ବାଲିଆପାଳ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ଅସ୍ତି, ବିଷ୍ଣୁପୁର, ମଧୁପୁରା ଓ ଜାମକୁଣ୍ଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିବା ଫଳରେ ଶହ ଶହ ପରିବାରଙ୍କ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି। ଏଭଳି ସଙ୍କଟପୂର୍ଣ୍ଣ ସମୟରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା।

ବିଧାୟିକା ବିଷ୍ଣୁପୁର ପଞ୍ଚାୟତ ଗସ୍ତ କରି ଗ୍ରାଉଣ୍ଡ ଜିରୋରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରରେ ରହିଥିବା ପରିବାରଗୁଡ଼ିକ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିଛନ୍ତି। ବନ୍ୟା ଯୋଗୁଁ ଲୋକଙ୍କ ଘରଦ୍ୱାର, ଯାତାୟାତ ଓ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଥିବା ବେଳେ ଜରୁରୀ ସେବା କିପରି ଲୋକଙ୍କ ନିକଟରେ ଶୀଘ୍ର ପହଞ୍ଚିବ, ସେନେଇ ବିଧାୟିକା ଗୁରୁତ୍ୱ ଦେଇଛନ୍ତି।
ବନ୍ୟାଜଳ ଘେରରେ ରହୁଥିବା ପରିବାରଙ୍କ ନିକଟରେ ଯେପରି ଖାଦ୍ୟ, ପାନୀୟଜଳ ଓ ଚିକିତ୍ସା ସୁବିଧାର ଅଭାବ ନହୁଏ, ସେଥିପାଇଁ ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହ ବିଧାୟିକା ଆଲୋଚନା କରିଛନ୍ତି। ପ୍ରତ୍ୟେକ ପ୍ରଭାବିତ ପରିବାର ପାଖରେ ତୁରନ୍ତ ରିଲିଫ୍ ସାମଗ୍ରୀ, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାନୀୟଜଳ ଏବଂ ଆବଶ୍ୟକ ଔଷଧ ଓ ଚିକିତ୍ସା ସେବା ପହଞ୍ଚାଇବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ବିଧାୟିକା ଜିଲ୍ଲାପାଳ ଓ ବାଲିଆପାଳ ବିଡିଓଙ୍କ ସହ ଆଲୋଚନା କରି ବନ୍ୟା ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ବିଶେଷକରି ଯେଉଁ ଅଞ୍ଚଳରେ ଲୋକେ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି, ସେଠାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ରିଲିଫ୍ ବଣ୍ଟନ କିମ୍ବା ଉଦ୍ଧାର କାର୍ଯ୍ୟରେ କୌଣସି ପ୍ରକାର ବିଳମ୍ବ ଯେପରି ନହୁଏ, ସେଥିପାଇଁ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ ବିଧାୟିକା କହିଛନ୍ତି। ବନ୍ୟା ପରିସ୍ଥିତିରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚଳାଇବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଅନ୍ୟପଟେ, ବନ୍ୟାଜଳ ହ୍ରାସ ପରେ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ କରିବା ଉପରେ ମଧ୍ୟ ଜୋର ଦିଆଯାଇଛି। ବନ୍ୟାରେ ଘର, ଚାଷଜମି, ରାସ୍ତାଘାଟ ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତି ହୋଇଥିଲେ ନିୟମାନୁଯାୟୀ ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ଓ ପୁନରୁଦ୍ଧାର ସହାୟତା ଯୋଗାଇଦେବାକୁ ବିଧାୟିକା ଦାବି କରିଛନ୍ତି।
ଏହି ଅବସରରେ ବସ୍ତା ବିଧାୟିକା ସୁବାସିନୀ ଜେନା କହିଛନ୍ତି, “ବିପଦ ସମୟରେ ଲୋକଙ୍କ ସାଥୀରେ ଠିଆ ହେବା ହିଁ ମୋର ପ୍ରଥମ ଦାୟିତ୍ୱ। ପ୍ରତ୍ୟେକ ପ୍ରଭାବିତ ପରିବାର ନିକଟରେ ସହାୟତା ନପହଞ୍ଚିବା ପର୍ଯ୍ୟନ୍ତ ମୋର ପ୍ରୟାସ ନିରନ୍ତର ଜାରି ରହିବ।”
ବନ୍ୟା ମଧ୍ୟରେ ବିଧାୟିକାଙ୍କ ଗ୍ରାଉଣ୍ଡ ଜିରୋ ଗସ୍ତ ଓ ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା ଅଞ୍ଚଳବାସୀଙ୍କୁ ଆଶ୍ୱାସନ ଦେଇଛି। ବର୍ତ୍ତମାନ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସମନ୍ୱୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।