
ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପରେ କିଏ ହେବ ଭୁବନେଶ୍ୱରର ପରବର୍ତୀ ଡିସିପି ତାକୁ ନେଇ ଲାଗି ରହିଥିଲା ଚର୍ଚ୍ଚା। ଏବେ ନୂଆ ଡିସିପି ଭାବେ ରାଜ୍ୟ ସରକାର ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ ଙ୍କୁ ନିଯୁକ୍ତି କରିଛନ୍ତି।୨୦୧୫ ବ୍ୟାଚର ଆଇପିଏସ୍ ଅଫିସର ଶ୍ରବଣ ବିବେକ ପୂର୍ବରୁ ଥିଲେ ଡାକ୍ତର । ପରେ ସେ ଆଇପିଏସ୍ ପାଇଥିଲେ। ତାମିଲନାଡୁ ନିବାସୀ ଶ୍ରବଣ ଓଡ଼ିଶା କ୍ୟାଡ଼ରର ଜଣେ ଆଇପିଏସ୍। ସେ ପୂର୍ବରୁ ରାୟଗଡ଼ା, କଳାହାଣ୍ଡି ଓ ଭୁବନେଶ୍ୱର ଜିଲ୍ଲା ଭିଜିଲାନ୍ସ ସେଲ ଏସପି ମଧ୍ୟ ଥିଲେ ।

ସେ ଏବେ ବ୍ରହ୍ମପୁର ସମେତ ଗଜପତି ଜିଲ୍ଲାର ଦାୟିତ୍ୱରେ ମଧ୍ୟ ଅଛନ୍ତି । କାରଣ ପଶ୍ଚିମବଙ୍ଗରେ ନିର୍ବାଚନବେଳେ କମିସନ ତାଙ୍କୁ ସ୍ୱତନ୍ତ୍ର ଭାବେ ପଠାଇଥିଲେ। ବ୍ରହ୍ମପୁରରେ ସେ ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରି ପୋଲିସ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଦୁର୍ଦାନ୍ତ ଅପରାଧି, ଜଣକ ପରେ ଜଣଙ୍କୁ ଏନ୍କାଉଣ୍ଟର କରି ଅଧିକ ଚର୍ଚ୍ଚିତ ଥିଲେ। ଏଥିପାଇଁ ତାଙ୍କୁ ରାଜ୍ୟ ସରକାର ଚଳିତ ବର୍ଷ ଡିଜିପି ଡିସ୍କ ସମ୍ମାନରେ ସମ୍ମାନିତ କରିଥିଲେ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ସଠିକ୍ ତଦନ୍ତ ଓ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରି ସେ ରାଜ୍ୟ ସରକରଙ୍କ ଗୁଡବୁକ୍ ରେ ସ୍ଥାନ ପାଇଥିଲେ। ଯେଉଁଥି ପାଇଁ ସେ ଭୁବନେଶ୍ଵର ଭଳି ସହରର ଡିସିପି ହେଲେ ବୋଲି ଚର୍ଚ୍ଚା ହେଉଛି। ତେବେ ଭୁବନେଶ୍ୱରରେ ଡିସିପି ଭାବେ ଯୋଗ ଦେବାପରେ ତାଙ୍କ ପାଇଁ ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ଅପରାଧ,ଭିଭିଆଇପି ସୁରକ୍ଷା, ଟ୍ରାଫିକ,ସାଇବର ଅପରାଧ,ନିଶାମୁକ୍ତ ଭୁବନେଶ୍ଵର ଭଳି କେତେକ ଦିଗ ଚ୍ୟାଲେଞ୍ଜ ହେବ। ପ୍ରଥମ ଥର ପାଇଁ ସେ ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ନେଇ ସାମ୍ନା କରିବେ।
