ଝାରପଡ଼ା ପୂଜାମଣ୍ଡପରେ ବଲିଉଡ୍ ଷ୍ଟାର୍ ଗୋବିନ୍ଦାଙ୍କ ଜଲୱା ! ଗୋବିନ୍ଦାଙ୍କୁ ଦେଖିବାକୁ ପ୍ରଶଂସକଙ୍କ ଭିଡ଼ !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଲିଉଡ୍ ଷ୍ଟାର୍ ଗୋବିନ୍ଦାଙ୍କ ଜଲୱା। ଦୁର୍ଗାପୂଜା ଅବସରରେ ଝାରପଡ଼ା ପୂଜାମଣ୍ଡପରେ ପହଞ୍ଚିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଗୋବିନ୍ଦା। ଅଭିନେତାଙ୍କୁ ଦେଖିବା ପାଇଁ ପୂଜାମଣ୍ଡପରେ ଜମିଥିଲା ପ୍ରଶଂସକଙ୍କ ଭିଡ଼। ଗୋବିନ୍ଦାଙ୍କ ଉପସ୍ଥିତିରେ ଝାରପଡ଼ା ପୂଜା ଉତ୍ସବର ଆକର୍ଷଣ ଆହୁରି ବଢ଼ିଯାଇଥିଲା।

ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତା। ଏହାପରେ ସେ ଝାରପଡ଼ା ମେଳଣ ପଡ଼ିଆରେ ଆୟୋଜିତ ଦୁର୍ଗାପୂଜା ମହୋତ୍ସବରେ ସାମିଲ ହୋଇଥିଲେ। ପୂଜାମଣ୍ଡପରେ ମାଆ ଦୁର୍ଗାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ଗୋବିନ୍ଦା। ପରେ ମଞ୍ଚକୁ ଆସି ଉପସ୍ଥିତ ଦର୍ଶକମାନଙ୍କୁ ଅଭିବାଦନ ଜଣାଇଥିଲେ।

ଗୋବିନ୍ଦାଙ୍କ ମୁହଁରୁ ‘ଜୟ ଜଗନ୍ନାଥ’ ଶୁଣି ଦର୍ଶକଙ୍କ ମଧ୍ୟରେ ବଢ଼ିଯାଇଥିଲା ଉତ୍ସାହ। ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଲୋକମାନଙ୍କ ଭଲପାଇବାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ନିଜର ନିଆରା ନୃତ୍ୟଶୈଳୀ ଓ ହାସ୍ୟ ଅଭିନୟ ପାଇଁ ପରିଚିତ ଗୋବିନ୍ଦା ମଞ୍ଚରେ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।

ବିଶେଷ କରି ଗୋବିନ୍ଦାଙ୍କ ନୃତ୍ୟ ପରିବେଷଣ ଉତ୍ସବର ଅନ୍ୟତମ ଆକର୍ଷଣ ପାଲଟିଥିଲା। ତାଙ୍କ ସହ ଜଣେ ଓଲିଉଡ୍ ଅଭିନେତ୍ରୀ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ। ଏହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପସ୍ଥିତ ଦର୍ଶକମାନେ ଉପଭୋଗ କରିଥିଲେ।

ଚଳିତବର୍ଷ ଝାରପଡ଼ା ଦୁର୍ଗାପୂଜାରେ ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ପୌରାଣିକ ମନ୍ଦିର ଆକୃତିରେ ନିର୍ମିତ ଭବ୍ୟ ପୂଜାମଣ୍ଡପ ଦର୍ଶକଙ୍କୁ ଆକର୍ଷିତ କରୁଛି। ମାଆ ଦୁର୍ଗାଙ୍କ ସୁନ୍ଦର ପ୍ରତିମା ସହ ମଣ୍ଡପର ସାଜସଜ୍ଜା ପୂଜାର ଶୋଭା ବଢ଼ାଇଛି।

ଏପଟେ ଗୋବିନ୍ଦାଙ୍କ ଆଗମନକୁ ନେଇ ପୂଜା କମିଟିର ସଦସ୍ୟ ଓ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଧାର୍ମିକ ପରମ୍ପରା ସହ ବଲିଉଡ୍ ମନୋରଞ୍ଜନର ଏହି ମିଶ୍ରଣ ଝାରପଡ଼ା ଦୁର୍ଗାପୂଜାକୁ ଦେଇଥିଲା ଏକ ନିଆରା ଅନୁଭୂତି।