ପୁରୀରେ ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଏବେ ଜୋରଦାର ଭାବେ ଆଗେଇ ଚାଲିଛି। ମହାରଣା, ରୂପକାର ଓ ଓଝା କମାର ସେବକମାନେ ପାରମ୍ପରିକ ନୀତି ଓ ଶୃଙ୍ଖଳା ମଧ୍ୟରେ ତିନି ରଥର ବିଭିନ୍ନ ଅଂଶ ନିର୍ମାଣ କାର୍ଯ୍ୟକୁ ଦ୍ରୁତଗତିରେ ସମ୍ପନ୍ନ କରୁଛନ୍ତି।

ଆଜି ସୁଦ୍ଧା ତିନି ରଥର ମୋଟ ୩୨ଟି ଚକ ନିର୍ମାଣ କାମ ଶେଷ ହୋଇଥିବା ବେଳେ, ଗୋଟିଏ ତୁମ୍ବ ବ୍ୟତୀତ ଅନ୍ୟ ସମସ୍ତ ତୁମ୍ବରେ ସିଙ୍ଗଡା ବାଡ଼ିଆ କାମ ସମାପ୍ତ ହୋଇଛି। ରଥ ନିର୍ମାଣ ପାଇଁ ଯୋଗାଇ ଦିଆଯାଇଥିବା କାଠର କୌଣସି ଅଂଶରେ ସମସ୍ୟା ଦେଖାଦେଲେ, ସେହି ଅଂଶକୁ ବାଦ ଦେଇ ଅନ୍ୟ ଉପଯୋଗୀ ଅଂଶକୁ ବ୍ୟବହାର କରୁଛନ୍ତି ମହାରଣା ସେବକମାନେ।ତିନି ରଥର ୪ଟି ଲେଖାଏଁ ମୁହାଁଟ, ୪ଟି ଲେଖାଏଁ ନିରାଡ଼ି ଓ ୧୨ଟି ଲେଖାଏଁ ଭୂଇଁ ଖମ୍ବିର ଚଉପଟ କାର୍ଯ୍ୟ ଶେଷ ପରେ ଏବେ ଭୂଇଁ ଚଉତା ନିର୍ମାଣ କାମ ଆରମ୍ଭ ହୋଇଛି। ପ୍ରଥମ ଓ ମାଝୀ ଭୂଇଁ ପାଇଁ ରଥ ଅମିନ ଭୋଇ ସେବକଙ୍କ ମାଧ୍ୟମରେ ପ୍ରତି ରଥ ଚାଳୀକୁ ୨୦ ଫୁଟିଆ ଅସନ କାଠ ଯୋଗାଇ ଦିଆଯାଇଛି।ଏହାସହ ତିନି ରଥର ୮ଟି ଭୂଇଁ ଚଉତା କାଠର ଚଉପଟ କାମ ଶେଷ ହୋଇଥିବା ବେଳେ, ତୃତୀୟ ଭୂଇଁ ଅର୍ଥାତ୍ ଅଗ୍ ଭୂଇଁ ଚଉତା କାଠର କାର୍ଯ୍ୟ ଜାରୀ ରହିଛି। ନିର୍ମିତ ଯୋକାଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ଯୋକା ଅଗର ମଣ୍ଡଣି କାମ ମଧ୍ୟ ଶେଷ ପର୍ଯ୍ୟାୟକୁ ପହଞ୍ଚିଛି।

ଅନ୍ୟପଟେ ରୂପକାର ସେବକମାନେ ତିନି ରଥର ସାଲ ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ କରୁଥିବା ବେଳେ, ଖୋଦେଇ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ୍ କାମ ମଧ୍ୟ ଚାଲିଛି।ସେପଟେ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ତିନି ରଥର ଚକ ଅର କଣ୍ଟା, ପନ୍ଦାରି, ବଳା ଓ ପନ୍ଦାରି ଚାବି ନିର୍ମାଣ ଶେଷ କରିଥିବା ବେଳେ, ବର୍ତ୍ତମାନ ଅଖ ଦଣ୍ଡା ବିଡିଆ ଏବଂ ଚଉରସ କଣ୍ଟା ତିଆରି କାର୍ଯ୍ୟ ଜାରୀ ରଖିଛନ୍ତି।ରଥଖଳାରେ ସେବକମାନଙ୍କ ନିଷ୍ଠା, ପରମ୍ପରା ଓ କୌଶଳର ସମନ୍ୱୟ ମଧ୍ୟରେ ଧୀରେ ଧୀରେ ଆକାର ନେଉଛି ମହାପ୍ରଭୁଙ୍କ ତିନି ଦିବ୍ୟ ରଥ।