ନିୟନ୍ତ୍ରଣ ହରାଇ ଦୋକାନକୁ ଧକ୍କା ଦେଲା ଗାଡ଼ି, ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାନାଡୁଙ୍ଗୁରି ଗାଁରେ ଆଜି ଭୋର ସମୟରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ରାଇରଙ୍ଗପୁରରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ଏକ ଚାରିଚକିଆ ମାଲବାହୀ ଗାଡ଼ି ନମ୍ବର JH-05EH-8459 ଅତ୍ୟଧିକ ଦ୍ରୁତ ଗତିରେ ଆସି ଏକ ଦୋକାନ ଘରକୁ ପଶିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ୨୨୦ ନମ୍ବର ଜାତୀୟ ରାଜପଥ ପାଖରେ ବସବାସ କରୁଥିବା ଛବି ରାଣୀ ଦତ୍ତ ନାମକ ମହିଳା ଏକ ଛୋଟ ଦୋକାନ କରି ପରିବାର ପୋଷଣ କରୁଥିଲେ। ପ୍ରତିଦିନ ଭଳି ଆଜି ମଧ୍ୟ ସେ ଭୋରୁ ଦୋକାନ ଖୋଲି ସାମ୍ନାରେ ଝାଡୁ ମାରୁଥିବା ବେଳେ ଦ୍ରୁତଗାମୀ ମାଲବାହୀ ଗାଡ଼ିଟି ନିୟନ୍ତ୍ରଣ ହରାଇ ଦୋକାନ ଭିତରକୁ ପଶିଯାଇଥିଲା। ଏଥିରେ ଛବି ରାଣୀ ଦତ୍ତଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ଗାଡ଼ି ଚାଳକ ଘଟଣାସ୍ଥଳରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ବହଳଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି।ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତି କହିଛନ୍ତି, “ପୋଲିସ ଘଟଣାର ତଦନ୍ତ କରୁଛି। ଖୁବ୍ ଶୀଘ୍ର ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।”