ସଙ୍ଗୀତ ଦୁନିଆର ବାଦଶାହା ମାଇକେଲ୍ ଜ୍ୟାକସନ୍ କେବଳ ଜଣେ କଳାକାର ନଥିଲେ, ବରଂ ସେ ଥିଲେ ସାରା ବିଶ୍ୱର ଜଣେ ମହାନ ପପ୍ ଆଇକନ୍। ତାଙ୍କର ‘ମୁନ୍ ୱାକ୍’ ନୃତ୍ୟ ଏବଂ ‘ଥ୍ରୀଲର୍’ ଭଳି ସୁପରହିଟ୍ ଆଲବମ୍ ସଙ୍ଗୀତ ଇତିହାସକୁ ଏକ ନୂଆ ରୂପ ଦେଇଥିଲା। କିନ୍ତୁ ଏହି ବିପୁଳ ସଫଳତା ଓ ଚମକ ପଛରେ ଏକ ଅନ୍ଧକାରମୟ କାହାଣୀ ମଧ୍ୟ ରହିଛି, ଯାହା ତାଙ୍କ ମୃତ୍ୟୁର ଦୀର୍ଘ ବର୍ଷ ପରେ ବି ଚର୍ଚ୍ଚାରେ ରହିଛି। ଆଜି ବି ସବୁଠାରୁ ବଡ଼ ପ୍ରଶ୍ନ ଉଠେ- ମାଇକେଲ୍ ପ୍ରକୃତରେ ଶିଶୁମାନଙ୍କୁ ଭଲ ପାଉଥିଲେ ନା ନିଜର ଶିକାର ବନାଉଥିଲେ?

ମାଇକେଲ୍ ଜ୍ୟାକସନ୍ଙ୍କ ବାସଭବନ ‘ନେଭରଲ୍ୟାଣ୍ଡ୍ ରାଞ୍ଚ’ କୌଣସି ସ୍ୱପ୍ନର ସହରଠାରୁ କମ୍ ନଥିଲା, ଯେଉଁଠାରେ ଚିଡିଆଖାନା, ପାର୍କ ଏବଂ ଖେଳନାଗାଡ଼ିର ସମାହାର ଥିଲା। ଜ୍ୟାକସନ୍ ସର୍ବଦା କହୁଥିଲେ ଯେ ସେ ନିଜର ପିଲାଦିନକୁ ହରାଇଛନ୍ତି, ତେଣୁ ସେ ଶିଶୁମାନଙ୍କ ଗହଣରେ ସମୟ ବିତାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ଆଳରେ କିଛି ଭୟଙ୍କର ଅଭିଯୋଗ ସାମ୍ନାକୁ ଆସିଥିଲା: ଜଣେ ୧୩ ବର୍ଷର ନାବାଳକ ପ୍ରଥମ ଥର ପାଇଁ ଜ୍ୟାକସନ୍ଙ୍କ ବିରୋଧରେ ଯୌନ ନିର୍ଯାତନାର ସାଙ୍ଘାତିକ ଅଭିଯୋଗ ଆଣିଥିଲେ, ଯାହା ପରବର୍ତ୍ତୀ ସମୟରେ କୋର୍ଟ ବାହାରେ ବିପୁଳ ଅର୍ଥ ବିନିମୟରେ ସମାଧାନ ହୋଇଥିଲା। ସମାନ ଅଭିଯୋଗରେ ୨୦୦ ପ୍ରମାଣ ଅଭାବରୁ ଅଦାଲତ ତାଙ୍କୁ ଦୋଷମୁକ୍ତ କରିଥିଲେ। ଜ୍ୟାକସନ୍ ସବୁବେଳେ ଏହାକୁ ଅର୍ଥ ଲୋଭୀ ଲୋକଙ୍କର ଏକ ଷଡ଼ଯନ୍ତ୍ର ବୋଲି କହୁଥିଲେ।
୨୦୦୯ରେ ମାଇକେଲ୍ଙ୍କ ମୃତ୍ୟୁ ପରେ ବିବାଦ ଥମିଯିବ ବୋଲି ଆଶା କରାଯାଉଥିଲା, କିନ୍ତୁ ୨୦୧୯ରେ ରିଲିଜ୍ ହୋଇଥିବା ଡକ୍ୟୁମେଣ୍ଟାରୀ ‘ଲିଭିଂ ନେଭରଲ୍ୟାଣ୍ଡ୍’ ପୁଣି ଥରେ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା।
ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ୱେଡ୍ ରବସନ ଏବଂ ଜେମ୍ସ ସେଫଚକ୍ ନାମକ ଦୁଇଜଣ ବ୍ୟକ୍ତି ଦାବି କରିଥିଲେ ଯେ, ପିଲାଦିନେ ମାଇକେଲ୍ ସେମାନଙ୍କୁ ବର୍ଷ ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ଏହି ଖୁଲାସା ପରେ ଅନେକ ଦେଶରେ ତାଙ୍କ ଗୀତ ପ୍ରସାରଣ ଉପରେ ରୋକ୍ ଲଗାଯାଇଥିଲା।