୮୨ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗକଲେ ବରିଷ୍ଠ ବିଜେଡି ନେତା ଡା. ଦାମ ରାଉତ

ଓଡିଶା ରାଜନୀତିର ପିତାମହ କୁହାଯାଉଥିବା ପାରାଦ୍ବୀପ, ଏରସମାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆଉ ନାହାନ୍ତି। ଶୁକ୍ରବାର ସକାଳେ ସେ ଶେଷ ନିଶ୍ବାସ ତ୍ୟାଗକରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଦାମଙ୍କ ମୃତ୍ୟୁନେଇ ସୂଚନା ଦେଇଛନ୍ତି ପୁତ୍ର, ବିଧାୟକ ସମ୍ବିତ ରାଉତରାୟ। ଗତ ୧୮ ତାରିଖରେ ହଠାତ୍ ତାଙ୍କ ବ୍ରେନ ଡେଡ ହୋଇଥିଲା, ଚିକିତ୍ସିତ ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଥିବା କହିଛନ୍ତି ସମ୍ବିତ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ବେଳକୁ ପାରାଦୀପ ସମେତ ଏରସମା ଓ ସାରା ରାଜ୍ୟରେ ଖେଳିଯାଇଛି ଶୋକର ଲହରୀ।

ତାଙ୍କ ଶେଷ ଦର୍ଶନ ପାଇଁ ହସ୍ପିଟାଲଠୁ ଆରମ୍ଭ କରି ସରକାରୀ ବାସଭବନରେ ଦେଖିବାକୁ ମିଳିଛି ପ୍ରବଳ ଭିଡ। ଆଜି ତାଙ୍କ ମରଶରୀରକୁ ତାଙ୍କର ପୂର୍ବ କର୍ମସ୍ଥଳୀ ଏରସମା ଓ ପାରାଦ୍ବୀପ ନେବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପାଦନ କରାଯିବ। ଦାମଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେଡି ସମେତ ବିରୋଧୀ ଦଳର ରାଜନେତା ଦୁଃଖ ବ୍ୟକ୍ତ କରିଛନ୍ତି ଓ ତାଙ୍କ ସ୍ମୃତିଚାରଣ କରିଛନ୍ତି।

୧୯୪୨ ଜୁଲାଇ ୨ ତାରିଖରେ ଦାମରାଉତ ଜଗତସିଂହପୁର ମଲ୍ଲିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପେସାରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ରାଜନୀତିରେ ପାଦଥାପିଥିଲେ। ବିଜୁବାବୁଙ୍କ ମୃତ୍ୟୁପରେ ବିଜେଡି ପ୍ରତିଷ୍ଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ୧୯୭୭ରେ ଜନତା ପାର୍ଟି, ୧୯୮୦ରେ ଜନତା ପାର୍ଟି ସେକୁଲାର, ୧୯୯୦ରେ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ, ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ୨୦୦୦ରୁ ୨୦୧୪ ମଧ୍ୟରେ ବିଜୁ ଜନତା ଦଳରୁ ପ୍ରଥମ ଦୁଇ ଥର ଏରସମାରୁ ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ୨ ଥର ପାରାଦୀପରୁ ନିର୍ବାଚିତ ହୋଇଥିଲେ। ବିଭିନ୍ନ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ମନ୍ତ୍ରୀଭାବେ ଦକ୍ଷତାର ସହ ଦାୟିତ୍ବ ସମ୍ପାଦନ କରି ଥିଲେ।

ଦାମ ତାଙ୍କ ରୋକଠୋକ କଥା ପାଇଁ ରାଜ୍ୟବ୍ୟାପୀ ପରିଚିତ ଥିଲେ। କିନ୍ତୁ ୨୦୧୮ରେ ସରକାର ବିରୋଧରେ ବୟାନ ଦେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ପରେ ସେ ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ଅଳ୍ପ ଦିନରେ ସେ ବିଜେପି ଛାଡିଦେଇଥିଲେ। ଏହାପରେ ଅଧିକାଂଶ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ସେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ। ତେବେ ଗତ ଜାନୁଆରୀ ୧ ତାରିଖରେ ତାଙ୍କୁ ପୁଣି ଦଳରେ ସାମିଲ କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ଦାମ ତାଙ୍କ ସ୍ପଷ୍ଟବାଦିତା, ଜନପ୍ରିୟତା, ଓ ବିଚକ୍ଷଣ ବୁଦ୍ଧିମତାକୁ ନେଇ ଓଡିଶା ରାଜନୀତିରେ ଚିରସ୍ମରଣୀୟ ହୋଇ ରହିବେ।

Leave a Reply

Your email address will not be published. Required fields are marked *