କିଙ୍ଗ୍ କୋହଲିଙ୍କ ଜନ୍ମଦିନରେ ନିଆରା ଶୁଭେଚ୍ଛା। ରଙ୍ଗ କି ତୂଳୀ ନୁହେଁ, ଡିବିରି ଧୂଆଁରେ ଆଙ୍କିଲେ ବିରାଟ କୋହଲିଙ୍କ ଚିତ୍ର। ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା କ୍ରିକେଟ୍ ପ୍ରେମୀଙ୍କ ପ୍ରିୟ କିଙ୍ଗ୍ କୋହଲିଙ୍କ ଜନ୍ମଦିନ ଅବସରରେ ଏଭଳି ନିଆରା ଉପହାର ଦେଇଛନ୍ତି କଟକର ସ୍ମୋକ୍ ଆର୍ଟିଷ୍ଟ ଦୀପକ ବିଶ୍ୱାଳ।
ନଭେମ୍ବର ୫ ତାରିଖରେ ବିରାଟ କୋହଲିଙ୍କ ଜନ୍ମଦିନ। ଏହି ଅବସରରେ ଦେଶବିଦେଶରୁ କୋହଲିଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। କିଏ ସୋସିଆଲ୍ ମିଡିଆରେ ଫଟୋ ସେୟାର କରୁଛନ୍ତି ତ ଆଉ କିଏ କେକ୍ କାଟି ନିଜ ପ୍ରିୟ କ୍ରିକେଟରଙ୍କ ଜନ୍ମଦିନ ପାଳନ କରୁଛନ୍ତି। ହେଲେ ଏସବୁ ଭିତରେ କଟକର ଶିଳ୍ପୀ ଦୀପକ ବିଶ୍ୱାଳଙ୍କ ଶୁଭେଚ୍ଛା ଟିକେ ନିଆରା।
ଡିବିରିରୁ ବାହାରୁଥିବା ଧୂଆଁର କଳା ଆସ୍ତରଣକୁ ନିଜ କଳାର ମାଧ୍ୟମ କରିଛନ୍ତି ଦୀପକ। ଏହି ସ୍ୱତନ୍ତ୍ର କଳାକୃତି ମାଧ୍ୟମରେ ସେ ବିରାଟ କୋହଲିଙ୍କ ପ୍ରତିଛବି ପ୍ରସ୍ତୁତ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

କ୍ରିକେଟ୍ ପଡ଼ିଆରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ, ଦୃଢ଼ ମନୋବଳ ଓ ରେକର୍ଡ ପାଇଁ ବିରାଟ କୋହଲି ସାରା ବିଶ୍ୱରେ ପରିଚିତ। ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିବା କୋହଲି ଆଜି ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି।
କୋହଲିଙ୍କ ପ୍ରତି ଥିବା ଭଲପାଇବା ଓ ସମ୍ମାନକୁ ନିଜର ଚିତ୍ରକଳା ମାଧ୍ୟମରେ ପ୍ରକାଶ କରିଛନ୍ତି ଦୀପକ। ଧୂଆଁର କଳା ଆସ୍ତରଣରୁ କୋହଲିଙ୍କ ମୁହଁର ଆକୃତି ଫୁଟାଇବା ଏହି କଳାକୃତିର ବିଶେଷତ୍ୱ। ଏଥିରେ କେବଳ ଜଣେ କ୍ରିକେଟରଙ୍କ ପ୍ରତି ଶୁଭେଚ୍ଛା ନୁହେଁ, ବରଂ ଜଣେ ଓଡ଼ିଆ ଶିଳ୍ପୀଙ୍କ ସୃଜନଶୀଳତା ମଧ୍ୟ ପ୍ରତିଫଳିତ ହୋଇଛି।
ବିରାଟ କୋହଲିଙ୍କ ପାଇଁ ତାଙ୍କ ପ୍ରଶଂସକମାନେ ବିଭିନ୍ନ ଢଙ୍ଗରେ ଭଲପାଇବା ପ୍ରକାଶ କରୁଥିବା ବେଳେ କଟକର ଦୀପକ ବିଶ୍ୱାଳଙ୍କ ଏହି ଧୂଆଁ ଚିତ୍ରକଳା ଏକ ସ୍ୱତନ୍ତ୍ର ପ୍ରୟାସ।