
ଆସନ୍ତା ଜୁଲାଇ ୧୬ ତାରିଖ ରେ ଅନୁଷ୍ଠିତ ହେବ ପବିତ୍ର ରଥଯାତ୍ରା।ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା, ଉଦ୍ଧାର ଓ ଜରୁରୀକାଳୀନ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛି।କୌଣସି ଅଘଟଣ, ବିପର୍ଯ୍ୟୟ ଘଟିଲେ ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ପହଞ୍ଚି ଉଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିଥାନ୍ତି।ଏହି ପରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ ଚଳିତ ରଥଯାତ୍ରାରେ ଅଗ୍ନିଶମ ବାହିନୀ କିଭଳି ପୁରୀ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ଲୋକଙ୍କୁ ସେବା ଯୋଗାଇ ଦେବ ସେ ନେଇ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ରଥଯାତ୍ରା ସମୟରେ ଜରୁରୀକାଳୀନ ପରିସ୍ଥିତି ରେ କିଭଳି ଅଗ୍ନିଶମ ବାହିନୀ କାର୍ଯ୍ୟ କରିବ, ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ସ୍ଥିତି ଉପୁଜିଲେ କିଭଳି ଏହାର ପ୍ରତିକାର କରାଯିବ,ଏବଂ ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକ ଙ୍କ ସୁରକ୍ଷା କୁ କିଭଳି ରାଜ୍ୟ ଅଗ୍ନିଶମ ବାହିନୀର ଯୋଜନା ରହିଚି ସେ ନେଇ ମଧ୍ୟ ବୈଠକ ରେ ଆଲୋଚନା ହୋଇଥିଲା।
ବୈଠକ ପରେ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ, ରଥଯାତ୍ରା ସମୟରେ ଅଗ୍ନିଶମ ବାହିନୀର ମୁଖ୍ୟ ଉଦ୍ଦେଶ୍ୟ ରହିଚି ଜରୁରୀ କାଳୀନ ସେବା କୁ କିଭଳି ସଠିକ୍ ଭାବରେ କରାଯାଇପାରିବ। ଅଗ୍ନିକାଣ୍ଡ ରୁ ସୁରକ୍ଷା, ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକ ଙ୍କ ସୁରକ୍ଷା, ଯାତ୍ରୀ ଙ୍କ ସୁରକ୍ଷିତ ଯାତାୟାତ, ଭିଡ ଭିତରେ କିଭଳି ଲୋକ ଙ୍କ ନିକଟ ରେ ସହାୟତା ପ୍ରଦାନ କରିହେବ ସେ ନେଇ ଆଲୋଚନା ହୋଇଛି। ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି। ସବୁ କିଛି ସଫଳତାର ସହ ହେବ ବୋଲି ଆମର ଆଶା ରହିଛି। ପ୍ରବଳ ଗରମ ରେ ଭକ୍ତ ଙ୍କ ସୁରକ୍ଷା ପାଇଁ ଭକ୍ତ ଙ୍କ ଉପରେ ଜଳ ସିଞ୍ଚନ କରାଯିବ। ପ୍ରବଳ ବର୍ଷା ହେଲେ ଜଳବନ୍ଦୀ ସ୍ଥିତି ଉପୁଜିଲେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ପମ୍ପର ବ୍ୟବସ୍ଥା ରହିଛି। ଏକ ମିନିଟ୍ ରେ ୪୨୦୦ ଲିଟର ଜଳ ନିଷ୍କାସନ ହୋଇପାରିବ। ଏଣୁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ଆମର ଆଶା ରହିଛି। ସେ ଆହୁରି କହିଥିଲେ ଯେ, ସମୁଦ୍ର ସ୍ନାନ ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ମଧ୍ୟ ଅଗ୍ନିଶମ ବିଭାଗ ବିଶେଷ ପଦକ୍ଷେପ ନେଇଛି। ବେଳାଭୂମିରେ ମୁତୟନ ହେବାକୁ ଥିବା ଲାଇଫଗାର୍ଡମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦିଆଯିବା ସହ, ସମୁଦ୍ରରେ ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଏବଂ ଉଦ୍ଧାର ପରେ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ସମ୍ପର୍କରେ ସେମାନଙ୍କୁ ତାଲିମ ଦିଆଯାଉଛି।
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ, ଚଳିତ ରଥଯାତ୍ରା ରେ ଅଗ୍ନିଶମ ବିଭାଗ କିଭଳି ଲୋକ ଙ୍କୁ ସେବା ଯୋଗାଇ ଦେବ, ଜରୁରୀ କାଳିନ ସେବା କିଭଳି ତ୍ୱରିତ ବେଗରେ ଯୋଗାଇ ହେବ ସେ ନେଇ ଡି.ଜି ଙ୍କ ସହ ଆଲୋଚନା ହୋଇଛି । ଖରା, ବର୍ଷା, ଅଗ୍ନିକାଣ୍ଡ କିମ୍ବା ଅନ୍ୟ କୌଣସି ଜରୁରୀ ସ୍ଥିତିର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରହିଛି। ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ପ୍ରଶାସନ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଚଳିତ ବର୍ଷର ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାବେଳେ ସେମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଅଗ୍ନିଶମ ବିଭାଗର ଏହି ପ୍ରସ୍ତୁତିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।