ସମନ୍ୱିତ ଶିଶୁ ବିକାଶ ସେବା (ICDS) ଯୋଜନା ଅଧୀନରେ ଗର୍ଭବତୀ ମହିଳା,ପ୍ରସୂତି ମା’, କିଶୋରୀ ଓ ୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଣରେ ଅସୁବିଧା ସୃଷ୍ଟି ହୋଇଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନୱାଡ଼ି କର୍ମୀ । କିନ୍ତୁ ବର୍ତ୍ତମାନ ବଜାରରେ ଅଣ୍ଡାର ଦର ବୃଦ୍ଧି ପାଇ ୯ରୁ ୧୦ ଟଙ୍କାରେ ପହଞ୍ଚିଥିବା ବେଳେ ସରକାର ପ୍ରତି ଅଣ୍ଡା ପାଇଁ ମାତ୍ର ୭ ଟଙ୍କା ପ୍ରଦାନ କରୁଥିବାରୁ ପୁଷ୍ଟିକର ଖାଦ୍ୟ ବଣ୍ଟନରେ ବାଧା ସୃଷ୍ଟି ହେଉଛି ବୋଲି ଅଙ୍ଗନୱାଡ଼ି କର୍ମୀମାନେ ଅଭିଯୋଗ କରିଛନ୍ତି।
ଏହି ପ୍ରସଙ୍ଗ ସହ ୧୦ ଦଫା ଦାବିପତ୍ର ନେଇ ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଲକର ୨୧୧ଟି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଓ ସହାୟିକାମାନେ ସୋମବାର ଏକ ବିଶାଳ ରାଲି କରିଥିଲେ। ରାଲି ପରେ ସେମାନେ ପାଇକମାଲ ସିଡିପିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଅବିଳମ୍ବେ ସମସ୍ୟାର ସମାଧାନ କରିବାକୁ ଦାବି ଜଣାଇଥିଲେ।ଆନ୍ଦୋଳନକାରୀମାନଙ୍କ କହିବାନୁସାରେ, ବର୍ତ୍ତମାନର ଅଣ୍ଡା ଦର ଅନୁଯାୟୀ ସରକାରଙ୍କ ପକ୍ଷରୁ ମିଳୁଥିବା ଅର୍ଥରେ ଅଣ୍ଡା କ୍ରୟ କରିବା ସମ୍ଭବ ହେଉନାହିଁ।
ଫଳରେ ଶିଶୁ ଓ ମାତୃ ପୋଷଣ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି। ସେଥିପାଇଁ ଅଣ୍ଡା ବାବଦରେ ପ୍ରଦାନ କରାଯାଉଥିବା ରାଶି ବୃଦ୍ଧି ସହ ଅନ୍ୟାନ୍ୟ ଦାବିଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣରେ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରାଯିବ ବୋଲି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଚେତାବନି ଦେଇଥିଲେ|