ଅନ୍ୟ ପକ୍ଷରେ ଡିସିପି ଭାବେ ଯୋଗ ଦେବା ପରେ ଭୁବନେଶ୍ଵର ପୋଲିସରେ ଇନସ୍ପେକ୍ଟର ସ୍ତରରେ ଏକ ବଡ ଧରଣର ଅଦଳବଦଳ ହେବ ବୋଲି ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି। ବ୍ରହ୍ମପୁରରୁ ଏବେ ଭୁବନେଶ୍ୱର । ଅର୍ଥାତ୍ ଜିଲ୍ଲା ସ୍ତରର ପୋଲିସିରୁ ରାଜ୍ୟର ରାଜଧାନୀର କମିସନରେଟ୍ ପୋଲିସର ଏକ ବଡ଼ ଦାୟିତ୍ୱ । ଏଠାରେ ଆଇନଶୃଙ୍ଖଳା ସହିତ ଟ୍ରାଫିକ୍, ସାଇବର ଅପରାଧ, ନିଶା କାରବାର, ଭିଡ଼ ନିୟନ୍ତ୍ରଣ, ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ସୁରକ୍ଷା ଏବଂ VIP ସୁରକ୍ଷା ଭଳି ଅନେକ ଦାୟିତ୍ୱ ତାଙ୍କ ସାମ୍ନାରେ ରହିବ ।
ବିଶେଷକରି ପର୍ବପର୍ବାଣୀ ସମୟରେ ରାଜଧାନୀରେ ପୋଲିସ୍ ପାଇଁ ଚ୍ୟାଲେଞ୍ଜ ବଢ଼ିଥାଏ । ଦୁର୍ଗାପୂଜା ଭଳି ବଡ଼ ପର୍ବ ସମୟରେ ଟ୍ରାଫିକ୍ ନିୟନ୍ତ୍ରଣଠାରୁ ଆରମ୍ଭ କରି ଭିଡ଼ ପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା ପର୍ଯ୍ୟନ୍ତ ବ୍ୟାପକ ପୋଲିସ୍ ବ୍ୟବସ୍ଥା ଆବଶ୍ୟକ ହୋଇଥାଏ । ନୂଆ DCPଙ୍କ ଦାୟିତ୍ୱ ଗ୍ରହଣ ପରେ ଏସବୁ ଦିଗ ଉପରେ ନଜର ରହିବ । ଅନ୍ୟପଟେ ଭୁବନେଶ୍ୱରରେ ବଢ଼ୁଥିବା ସାଇବର ଅପରାଧ ମଧ୍ୟ ପୋଲିସ୍ ପାଇଁ ଏକ ବଡ଼ ପରୀକ୍ଷା ।
ଅନଲାଇନ୍ ଠକେଇ,ଡିଜିଟାଲ୍ ଅପରାଧ ଏବଂ ସହରରେ ବିଭିନ୍ନ ପ୍ରକାରର ଅପରାଧକୁ ନେଇ ନୂଆ DCPଙ୍କ ରଣନୀତି ଉପରେ ନଜର ରହିବ । ଏହା ସହିତ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ତାଙ୍କ ପାଇଁ ଏକ ମୁଖ୍ୟ କ୍ଷେତ୍ର ହେବ । ରାଜଧାନୀର ମୁଖ୍ୟ ରାସ୍ତାରେ ଯାତାୟାତ ଚାପ,ଦୁର୍ଘଟଣା ନିୟନ୍ତ୍ରଣ, ଅବୈଧ ପାର୍କିଂ ଓ ଟ୍ରାଫିକ୍ ନିୟମ ପାଳନ ଭଳି ବିଷୟରେ ତାଙ୍କ ନେତୃତ୍ୱ କେମିତି ରହିବ, ତାହା ଉପରେ ସହରବାସୀଙ୍କ ନଜର ରହିବ । ସବୁଠାରୁ ବଡ଼ କଥା ହେଉଛି, ଭୁବନେଶ୍ୱର ହେଉଛି ରାଜ୍ୟର ରାଜଧାନୀ ।
ଏଠାରେ ବିଧାନସଭା, ସଚିବାଳୟ, ରାଜଭବନ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନ ରହିଛି । ତେଣୁ ସାଧାରଣ ଆଇନଶୃଙ୍ଖଳା ସହିତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟ DCPଙ୍କ ଦାୟିତ୍ୱର ଏକ ଅଂଶ ହେବ । ଏପଟେ ନୂଆ DCPଙ୍କ ନିଯୁକ୍ତି ସହିତ କମିସନରେଟ୍ ପୋଲିସରେ ଆଗକୁ ଆହୁରି କିଛି ପ୍ରଶାସନିକ ପରିବର୍ତ୍ତନ ହେବ କି ନାହିଁ, ତାହା ନେଇ ମଧ୍ୟ ଚର୍ଚ୍ଚା ରହିଛି ।