ଟିକାବାଲି ନିକଟରେ ଅଘଟଣ: ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା କାର୍

କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଛତିଝର ନିକଟରେ ଏକ ଭୟାବହ ଅଘଟଣ ଘଟିଯାଇଛି। ରାଜପଥ ଉପରେ ଚଳନ୍ତା କାର୍‌ରେ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏକ କାର୍ ବିଶାଖାପାଟଣାରୁ ଅନୁଗୁଳ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ଗାଡ଼ି ଭିତରୁ ଧୂଆଁ ବାହାରିଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା ଏବଂ ପୂରା କାର୍‌ଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା।

ସୌଭାଗ୍ୟବଶତଃ, ଗାଡ଼ିରେ ଥିବା ୫ ଜଣ ଯାତ୍ରୀ ସମୟ ପୂର୍ବରୁ ବାହାରକୁ ବାହାରି ଆସିବାରୁ ଏକ ବଡ଼ ଧରଣର ବିପଦ ଟଳିଯାଇଛି। ଖବର ପାଇ ଟିକାବାଲି ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଛତିଝର ନିକଟରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଥିଲେ।

ଏହି ଅଘଟଣ ଯୋଗୁଁ ଫୁଲବାଣୀ-ବ୍ରହ୍ମପୁର ଜାତୀୟ ରାଜପଥରେ ଯାନବାହନ ଚଳାଚଳ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିବା ବେଳେ ପୋଲିସ ପକ୍ଷରୁ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ କରାଯାଉଛି।