Tag: #odisha news

  • ଆଉ ନାହିଁ ମାଘ ମାସରେ ବାଘ ଭଳି ଶୀତର ଭୟ, ମାଡ଼ି ଆସୁଛି ଘନ କୁହୁଡି

    ଆଉ ନାହିଁ ମାଘ ମାସରେ ବାଘ ଭଳି ଶୀତର ଭୟ, ମାଡ଼ି ଆସୁଛି ଘନ କୁହୁଡି

    ଜାନୁଆରି ମାସ ଶେଷ ହୋଇ ନଥିବା ବେଳେ ପଡ଼ିଲାଣି ଗ୍ରୀଷ୍ମଋତୁର ପ୍ରଭାବ । ରାଜ୍ୟରେ ତାପମାତ୍ରା ୧୮ ଡିଗ୍ରି ରେକର୍ଡ କରାଯାଇଛି । ଏହାରି ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି।

    ଚାଲିଛି ମାଘ ମାସ। ହେଲେ ହେଉନି ମାଘ ମାସରେ ବାଘ ଭଳି ଶୀତ। ଯୁଗ ଯୁଗରୁ କଥା ରହିଛି ମାଘ ମାସରେ ବାଘ ଭଳି ଶୀତ ହୁଏ। ହେଲେ ଏବେ ଗରମ ପରିଲକ୍ଷିତ ହେଉଛି। ଖରା ଦିନ ନ ଆସୁଣୁ ଦେହରେ ଝାଳ ଜକେଇଲାଣି । ଗତ ବର୍ଷ ଭୟଙ୍କର ଶୀତ ହେଉଥିଲା। ଶୀତରେ ବୁଢ଼ାବୁଢ଼ୀ ମାନେ ବାହରକୁ ବାହାରିବା ପାଇଁ ଡରୁଥିଲେ । ମାତ୍ର ଏ ବର୍ଷ କେଇଟା ଦିନରେ କୁଆଡେ଼ ଉଭେଇଗଲା ଶୀତ। ଶୀତ ବଦଳରେ ମାଡ଼ି ଆସୁଛି ଘନ କୁହୁଡି। ଏଥର ପ୍ରଚୁର ମାତ୍ରାରେ ହେଉଛି ଘନ କୁହୁଡି। କେତେ ଜାଗାରେ ଦୁର୍ଘଟଣା ଘଟୁଥିବା ଖବର ମଧ୍ୟ ଆସୁଛି ।

    ଜିଲ୍ଳାର କିଛି କିଛି ସ୍ଥାନରେ ଯଥା – ମୟୂରଂଭଜ, ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଜିଲ୍ଲାରେ ଏବେ ରାତିରେ ଶୀତ ଅନୁଭୂତ ହେଉଥିବା ବେଳେ ଦିନରେ ଶୀତଋତୁର ପ୍ରଭାବ ଆଉ ନାହିଁ କହିଲେ ଚଳେ । ଜଳବାୟୂ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି। ଜାନୁଆରି ମାସ ଶେଷ ହୋଇ ନଥିବା ବେଳେ ଗ୍ରୀଷ୍ମଋତୁର ପ୍ରଭାବ ପଡ଼ିଲାଣି । ରାଜ୍ୟରେ ତାପମାତ୍ରା ୧୮ ଡିଗ୍ରି ରେକର୍ଡ କରାଯାଇଛି । ଏହାରି ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି।

    ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼କୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।

