ମନ୍ତ୍ରୀ ବେଦପ୍ରକାଶଙ୍କ ଜନ୍ମଦିନ ଅଲଗା ପାଳନ କଲେ ପୁଅ-ଝିଅ, ଟିକେଟ ପାଇଁ ୨ ଫାଳ ମନ୍ତ୍ରୀଙ୍କ ପରିବାର!

କେନ୍ଦ୍ରାପଡ଼ା ଓ ପାଟକୁରାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରିବାରରେ ରାଜନୈତିକ ଫାଟ ଦେଖିବାକୁ ମିଳିଛି । ବେଦପ୍ରକାଶଙ୍କ ଜୟନ୍ତୀକୁ ଅଲଗା ଅଲଗା ପାଳନ କରିଛନ୍ତି ତାଙ୍କ ପୁଅ ସଞ୍ଜୟ ଓ ଝିଅ ମଧୁମତି । ବେଦଙ୍କ ଏକାନ୍ତ ଅନୁଗତ ତଥା କେନ୍ଦ୍ରାପଡ଼ା ଯୁବ ବିଜେଡି ସଭାପତି ରାଜେଶ ଦାସ ଓ ବେଦପ୍ରକାଶଙ୍କ ଝିଅ ମଧୁମତି ଅଗ୍ରୱାଲ ମିଳିତ ଭାବେ “ବେଦ ପ୍ରକାଶ ଅଗ୍ରୱାଲ ସ୍ମୁତି ପରିଷଦ” କରି, ବେଦଙ୍କ ଜନ୍ମ ଜୟନ୍ତୀ ଦିନ କେନ୍ଦ୍ରାପଡ଼ା ସଂକୃତି ଭବନ ଠାରେ ଏକ ସ୍ମୁତି ସଭା ଆୟୋଜନ କରିଥିଲେ । ଯେଉଁଥିରେ କଟକ ମେୟର ସୁବାସ ସିଂଙ୍କ ସମେତ ଅନେକ ଉଚ୍ଚ ପଦବୀରେ ରହିଥିବା ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସେହିଭଳି ବେଦପ୍ରକାଶଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ନିଜ ଗୋଷ୍ଟି ସହ ଚାନ୍ଦୋଳ ଠାରେ ରକ୍ତ ଦାନ ଶିବିର ଆୟୋଜିନ କରିଥିଲେ । ଏପରି ଭାବେ ଭାଇ-ଭଉଣୀ ଅଲଗା ଅଲଗା ବାପାଙ୍କ ଜନ୍ମ ଦିନ ପାଲିଥିଲେ । ତେଣୁ ଏବେ ଲୋକେ କହିବା ଆରମ୍ଭ କଲେଣି ।

ସେପଟେ ପାଟକୁରାର ରାଜନୈତିକ ସ୍ଥିତି ଦେଖିଲେ ଉଭୟ ମଧୁମତି ଓ ସଂଜୟ ଅଗ୍ରୱାଲ ପାଟକୁରା ବିଜେଡି ବିଧାୟକ ଟିକେଟ ପାଇଁ ଆଶାୟୀ । ସଂଜୟ ଏବେ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଥିବା ବେଳେ ମଧୁମତି ମଧ୍ୟ ବିଜେଡି ଦଳର ବିଭିନ୍ନ ପଦବୀରେ ପୂର୍ବରୁ ରହିଆସିଛନ୍ତି । ହେଲେ ଭାଇ ଭଉଣୀଙ୍କୁ କୌଣସି କାର୍ଯ୍ୟକ୍ରମର ଏକତ୍ର ଦେଖିବାକୁ ମିଳୁନାହିଁ । ଦଳୀୟ କାର୍ଯ୍ୟକ୍ରମ କଥା ଛାଡ଼ନ୍ତୁ, କୌଣସି ପାରିବାରିକ କିମ୍ବା ନିର୍ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦୁହିଙ୍କୁ ଅଲଗା ଅଲଗା ଦେଖିବାକୁ ମିଳେ । ଏଭଳି କି ବେଦପ୍ରକାଶ ଅଗ୍ରୱାଲଙ୍କ ୮୮ ତମ ଜନ୍ମ ଜୟନ୍ତୀରେ ମଧ୍ୟ ଦୁହେଁ ଅଲଗା ଅଲଗା ପାଳିବା ଘଟଣା ସବୁଆଡେ ଚର୍ଚ୍ଚା ସାଉଁଟିଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ୨ଟି କାର୍ଯ୍ୟକ୍ରମରେ ସଂଜୟ ଅଗ୍ରୱାଲଙ୍କ ସମର୍ଥନରେ ଡେରାବିଶ ବ୍ଲକ ଉପାଧ୍ୟକ୍ଷ ହୋଇଥିବା ଦେବାଶିଷ ଆଚାର୍ଯ୍ୟ, ଉଭୟ ସଞ୍ଜୟ ଓ ମଧୁମତିଙ୍କ କାର୍ଯକ୍ରମରେ ଉପସ୍ଥିତ ଥିଲେ । ଦେବାଶିଷଙ୍କ ଅନେକ ସମର୍ଥକ ମଧ୍ୟ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେଇ ନିରପେକ୍ଷତା ଅବଲମ୍ବନ କରିଥଲେ । ହେଲେ ବେଦଙ୍କ ସ୍ତ୍ରୀ ତଥା ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଉଭୟ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ଏବେ ରାଜନୈତିକ ପରିବାରର ଏହି ରାଜନୈତିକ ଦ୍ୱନ୍ଦ ପରେ ଏହା ଅଗ୍ରୱାଲ ପରିବାରର ରାଜନୈତିକ ଫାଟ ନା ବ୍ୟକ୍ତିଗତ ଫାଟ ତାହା କହିବା ମୁସ୍କିଲ । ଅନ୍ୟପଟେ ଟିକେଟ ଆଶାୟୀ ଭାଇ-ଭଉଣୀଙ୍କ ଭିତରେ ଏହା ଶୀତଳ ଯୁଦ୍ଧ ବୋଲି ବୁଦ୍ଧିଯିବି ମାନେ ମତ ଦେଇଛନ୍ତି । ହେଲେ ବେଦଙ୍କ ପରିବାରରେ ରାଜନୈତିକ ଉତ୍ତରାଧିକାରୀ କିଏ ତାହା ଆଗାମୀ ସମୟ ସ୍ପଷ୍ଟ କରିବ ।

Leave a Reply

Your email address will not be published. Required fields are marked *