
ଆଜି ପବିତ୍ର ନୀଳାଦ୍ରି ବିଜେ। ଶ୍ରୀଗୁଣ୍ଡିଚା ଯାତ୍ରାର ସମାପନ ପର୍ବ ତଥା ରଥଯାତ୍ରାର ଶେଷ ଦିନ। ଆଜି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ପୁଣିଥରେ ଶ୍ରୀମନ୍ଦିରର ରତ୍ନସିଂହାସନକୁ ବିଜେ କରିବେ।
କିନ୍ତୁ ନୀଳାଦ୍ରି ବିଜେର ସବୁଠାରୁ ଆକର୍ଷଣୀୟ ଏବଂ ଭାବପୂର୍ଣ୍ଣ ପରମ୍ପରା ହେଉଛି ମହାଲକ୍ଷ୍ମୀଙ୍କ ମାନଭଞ୍ଜନ। କଥା ଅଛି, ରଥଯାତ୍ରାକୁ ଯିବାବେଳେ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ସେ ଅଭିମାନ କରିଥାନ୍ତି। ସେହି ଅଭିମାନ ଦୂର କରିବା ପାଇଁ ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଅର୍ପଣ କରନ୍ତି। ଏହାପରେ ମହାଲକ୍ଷ୍ମୀ ପ୍ରସନ୍ନ ହୋଇ ଶ୍ରୀମନ୍ଦିରର ଦ୍ୱାର ଖୋଲିଦିଅନ୍ତି ଏବଂ ମହାପ୍ରଭୁଙ୍କ ରତ୍ନସିଂହାସନ ବିଜେର ପଥ ପ୍ରଶସ୍ତ ହୁଏ।
ଏହି ପରମ୍ପରା କେବଳ ଧାର୍ମିକ ଆଚାର ନୁହେଁ, ବରଂ ପ୍ରେମ, ସମ୍ମାନ, କ୍ଷମା ଓ ପାରିବାରିକ ସମ୍ପର୍କର ଏକ ଚିରନ୍ତନ ବାର୍ତ୍ତା ବହନ କରେ। ସେଥିପାଇଁ ନୀଳାଦ୍ରି ବିଜେକୁ ନେଇ ଭକ୍ତମାନଙ୍କ ମଧ୍ୟରେ ରହିଥାଏ ଅପାର ଉତ୍ସାହ ଓ ଭକ୍ତିଭାବ।ଆଜି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ନୀତିକାନ୍ତି ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଓ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ରସଗୋଲାର ମଧୁରତାରେ ଆଜି ଭାଙ୍ଗିବ ମହାଲକ୍ଷ୍ମୀଙ୍କ ଅଭିମାନ, ଆଉ ରତ୍ନସିଂହାସନକୁ ବିଜେ କରିବେ କାଳିଆ ସାଆନ୍ତ। ଏହା ସହିତ ପବିତ୍ର ରଥଯାତ୍ରା ମହୋତ୍ସବର ପରିସମାପ୍ତି ଘଟିବ।