  • ପଶ୍ଚିମ ଓଡିଶାର ଯୁବ ନେତ୍ରୀ ଶଙ୍ଖ ଛାଡି ଖୁବଶୀଘ୍ର ପଦ୍ମ ଧରିବା ନେଇ ଚର୍ଚ୍ଚା

    ପଶ୍ଚିମ ଓଡିଶାର ଯୁବ ନେତ୍ରୀ ଶଙ୍ଖ ଛାଡି ଖୁବଶୀଘ୍ର ପଦ୍ମ ଧରିବା ନେଇ ଚର୍ଚ୍ଚା

    ଭୁବନେଶ୍ବର ଲୋକସଭା ନିର୍ବାଚନରୁ ବାଦ ପଡିବା ପରେ ବିଜେଡି ଉପରେ କ୍ଷୁବ୍ଧ ପଶ୍ଚିମ ଓଡିଶାର ଯୁବନେତ୍ରୀ ଶ୍ରୀମୟୀ ଏବେ ପଦ୍ମ ମୁହାଁ ହେଉଥିବା ନେଇ ଚର୍ଚ୍ଚା। ସେ ଖୁବ ଶୀଘ୍ର ଶଙ୍ଖ ଛାଡି ପଦ୍ମ ଧରିବାକୁ ଯାଉଥିବା ବିଶେଷ ସୂତ୍ରରୁ ମିଳୁଛି ସୂଚନା। ଏହି ଚର୍ଚ୍ଚା ପରେ ଏବେ ପଦ୍ମ ଦଳରେ ହଲଚଲ। ଶ୍ରୀମୟୀଙ୍କ ପଦ୍ମ ପୋଖରୀରେ ଏଣ୍ଟ୍ରୀ ଦଳର ସମୀକରଣ ବଦଳାଇଦେବ ବୋଲି ସୃଷ୍ଟି କଲାଣି ଚାପା ଗୁଞ୍ଜରଣ। ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧୀନର ୩ ବିଧାନସଭା ଆସନକୁ ବିଜେଡି ଗତ ନିର୍ବାଚନରେ ନିଜ ଅକ୍ତିଆରକୁ ନେବା ସତ୍ତ୍ବେ କିନ୍ତୁ ଲୋକସଭା ଆସନ ଛଡାଇ ନେଲେ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା। ଯାହା ଦଳ ପାଇଁ ଅସହ୍ୟ ହୋଇଯାଇଥିଲା। ୨୦୧୯ରୁ ବିଜେଡି ଶ୍ରୀମୟୀଙ୍କୁ ପରବର୍ତ୍ତୀ ସାଂସଦ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଇ ଆସୁଥିଲା।

    ଗତବର୍ଷ ଶେଷାର୍ଦ୍ଧରେ ସୁପ୍ରିମୋଙ୍କ ଘୋଷଣା ପୂର୍ବରୁ ଏକାମ୍ର ବିଧାୟକଙ୍କଠାରୁ ଆରମ୍ଭ କରି ବହୁ ନେତା ଶ୍ରୀମୟୀଙ୍କୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ କହିବୁଲିଲେ। ଏହା ପରଠାରୁ ଶ୍ରୀମୟୀ ମଧ୍ୟ ଖରା ତରାରେ ଭୁବନେଶ୍ବରର ଗଳି କନ୍ଦି ବୁଲି ଫୁଲ ଦମରେ ଜନାଦୃତ ହେବାକୁ ଚେଷ୍ଟା ଚଳାଇଥିଲେ। ହେଲେ ଶେଷ ସମୟରେ ଦଳ ତାଙ୍କୁ ସାଇଡ କରି କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଠିଆ କରାଇ ଦେଲା। ଯାହା ଶ୍ରାମୟୀଙ୍କ ସବୁ ସ୍ବପ୍ନକୁ ଛାରଖାର କରି ଦେଲା। ତେଣୁ କ୍ଷୁବ୍ଧ ଶ୍ରୀମୟୀ ଶଙ୍ଖ ଛାଡି ପଦ୍ମ ଧରିବେ ବୋଲି ତାଙ୍କ ସମର୍ଥକ ମହଲରୁ ସୂଚନା ମିଳୁଛି। ଏହି ଭିତିରି ଖବରକୁ ନେଇ ଆରମ୍ଭ ହୋଇଗଲାଣି ବହୁ ଆଶଙ୍କା। ଯଦି ଶ୍ରୀମୟୀ ବିଜେପିରେ ସାମିଲ ହୁଅନ୍ତୁ ଏହା ବିଜେପି ଶିବିରରେ ସୃଷ୍ଟି କରିବ ଅସ୍ଥିରତା । କାରଣ ଶ୍ରୀମୟୀ ଦୀର୍ଘ ୫ ବର୍ଷ ଧରି ଅପରାଜିତାଙ୍କୁ ଶାଣିତ ଆକ୍ରମଣ କରିଆସୁଥିଲେ।

