Train Accident : ସ୍ପେନରେ ମୃତ୍ୟୁର ତାଣ୍ଡବ ! ଦୁଇ ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଭୟଙ୍କର ଧକ୍କା, ୬୮ ମୃତ !

ସ୍ପେନରୁ ଆସିଛି ଛାତିଥରା ରେଳ ଦୁର୍ଘଟଣାର ଖବର। ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ହୋଇଛି ଭୟଙ୍କର ଧକ୍କା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅତି କମ୍‌ରେ ୬୮ ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।

ସ୍ପେନର କେନ୍ଦ୍ରୀୟ ଟୋଲେଡୋ ପ୍ରଦେଶର ଉର୍ଦା ନିକଟରେ ବୁଧବାର ସକାଳେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ସୂଚନା ଅନୁସାରେ, ମାଦ୍ରିଦରୁ ସେଭିଲ୍ ଅଭିମୁଖେ ଯାଉଥିବା ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରୁ ଗୋଟିଏ ରେଳଧାରଣାରେ ଅଟକି ରହିଥିଲା। ଏହି ସମୟରେ ପଛରୁ ଆସୁଥିବା ଅନ୍ୟ ଏକ ଦ୍ରୁତଗାମୀ ଟ୍ରେନ୍ ଏହାକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରେନ୍‌ର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଥିଲା। କିଛି ବଗି ରେଳଧାରଣା ତଳକୁ ଖସିପଡ଼ିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ସୃଷ୍ଟି ହୋଇଥିଲା ଭୟଙ୍କର ପରିସ୍ଥିତି। ଚାରିଆଡ଼େ ଶୁଭୁଥିଲା ଆହତ ଯାତ୍ରୀଙ୍କ ଚିତ୍କାର। କିଏ ନିଜ ପରିବାର ଲୋକଙ୍କୁ ଖୋଜୁଥିଲା ତ ଆଉ କିଏ ଭଙ୍ଗା ବଗି ଭିତରେ ଫସି ରହିଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ, ଅଗ୍ନିଶମ କର୍ମଚାରୀ ଏବଂ ଜରୁରୀକାଳୀନ ସେବା କର୍ମଚାରୀ।

ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ମାଦ୍ରିଦ ଓ ଆଣ୍ଡାଲୁସିଆ ମଧ୍ୟରେ ରେଳସେବା ପ୍ରଭାବିତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ, ରେଳ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଓ ମାନବୀୟ ଅବହେଳାକୁ ନେଇ ତଦନ୍ତ ଚାଲିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ଏହି ଭୟଙ୍କର ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍। ଦେଶରେ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଚଳିତ ବର୍ଷ ସ୍ପେନରେ ଏହା ଦ୍ୱିତୀୟ ବଡ଼ ମାରାତ୍ମକ ହାଇସ୍ପିଡ୍ ରେଳ ଦୁର୍ଘଟଣା ହୋଇଥିବାରୁ ରେଳଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।