ବିହାର: ଦୁର୍ଗାପୂଜା ମେଳା ଦେଖି ଖୁସିରେ ଘରକୁ ଫେରୁଥିଲେ ବାପା, ପୁଅ ଓ ପରିବାରର ଜଣେ ମହିଳା। ହେଲେ ଅଧାବାଟରେ ଘଟିଗଲା ଭୟଙ୍କର ସଡ଼କ ଦୁର୍ଘଟଣା। କ୍ଷଣିକ ମଧ୍ୟରେ ଖୁସିର ମୁହୂର୍ତ୍ତ ପରିଣତ ହେଲା ଶୋକରେ। ବିହାରର ବେଗୁସରାଇ ଜିଲ୍ଲାରେ ଏକ ଦ୍ରୁତଗାମୀ ମହିନ୍ଦ୍ରା ଥାର ଗାଡ଼ି ସହ ବାଇକ୍ର ମୁହାଁମୁହିଁ ଧକ୍କା ହେବାରୁ ବାପା-ପୁଅଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ଅର୍ଥାତ୍ ଅକ୍ଟୋବର ୨୦ ତାରିଖରେ ବେଗୁସରାଇର ସାହେବପୁର କମାଲ ଥାନା ଅଞ୍ଚଳର ଜାତୀୟ ରାଜପଥ ୩୩୩-ବିରେ ଏହି ଦୁର୍ଘଟଣା ଘଟିଥିଲା। ମୁଙ୍ଗେରରେ ଆୟୋଜିତ ଦୁର୍ଗାପୂଜା ମେଳା ଦେଖି ତିନିଜଣ ଗୋଟିଏ ବାଇକ୍ରେ ଘରକୁ ଫେରୁଥିଲେ। ଟୋଲ୍ ପ୍ଲାଜା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଥାର ଗାଡ଼ି ସହ ସେମାନଙ୍କ ବାଇକ୍ର ଜୋରଦାର ଧକ୍କା ହୋଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଧକ୍କା ଏତେ ଭୟଙ୍କର ଥିଲା ଯେ ବାଇକ୍ଟି ଥାର ଗାଡ଼ି ତଳେ ଫସି ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା। ଦୁର୍ଘଟଣାରେ ମହିଳାଙ୍କ ମୃତଦେହ ଛିଟିକି ଯାଇ ରାସ୍ତାକଡ଼ରେ ଥିବା ଏକ ଘରର ଆଜବେଷ୍ଟସ୍ ଛାତ ଉପରେ ପଡ଼ିଥିଲା।
ମୃତକମାନେ ହେଲେ ୪୩ ବର୍ଷୀୟ ସନ୍ତୋଷ ଯାଦବ, ତାଙ୍କ ୭ ବର୍ଷର ପୁଅ ଆୟୁଷ କୁମାର ଓ ୪୦ ବର୍ଷୀୟ ସୁଲେଖା ଦେବୀ। ସମସ୍ତେ ଗୋଟିଏ ପରିବାରର ସମ୍ପର୍କୀୟ ବୋଲି ଜଣାପଡ଼ିଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଥାର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।
ସେପଟେ ଗୋଟିଏ ଦୁର୍ଘଟଣାରେ ପରିବାରର ତିନିଜଣଙ୍କ ଜୀବନ ଚାଲିଯିବା ପରେ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଫେରାର ଚାଳକଙ୍କୁ ଖୋଜିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରଖିଛି।