ଆନ୍ତର୍ଜାତୀୟ ସ୍ତରରେ ସବୁଠାରୁ ସମ୍ବେଦନଶୀଳ ଜଳପଥ ଭାବେ ଜଣାଶୁଣା ”ହର୍ମୁଜ୍ ପ୍ରଣାଳୀ”ରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିଲେ ମଧ୍ୟ ଏହି ସାମୁଦ୍ରିକ ମାର୍ଗ ଦେଇ ବାଣିଜ୍ୟିକ ଓ ପଣ୍ୟ ଜାହାଜ ଚଳାଚଳ ଗୁରୁତର ଭାବେ ବୃଦ୍ଧି ପାଇଛି।
ସାମୁଦ୍ରିକ ଗମନାଗମନ ଉପରେ ନଜର ରଖୁଥିବା ଟ୍ରାକିଂ ଫାର୍ମଗୁଡ଼ିକର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ପଣ୍ୟ ଜାହାଜ ସଂଖ୍ୟା ପ୍ରତି ସପ୍ତାହରେ ୫୫ରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ଯୁଦ୍ଧର ଚରମ ସୀମା ସମୟରେ ଏହି ସଂଖ୍ୟା ହ୍ରାସ ପାଇ ସର୍ବନିମ୍ନ ୧୯ରେ ପହଞ୍ଚିଥିଲା।

ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ସାମରିକ ଆକ୍ରମଣ କରାଯିବା ପରେ ଏହି ସାମୁଦ୍ରିକ ମାର୍ଗରେ ବଡ଼ ସଙ୍କଟ ସୃଷ୍ଟି ହୋଇଥିଲା। ଏହାର ଜବାବରେ ତେହେରାନ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲା, ଯାହା ଫଳରେ ବିଶ୍ୱ ଶକ୍ତି ବଜାର ଓ ଅଶୋଧିତ ତୈଯୋଗାଣ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଥିଲା।
ମେ ୧୧ ରୁ ମେ ୧୭ ମଧ୍ୟରେ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ପରିବହନ କାର୍ଯ୍ୟକଳାପରେ ସବୁଠାରୁ ବଡ଼ ସୁଧାର ଦେଖିବାକୁ ମିଳିଛି।
ଇରାନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି ଯେ ସେଠାକାର ‘ରିଭୋଲ୍ୟୁସନାରୀ ଗାର୍ଡସ’ ବର୍ତ୍ତମାନ ଜଳପଥ ଦେଇ ଅଧିକ ଜାହାଜକୁ ଯିବା ପାଇଁ ଅନୁମତି ଦେଉଛନ୍ତି।
ଚଳିତ ସପ୍ତାହ ଆରମ୍ଭରେ ମାତ୍ର ଗୋଟିଏ ଦିନରେ ୩୦ରୁ ଅଧିକ ଜାହାଜକୁ ପ୍ରଣାଳୀ ପାର ହେବାକୁ ଅନୁମତି ମିଳିଥିଲା।
ହର୍ମୁଜ୍ ପ୍ରଣାଳୀ ଦେଇ ପୁନର୍ବାର ତୈଳ ଜାହାଜ ଚଳାଚଳ ସ୍ୱାଭାବିକ ହେବା ଫଳରେ ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ନିୟନ୍ତ୍ରଣକୁ ଆସିବ ଏବଂ ବିଭିନ୍ନ ଆମଦାନୀକାରୀ ଦେଶଗୁଡ଼ିକୁ ବଡ଼ ଆଶ୍ୱସ୍ତି ମିଳିବ।