରେ ଏବେ କେବଳ କାନ୍ଦବୋବାଳି ଓ ଶୂନ୍ୟତା। ଗ୍ରାମବାସୀଙ୍କ ମନରେ ଭୟ ଓ ଦୁଃଖର କଳାବାଦଲ ଘୋଟି ଯାଇଛି।

ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା ଏବଂ ଏସଡିପିଓ ବୀରେନ୍ଦ୍ର ସେନାପତି ପୋଲିସ ଫୋର୍ସ ସହ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ଅଧିକ ତଥ୍ୟ ପାଇଁ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍‌କୁ ମଧ୍ୟ ଡକାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ପୂର୍ବ ଶତ୍ରୁତା ନା କେବଳ ନିଶାର ପ୍ରକୋପ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ଏହି ଡବଲ ମର୍ଡର ଘଟଣା ସାରା ମୟୂରଭଞ୍ଜ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ପରିବେଶ ସୃଷ୍ଟି କରିଛି।

ମୟୂରଭଞ୍ଜ, ରାଇରଙ୍ଗପୁରରୁ ରାମେଶ୍ଵର କୁମାର ଅଗ୍ରୱାଲଙ୍କ ରିପୋର୍ଟ, ସୁଚନା ଟିଭି।