
ବିଶ୍ୱକର୍ମା ପୂଜା ମଣ୍ଡପରେ ଆଧୁନିକ ଟେକ୍ନୋଲୋଜିର ନିଆରା ଝଲକ। ଭକ୍ତଙ୍କୁ ପ୍ରସାଦ ଦେଉଛି ରୋବଟ୍, ମଥାରେ ଲଗାଉଛି ତିଲକ। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସହରରେ। ମହାରଣା ଗ୍ଲାସ୍ ହାଉସ୍ ପକ୍ଷରୁ ଆୟୋଜିତ ବିଶ୍ୱକର୍ମା ପୂଜାରେ AI ସଚେତନତାକୁ ନେଇ ପ୍ରସ୍ତୁତ ହୋଇଛି ଆକର୍ଷଣୀୟ ମଣ୍ଡପ। ଆଉ ଏହାର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଦୁଇଟି ରୋବଟ୍।ଗୋଟିଏ ପଟେ ଭଗବାନ ବିଶ୍ୱକର୍ମାଙ୍କ ଆରାଧନା, ଅନ୍ୟପଟେ ଆଧୁନିକ ଟେକ୍ନୋଲୋଜିର ଚମକ। ପରମ୍ପରା ସହ ପ୍ରଯୁକ୍ତିର ଏଭଳି ଅପୂର୍ବ ମିଳନ ଏବେ ସେମିଳିଗୁଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଛି। ମହାରଣା ଗ୍ଲାସ୍ ହାଉସ୍ର ବିଶ୍ୱକର୍ମା ପୂଜା ମଣ୍ଡପକୁ ଏଥର ଏକ ନିଆରା ଥିମ୍ରେ ସଜାଯାଇଛି। ଥିମ୍ ରହିଛି,ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI। ଦିନକୁ ଦିନ ମଣିଷର ଜୀବନରେ AIର ବ୍ୟବହାର ବଢ଼ୁଛି। ଶିକ୍ଷାଠାରୁ ସ୍ୱାସ୍ଥ୍ୟସେବା,ବ୍ୟବସାୟଠାରୁ ଯୋଗାଯୋଗ,ବିଭିନ୍ନ କ୍ଷେତ୍ରରେ ନୂଆ ପ୍ରଯୁକ୍ତିର ପ୍ରଭାବ ଦେଖିବାକୁ ମିଳୁଛି। ଏହି ପରିବର୍ତ୍ତନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାର ବାର୍ତ୍ତା ନେଇ ତିଆରି ହୋଇଛି ଏହି ମଣ୍ଡପ।

ତେବେ ମଣ୍ଡପରେ ସମସ୍ତଙ୍କ ପାଲଟିଛନ୍ତି ଦୁଇଟି ରୋବଟ୍। ହାତରେ ପ୍ରସାଦ ଥାଳି ଓ ତିଲକ ନେଇ ଭକ୍ତଙ୍କ ନିକଟକୁ ପହଞ୍ଚୁଛନ୍ତି ଏହି ରୋବଟ୍। ଭକ୍ତଙ୍କୁ ପ୍ରସାଦ ଦେବା ସହ ତିଲକ ଲଗାଉଛନ୍ତି। ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହା ପାଲଟିଛି ଏକ ନୂଆ ଅନୁଭୂତି।

ବିଶେଷକରି ରୋବଟ୍କୁ ନିକଟରୁ ଦେଖିବା ଓ ସେମାନଙ୍କ ହାତରୁ ପ୍ରସାଦ ନେବା ପାଇଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସାହ। ପୂଜା ମଣ୍ଡପରେ ରୋବଟ୍ର ଏଭଳି ବ୍ୟବହାର ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ପ୍ରଯୁକ୍ତି କିଭଳି ଆମ ଜୀବନର ଆହୁରି ନିକଟତର ହୋଇପାରେ, ତାହାର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଆୟୋଜକଙ୍କ ଉଦ୍ଦେଶ୍ୟ କେବଳ ଆକର୍ଷଣୀୟ ସାଜସଜ୍ଜା ନୁହେଁ, AIକୁ ନେଇ ସଚେତନତା ସୃଷ୍ଟି କରିବା। ପ୍ରଯୁକ୍ତି ଦ୍ରୁତଗତିରେ ବଦଳୁଥିବା ବେଳେ ଏହାର ସଠିକ୍ ବ୍ୟବହାର ଏବଂ ଭବିଷ୍ୟତରେ ଏହାର ଭୂମିକା ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ଏଭଳି ପ୍ରୟାସ କରାଯାଇଛି।
ପରମ୍ପରାର ପର୍ବରେ ଟେକ୍ନୋଲୋଜିର ଛୁଆଁ। ବିଶ୍ୱକର୍ମାଙ୍କ ପୂଜା ସାଙ୍ଗକୁ AI ସଚେତନତାର ବାର୍ତ୍ତା। ଆଉ ଭକ୍ତଙ୍କୁ ପ୍ରସାଦ ଓ ତିଲକ ଦେଉଥିବା ରୋବଟ୍। ଏହି ନିଆରା ଆୟୋଜନ ପାଇଁ ସେମିଳିଗୁଡ଼ାର ମହାରଣା ଗ୍ଲାସ୍ ହାଉସ୍ର ପୂଜା ମଣ୍ଡପ ଏବେ ସ୍ଥାନୀୟ ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ପାଲଟିଛି।