
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ତଟବନ୍ଧ ବିଭାଗ ଅଧୀନରେ ଥିବା ଆଳି ରିଙ୍ଗ ବନ୍ଧର ଦୁର୍ବଳ ସ୍ଥିତିକୁ ନେଇ ଏବେ ଆତଙ୍କିତ ଅଞ୍ଚଳବାସୀ। ଟୁଙ୍ଗା ପଞ୍ଚାୟତ ନିକଟରେ ଖରସ୍ରୋତା ନଦୀକୁ ଲାଗିଥିବା ଟୁଙ୍ଗା ରିଙ୍ଗ ବନ୍ଧର କାଳିଆଘାଇ ନିକଟରେ ଥିବା ଏକ ସ୍ଲୁଇସ୍ ଗେଟ୍ର ଗାର୍ଡ ୱାଲ୍ ତଥା ପାରାପେଟ୍ ଧସିଯିବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
ଖବର ପାଇ ଘଟଣାସ୍ଥଳରେ ଆଳି ତହସିଲଦାର ସୁମନ ଘୋଷ, ତଟବନ୍ଧ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଧ୍ରୁବ ଚରଣ ବେହେରା ଓ ବିଭାଗୀୟ ଯନ୍ତ୍ରୀ ଜ୍ୟୋତିସ୍ୱରୂପ ମହାନ୍ତି ପହଞ୍ଚି ସ୍ଥିତି ପରଖିଥିଲେ। ପରେ ତଟବନ୍ଧ ବିଭାଗର କର୍ମଚାରୀମାନେ ଧସିଥିବା ଅଂଶରେ କାଠ ବଲ୍ହା, ଜରିପାଲ ଓ ବାଲି ବସ୍ତା ପକାଇ ଅସ୍ଥାୟୀ ଭାବେ ସୁରକ୍ଷା ବ୍ୟବସ୍ଥା କରିଥିଲେ।ସେହିପରି ସାନମଙ୍ଗ ପଞ୍ଚାୟତର ଅର୍ଜୁନପୁର ନଦୀବନ୍ଧ ନିକଟରେ ଥିବା ସ୍ଲୁଇସ୍ ଗେଟ୍ ଅଞ୍ଚଳରେ ବନ୍ଧ ଦବିଯିବା ଘଟଣା ମଧ୍ୟ ଚିନ୍ତା ବଢ଼ାଇଛି। ଏହାର ପ୍ରଭାବରେ ଅର୍ଜୁନପୁର, ପାଞ୍ଚଣପଡ଼ା ଓ ଆଖପାଖ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।ସ୍ଥାନୀୟ ଲୋକଙ୍କ ଅଭିଯୋଗ, କାଳିଆଘାଇ କଲଭର୍ଟ ପୂର୍ବରୁ ଦୁର୍ବଳ ଥିବା ସତ୍ତ୍ୱେ ଆଳି ଅଞ୍ଚଳରେ ଲଗାତାର ବନ୍ୟା ଆସିବା ପରେ ମଧ୍ୟ ସ୍ଥାୟୀ ମରାମତି କରାଯାଇନଥିଲା। ତେଣୁ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଟୁଙ୍ଗା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପ୍ରୀତିରଞ୍ଜନ ପୁହାଣଙ୍କ ସମେତ ଅନେକ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।
ଘଟଣାସ୍ଥଳରେ ଆଳି ପୋଲିସର ଏକ ଟିମ୍ ମଧ୍ୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଏବେ ସ୍ଥାନୀୟ ଲୋକଙ୍କ ଦାବି, ଅସ୍ଥାୟୀ ମରାମତି ନୁହେଁ, ଦୁର୍ବଳ ତଟବନ୍ଧ ଓ ସ୍ଲୁଇସ୍ ଗେଟ୍ର ତୁରନ୍ତ ସ୍ଥାୟୀ ମରାମତି କରାଯାଉ।