କେସିଂପୁରରେ ଶ୍ରମିକଙ୍କ ଗର୍ଜନ: ଜମି, ଆବାସ ଓ ମଜୁରି ବୃଦ୍ଧି ଦାବି

ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ଏବଂ ସିପିଆଇ (ଏମଏଲ୍) ଲିବରେସନ ପକ୍ଷରୁ ରାୟଗଡ଼ା ଜିଲ୍ଲାର କେସିଂପୁର ବ୍ଲକରେ ବିଭିନ୍ନ ଜନକଲ୍ୟାଣମୂଳକ ଦାବି ନେଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଛି। ଶତାଧିକ କ୍ଷେତ ମଜଦୁର, ଗରିବ ଓ ଆଦିବାସୀ ପରିବାରର ସଦସ୍ୟମାନେ ଏହି ଆନ୍ଦୋଳନରେ ଯୋଗଦେଇ ନିଜ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ।ଆଜି ସକାଳେ କେସିଂପୁର ସ୍ଥିତ ଶିବ ବୃଦ୍ଧମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ବିଭିନ୍ନ ସ୍ଲୋଗାନ ଓ ବ୍ୟାନର ଧରି ସହର ପରିକ୍ରମା କରି ବନ ବିଭାଗ କାର୍ଯ୍ୟାଳୟ ଏବଂ କେସିଂପୁର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବିପତ୍ର ସମ୍ବଳିତ ଏକ ସ୍ମାରକପତ୍ର ପ୍ରଶାସନଙ୍କୁ ପ୍ରଦାନ କରିଥିଲେ।

ଆନ୍ଦୋଳନକାରୀମାନଙ୍କର ପ୍ରମୁଖ ଦାବି ମଧ୍ୟରେ ଲକ୍ଷ୍ମୀନଗର ସମେତ ବିଭିନ୍ନ ଗାଁର ଗରିବ ଲୋକଙ୍କୁ ଜଙ୍ଗଲ ଜମି ଓ ଘରଡିହ ପଟ୍ଟା ପ୍ରଦାନ, ମନରେଗା ଆଇନର ସଠିକ୍ କାର୍ଯ୍ୟକାରିତା, ଦୈନିକ ମଜୁରି ୭୦୦ ଟଙ୍କାକୁ ବୃଦ୍ଧି, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ସାମ୍ବିଧାନିକ ଅଧିକାର ଭାବେ କାର୍ଯ୍ୟକରୀ କରିବା, ବିଦ୍ୟୁତ ଓ ବିହନ ସମ୍ପର୍କିତ ଆଇନ ରଦ୍ଦ କରିବା, ପ୍ରତ୍ୟେକ ପରିବାରକୁ ମାଗଣା ୩୦୦ ୟୁନିଟ୍ ବିଦ୍ୟୁତ ଯୋଗାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା ସହ ଘରଡିହ ପଟ୍ଟା ପ୍ରଦାନ, ରାସନ କାର୍ଡଧାରୀଙ୍କୁ ୫୦ କିଲୋଗ୍ରାମ ଚାଉଳ ଯୋଗାଣ ଏବଂ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି ଆଦି ରହିଥିଲା।ଏହାସହ ନିୟମଗିରି ସୁରକ୍ଷା ମଞ୍ଚ କମିଟିର ସଭାପତି ଲଦ ସିକକାଙ୍କ ଉପରେ ହୋଇଥିବା ସମ୍ପତ୍ତି ବ୍ୟାରିଷ୍ଟ ଆଦେଶ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ ଗରିବ, ଶ୍ରମିକ ଓ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ନୀତି ପ୍ରତ୍ୟାହାର କରାଯାଉ ଏବଂ ସେମାନଙ୍କ ଜୀବନଯାପନକୁ ସୁରକ୍ଷିତ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।

ସଭାରେ ସଂଗଠନର ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗ, ରାମଚନ୍ଦ୍ର ପ୍ରାସ୍କା ଏବଂ କୈଳାସ ଶବର ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। ସେମାନେ କହିଥିଲେ ଯେ ଦୀର୍ଘଦିନ ଧରି ଗରିବ ଓ କ୍ଷେତ ମଜଦୁରମାନଙ୍କ ସମସ୍ୟା ଅବହେଳିତ ହୋଇଆସୁଛି, ଯାହାର ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ପ୍ରାସ୍କା, କୈଳାସ ଶବର, ଅନିରୁଦ୍ଧ ନିଶିକା, ସୁନ୍ଦୁରୁ ମିଣିଆକା, ଗୁରୁନାଥ ବାଗିରିଆ, ଚୈତନ୍ୟ ଗରଡିଆ, ଦେବେନ୍ଦ୍ର ଲାବାଲା, ଆଚାନା ମଣ୍ଡାଗିଂ, ରୂପଲି ପ୍ରାସ୍କା, ମୂର୍ତ୍ତି ମିଣିଆକା, ରାଉଉରାଇ କୋଶଲୟ, ସମିୟା ହିକକାଙ୍କ ସମେତ ବହୁ ସଂଖ୍ୟକ ଶ୍ରମିକ ଓ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ।ଶେଷରେ, ଦାବିଗୁଡ଼ିକ ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଥିଲା।