ପୁରୀର ସମସ୍ତ ଟାଙ୍କିରେ ପେଟ୍ରୋଲ-ଡିଜେଲ ମହଜୁଦ, କିନ୍ତୁ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍

ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି, କିନ୍ତୁ ତେଲ ଅଭାବ ନାହିଁ । ପୁରୀ ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ଆଜି ସକାଳୁ ଗାଡ଼ି ଚାଳକଙ୍କ ଭିଡ଼ ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ପେଟ୍ରୋଲ ଏବଂ ଡିଜେଲ ନେଉଥିବା ଦେଖାଯାଇଛି । ତେବେ ପରିସ୍ଥିତିକୁ ନେଇ ଭୟ କିମ୍ବା ଗୁଜବର କୌଣସି ଆବଶ୍ୟକତା ନଥିବା କହିଛନ୍ତି ପମ୍ପ କର୍ମଚାରୀ । ସହରର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଥିବା ସେମାନେ ସ୍ପଷ୍ଟ କରିଛନ୍ତି ।

ପମ୍ପ କର୍ମଚାରୀଙ୍କ କହିବା ଅନୁଯାୟୀ, ସାଧାରଣ ଲୋକଙ୍କ ମଧ୍ୟରେ ଅଭାବ ନେଇ ଭ୍ରାନ୍ତି ସୃଷ୍ଟି ହେବାରୁ ହଠାତ୍ ଭିଡ଼ ବଢ଼ିଛି । ଅନେକ ଲୋକ ଆବଶ୍ୟକତାଠାରୁ ଅଧିକ ତେଲ ସଂଗ୍ରହ କରିବାକୁ ପମ୍ପକୁ ଆସୁଛନ୍ତି । ଏହାର ପରିଣାମରେ କେତେକ ସ୍ଥାନରେ ଲମ୍ବା ଲାଇନ୍ ଦେଖାଯାଉଛି । ତଥାପି ତେଲ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଥିବାରୁ ଲୋକଙ୍କୁ ଅଯଥା ଆତଙ୍କିତ ନହେବାକୁ ଅନୁରୋଧ କରାଯାଇଛି ।

ଅନ୍ୟପଟେ ଏହି ପରିସ୍ଥିତିର ସୁଯୋଗ ନେଇ କେତେକ ଅସାଧୁ ବେପାରୀ ସକ୍ରିୟ ହୋଇପଡ଼ିଛନ୍ତି । ପମ୍ପ ନିକଟରେ ବୋତଲ ଏବଂ ଜାରରେ ଅଧିକ ପରିମାଣରେ ପେଟ୍ରୋଲ କିଣି ଚଢ଼ା ଦାମରେ ବିକ୍ରି କରିବା ଚେଷ୍ଟା ଚାଲିଥିବା ଅଭିଯୋଗ ମିଳିଛି । କେତେକ ସ୍ଥାନରେ ଏମିତି ବେପାରୀମାନେ ଗ୍ରାହକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରି ଅଧିକ ଦାମରେ ତେଲ ବିକ୍ରି କରିବାକୁ ଯୋଜନା କରୁଥିବା କୁହାଯାଉଛି ।ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖାଯାଇଛି । ଅସାଧୁ ବେପାରୀଙ୍କ ବିରୋଧରେ କଠୋର ଯାଞ୍ଚ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ସତର୍କତା ବଢ଼ାଯାଇଛି । ସାଧାରଣ ଲୋକଙ୍କୁ ଅଫବାହରେ ବିଶ୍ୱାସ ନକରି ସାଧାରଣ ଭାବରେ ତେଲ କ୍ରୟ କରିବାକୁ ଅନୁରୋଧ କରାଯାଇଛି ।ପୁରୀ ସହରରେ ବର୍ତ୍ତମାନ ସମସ୍ତ ପେଟ୍ରୋଲ ପମ୍ପ ସ୍ୱାଭାବିକ ଭାବରେ ଚାଲୁଥିବା ବେଳେ, ତେଲ ଅଭାବ ନେଇ ଚାଲିଥିବା ଗୁଜବକୁ ନମାନିବା ପାଇଁ ପ୍ରଶାସନ ପକ୍ଷରୁ ପୁଣିଥରେ ସଚେତନ କରାଯାଇଛି।