ଜୀବିକା ପାଇଁ ଜୀବନକୁ ବାଜି ଲଗାନ୍ତି ଅଞ୍ଚଳବାସୀ

ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ପାଇଁ ବର୍ଷାଦିନ ଆସିଲେ ଯାତାୟାତ ଏକ ବଡ଼ ସମସ୍ୟା ପାଲଟିଯାଏ। ଗାଁକୁ ଯାତାୟାତ ପାଇଁ ଅନ୍ୟ କୌଣସି ସୁବିଧାଜନକ ରାସ୍ତା ନଥିବାରୁ ପ୍ରତିବର୍ଷ ବର୍ଷା ଋତୁରେ ଗ୍ରାମବାସୀଙ୍କୁ ଜୀବନକୁ ବିପଦରେ ପକାଇ ଏକ ଗଭୀର ସ୍ରୋତ ନାଳ ପାର୍ ହୋଇ ଯାତାୟାତ କରିବାକୁ ପଡ଼ୁଛି।

ଗତ ୩୬ ଘଣ୍ଟା ଧରି ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ପଞ୍ଚୁପାଣ୍ଡବ ଗ୍ରାମ ନିକଟସ୍ଥ ନାଳରେ ଜଳସ୍ତର ବହୁମାତ୍ରାରେ ବୃଦ୍ଧି ପାଇଛି। ନାଳରେ ପ୍ରବଳ ପାଣି ସ୍ରୋତ ରହିଥିବା ସତ୍ତ୍ୱେ ମଧ୍ୟ ଗ୍ରାମବାସୀ ନିଜ ଦୈନନ୍ଦିନ କାମ ପାଇଁ ଏହି ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ କରୁଛନ୍ତି। ବିଲରେ ରୁଆ କାମ ଓ ଡଙ୍ଗର କାମ ସାରି ଘରକୁ ଫେରିବା ସମୟରେ ମହିଳା, ଛୋଟ ଶିଶୁ, ଯୁବକ-ଯୁବତୀ ଏବଂ ବୃଦ୍ଧବୃଦ୍ଧାମାନେ ନାଳ ପାର୍ ହେଉଥିବା ଦୃଶ୍ୟ ଏବେ ଚିନ୍ତାର କାରଣ ପାଲଟିଛି।

ପାଣିର ସ୍ରୋତ ଯେତେ ବଢ଼ୁଛି, ସେତେ ବଢ଼ୁଛି ଗ୍ରାମବାସୀଙ୍କ ଭୟ। ନାଳ ପାର୍ ହେବା ସମୟରେ କେତେବେଳେ କିଏ ପାଣିର ପ୍ରଖର ସ୍ରୋତରେ ଭାସିଯିବ, ତାହା କହିହେବ ନାହିଁ। ତଥାପି ଜୀବନଜୀବିକା ଓ ଅତ୍ୟାବଶ୍ୟକ କାମ ପାଇଁ ବିପଦକୁ ଖାତିର ନକରି ଲୋକେ ଏହି ନାଳ ପାର୍ ହେବାକୁ ବାଧ୍ୟ ହେଉଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ଷା ଆସିଲେ ଏହି ନାଳ ହିଁ ସେମାନଙ୍କ ପାଇଁ ସବୁଠାରୁ ବଡ଼ ଭୟର କାରଣ ହୋଇଥାଏ। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଯାଏଁ ଏହାର କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ନାଳ ଉପରେ ଏକ ସେତୁ ନିର୍ମାଣ କରିବା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି ଜଣାଇ ଆସୁଥିଲେ ମଧ୍ୟ ଦାବି ପୂରଣ ହୋଇନାହିଁ।

ବର୍ଷାଦିନେ କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ନାଳ ଉପରେ ସ୍ଥାୟୀ ସେତୁ ନିର୍ମାଣ କରିବା ସହ ଗ୍ରାମବାସୀଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରୁ ଏହି ଦାବି ଏବେ ଜୋର ଧରିଛି।