ନେସ୍କୋ ଠିକା ଶ୍ରମିକ ସଙ୍ଘର ଯାଜପୁରରେ ବିଶାଳ ପ୍ରତିବାଦ, TPNODL ଛଟେଇ ନୋଟିସ ବିରୋଧରେ ଉତ୍ତେଜନା

ନେସ୍କୋ ଓଡ଼ିଆ ଠିକା ଶ୍ରମିକ ସଙ୍ଘ ପକ୍ଷରୁ ଶ୍ରମିକ ଛଟେଇ ବିରୋଧରେ ଚାଲିଥିବା ରାଜ୍ୟବ୍ୟାପୀ ଆନ୍ଦୋଳନର ପ୍ରଭାବ ଯାଜପୁରରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ସକାଳ 10ଟା ସମୟରେ ଧବଳଗିରି ଅଞ୍ଚଳରେ ପରିସ୍ଥିତି ଗରମ ହୋଇଉଠିଥିଲା। ଶ୍ରମିକ ନେତା ତଥା ଜନତା କଂଗ୍ରେସ ଆବାହକ ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଠିକା ଶ୍ରମିକ ଧବଳଗିରି ସ୍ଥିତ TTSS କଲୋନୀ ପାଖରୁ ଏକ ବିଶାଳ ପ୍ରତିବାଦ ସୋଭାଯାତ୍ରା କରିଥିଲେ।ପ୍ରତିବାଦକାରୀମାନେ ସେଠାରୁ ଯାଜପୁରର TPNODL ର SE ଅଫିସ ପର୍ଯ୍ୟନ୍ତ ମାର୍ଚ୍ଚ କରି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ଶ୍ରମିକମାନେ କହିଛନ୍ତି ଯେ, ବର୍ଷବର୍ଷ ଧରି ଦିନ-ରାତି ଏକ କରି ପରିବାରଠାରୁ ଦୂରେଇ ଉପଭୋକ୍ତାଙ୍କୁ 24 ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଆସୁଥିବା ଠିକା ଶ୍ରମିକଙ୍କ ପ୍ରତି କମ୍ପାନୀର ଏଭଳି ଛଟେଇ ନିଷ୍ପତ୍ତି “ବୈମାତୃକ” ଓ ଅନ୍ୟାୟମୂଳକ।

ଆନ୍ଦୋଳନକାରୀମାନେ TPNODL କମ୍ପାନୀର ଏହି ନୀତିକୁ ତୀବ୍ର ନିନ୍ଦା କରିବା ସହ ଆଗାମୀ 30 ତାରିଖରେ ଜାରି କରାଯାଇଥିବା ଛଟେଇ ନୋଟିସକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ଓ ଭୟାବହ ହେବ ବୋଲି ସେମାନେ ସତର୍କ କରିଛନ୍ତି।ଶେଷରେ ଆନ୍ଦୋଳନକାରୀମାନେ SE ଅଫିସ ମାଧ୍ୟମରେ CEOଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ସମାଧାନ ପାଇଁ ଆହ୍ୱାନ କରିଥିଲେ।