ମା’ଙ୍କ ଦର୍ଶନ ପୂର୍ବରୁ ମୃତ୍ୟୁର ତାଣ୍ଡବ ! ୧୫ ମୃତ

ମଧ୍ୟପ୍ରଦେଶର ଗ୍ୱାଲିଅରରେ ଭୟଙ୍କର ସଡ଼କ ଦୁର୍ଘଟଣା। ମା’ ଶୀତଳାଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଧାନ ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ଅତି କମ୍‌ରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ନବରାତ୍ରି ଅବସରରେ ମନ୍ଦିର ଅଭିମୁଖେ ଯାଉଥିବା ଭକ୍ତମାନେ ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି।

ଶନିବାର ବିଳମ୍ବିତ ରାତି ଅର୍ଥାତ୍ ରବିବାର ଭୋର ପ୍ରାୟ ୧ଟା ୩୦ ମିନିଟ୍‌ରେ ଏହି ଅଘଟଣ ଘଟିଥିଲା। ଗ୍ୱାଲିଅରର ବରିଷ୍ଠ ପୋଲିସ ଅଧୀକ୍ଷକ ଧର୍ମବୀର ସିଂହଙ୍କ ସୂଚନା ଅନୁଯାୟୀ, ଛିନୋର ଦିଗରୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ୍ ଖାଲୁଆ ରାସ୍ତାରେ ହଠାତ୍ ନିୟନ୍ତ୍ରଣ ହରାଇଥିଲା। ଏହି ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ରହିଥିଲେ ମଧ୍ୟ ଟ୍ରକ୍‌ଟି ସେହି ବାଟ ଦେଇ ଆସିଥିଲା।
ଟ୍ରକ୍‌ଟି ପୋଲିସ ବ୍ୟାରିକେଡ୍ ଭାଙ୍ଗି ଆଗକୁ ମାଡ଼ିଯିବା ସହ ରାସ୍ତାରେ ଥିବା ଶ୍ରଦ୍ଧାଳୁଙ୍କୁ ଧକ୍କା ଦେଇଥିଲା। ଏହାପରେ ମନ୍ଦିରର ପ୍ରବେଶ ଫାଟକ ଓ ପାଚେରିରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣାରେ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ଦୁର୍ଘଟଣା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି।
ଅନ୍ୟପଟେ ଘଟଣାକୁ ନେଇ ମଧ୍ୟପ୍ରଦେଶ ସରକାର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଏବଂ ଅନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ତେବେ କଟକଣା ସତ୍ତ୍ୱେ ଟ୍ରକ୍‌ଟି କିଭଳି ମନ୍ଦିର ରାସ୍ତାରେ ପ୍ରବେଶ କଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।