ପ୍ରବଳ ଖରା ଓ ଘାଟି ଚଢ଼ିବା ହେଲା କାଳ: ଚକାପାଦ ଅଞ୍ଚଳରେ ଯୁବକଙ୍କ ମୃତ୍ୟୁ

ଜିଲ୍ଲାର ଚକାପାଦ ଥାନା ଅନ୍ତର୍ଗତ ଲାଇନପଡ଼ା ଘାଟି ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାଇକେଲରେ ନିଜ ଗାଁକୁ ଫେରୁଥିବା ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଥକ୍କାପଣ ଯୋଗୁଁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କୁନୁ ନାୟକ ସାଇକେଲ ଯୋଗେ ନିଜ ଗ୍ରାମ ପିପଳି ସାହିକୁ ଫେରୁଥିଲେ। ସେହି ସମୟରେ ପ୍ରବଳ ଖରା ହେଉଥିବା ବେଳେ ଉଚ୍ଚା ଘାଟି ରାସ୍ତା ଚଢ଼ିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ହାଲିଆ ହୋଇ ସେ ରାସ୍ତା କଡ଼ରେ ଥିବା ଏକ ପଥର ଉପରେ ବିଶ୍ରାମ ନେବା ପାଇଁ ବସିଥିଲେ। ମାତ୍ର ସେଠାରେ ହିଁ ସେ ଅଚେତ ହୋଇ ପଡ଼ିଯାଇଥିଲେ ଏବଂ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

କୁନୁ ଦିନ ସାରା ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ପୋଲିସକୁ ଜଣାଇଥିଲେ। ଅନ୍ୟପଟେ କିଛି ସ୍ଥାନୀୟ ଲୋକ ଶବଟିକୁ ଦେଖି ଚକାପାଦ ପୋଲିସକୁ ଖବର ଦେଇଥିଲେ। ରାତିରେ ଚକାପାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି।

ଏହି ଘଟଣାରେ ଚକାପାଦ ଥାନାରେ କେସ୍ ନମ୍ବର 3/2026 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରବଳ ଖରା ସାଙ୍ଗକୁ ଘାଟି ରାସ୍ତା ଉଠିବା ଦ୍ୱାରା ଅତ୍ୟଧିକ କ୍ଳାନ୍ତ ହୋଇ ଯୁବକ ଜଣକ ମୃତ୍ୟୁବରଣ କରିଛନ୍ତି।