ଘର ନାହିଁ, ଗୁହାଳ ହିଁ ଆଶ୍ରୟ! ୨ ବର୍ଷ ହେଲା ଘର ପାଇଁ ଅପେକ୍ଷାରେ ମିନତି

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ଅଞ୍ଚଳରୁ ଆସିଛି ଏମିତି ଏକ ଚିତ୍ର, ଯାହା ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ମୁଣ୍ଡ ଉପରେ ଛାତ ନାହିଁ, ନିଜସ୍ୱ ଜମି ନାହିଁ। ଫଳରେ ଦୀର୍ଘ ପ୍ରାୟ ଦୁଇ ବର୍ଷ ଧରି ଘର ଖଣ୍ଡିଏ ପାଇଁ ଅପେକ୍ଷା କରିଛନ୍ତି ମିନତି ମଳିକ ଓ ତାଙ୍କ ସ୍ୱାମୀ ଲଛମନ ମଳିକ।ଲଛମନ ଜଣେ ଦିନମଜୁରିଆ। ଦିନେ କାମ କଲେ ପରିବାର ଚଳେ। ନିଜର ଘର ନାହିଁ କି ଜାଗା ନାହିଁ। ଏଭଳି ସ୍ଥିତିରେ ମିନତିଙ୍କ ପାଇଁ ଗାଈ ଗୁହାଳ ହିଁ ପାଲଟିଛି ଆଶ୍ରୟସ୍ଥଳ। ମଣିଷ ରହିବା ପାଇଁ ଘର ନଥିବାରୁ ଗୁହାଳ ଭିତରେ ଦିନ କାଟିବାକୁ ପଡ଼ୁଛି ତାଙ୍କୁ।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଜଣେ ଅସହାୟ ଓ ଗରିବ ପରିବାରର ଏଭଳି ଅବସ୍ଥା ସମ୍ପର୍କରେ ପ୍ରଶାସନ ଜାଣିଛି କି? ଯଦି ଜାଣିଛି, ତେବେ ଦୁଇ ବର୍ଷ ଧରି ଏହି ପରିବାରକୁ ଘର ମିଳିନାହିଁ କାହିଁକି? ସରକାରୀ ଆବାସ ଯୋଜନାର ସୁବିଧା ତାଙ୍କ ପାଖରେ କାହିଁକି ପହଞ୍ଚିପାରୁନାହିଁ?ପଟ୍ଟାମୁଣ୍ଡାଇ ବ୍ଲକରେ ଘରହୀନ ପରିବାରଙ୍କ ସମସ୍ୟା ନୂଆ ନୁହେଁ। ଜିଲ୍ଲାର ସରକାରୀ ତଥ୍ୟରେ ମଧ୍ୟ ଘରହୀନ ପରିବାର ଓ ଭୂମିହୀନ ପରିବାରର ଉପସ୍ଥିତି ଦର୍ଶାଯାଇଛି।

ତେବେ ମିନତିଙ୍କ ଭଳି ଜଣେ ମହିଳାଙ୍କୁ ଯଦି ଗୁହାଳରେ ରହିବାକୁ ପଡ଼ୁଛି, ତାହେଲେ ସରକାରୀ ଆବାସ ଯୋଜନା କାହା ପାଇଁ? ପ୍ରଶାସନର ଦୃଷ୍ଟି କେବେ ପଡ଼ିବ ଏହି ଅସହାୟ ପରିବାର ଉପରେ?

ଏଠି ମିନତିଙ୍କ ପ୍ରଶ୍ନ—“ଏଠି କାହାକୁ କହିବି, ଶୁଣିବ କିଏ?”

ଏବେ ଅପେକ୍ଷା, ପ୍ରଶାସନ କେବେ ଏହି ପରିବାରର ଦୁଃଖ ଶୁଣିବ ଏବଂ ମିନତିଙ୍କ ମୁଣ୍ଡ ଉପରେ ଏକ ପକ୍କା ଛାତ ଯୋଗାଇଦେବ।