    ଉଭୟଙ୍କ ମଧ୍ୟରେ ତିକ୍ତତା ରାଜନୈତିକ ସ୍ତରରୁ ଖସି ବ୍ୟକ୍ତିଗତ ସ୍ତରକୁ ଚାଲିଆସିଛି। ଅବଶ୍ୟ ବିଜେପି ଅପରାଜିତାଙ୍କୁ ମୈଦାନକୁ ଓହ୍ଲାଇ ସାରିଛି, ହେଲେ ଉଭୟ ନେତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପାଇଁ କେହି କାହାରିକୁ ସହ୍ୟ କରିପାରିବେ ନାହିଁ ବୋଲି କୁହାଯାଉଛି। ସେପଟେ, ବିଜେପି ତାର ବିଧାନସଭା ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଶ୍ରୀମୟୀ କୌଣସି ଆସନରୁ ଟିକେଟ ହାତେଇବେ ବୋଲି କୁହାଯାଉଥିବା ବେଳେ କେଉଁ ଆସନ ଦେବ ବିଜେପି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ବିଜେପିରୁ ପ୍ରିୟଦର୍ଶୀ ମିଶ୍ରଙ୍କ ଉତ୍ତର ଭୁବନେଶ୍ବର ଟିକେଟ ନିଶ୍ଚିତ ହୋଇ ସାରିଛି।

    ମଧ୍ୟମ ବା ଏକାମ୍ରରୁ ଯଦି କୌଣସି ଟିକେଟ ଦିଆଯାଏ ତେବେ ସେଠାରେ ଦୀର୍ଘ ବର୍ଷ ଧରି କାମ କରୁଥିବା ଜଗନ୍ନାଥ ପ୍ରଧାନ ଓ ବାବୁ ସିଂହ ଯିବେ କୁଆଡେ? କଣ ସେମାନେ ଶ୍ରୀମୟୀଙ୍କୁ ଗ୍ରହଣ କରିପାରିବେ ? ଏମିତି ହେବନି ତ, ଶ୍ରୀମୟୀଙ୍କ ଏଣ୍ଟ୍ରୀ ପରେ ଅନେକ ପୁରୁଖା ବିଜେପି ନେତା ଅନ୍ୟଦଳ ମନା ହୋଇଯିବେନି ତ ? କି ଆଗାମୀ ନିର୍ବାଚନରେ ଦଳ ପାଇଁ ଅନ୍ତର୍ଘାତୀ ସାଜିବେ ନାହିଁ ଏହି ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

  • ଆଉ ନାହାନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

    ଆଉ ନାହାନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

    ଆଉ ନାହାନ୍ତି ଶାନ୍ତିଲତା ବାରିକ । ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ। ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।

    ମୃତ୍ୟୁ ନେଇ ତାଙ୍କ ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ଦୀର୍ଘଦିନ ହେଲା ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହୋଉଥିଲେ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡିଛି। ତାଙ୍କ ବିୟୋଗ ଖବର ସମଗ୍ର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।

    ଓଡ଼ିଆ ଭକ୍ତି ସଙ୍ଗୀତର ସେ ଭିନ୍ନ ଏକ ସ୍ରୋତସ୍ବିନୀ ଯିଏ ବହି ଯାଇଛନ୍ତି ହୃଦୟରୁ ହୃଦୟ ଉପକୂଳକୁ । ଚାରି ଦଶନ୍ଧିରୁ ଭକ୍ତି ସମୟ ଧରି ସଙ୍ଗୀତ ପରମ୍ପରାର ସେହି ସ୍ରୋତ ତା’ କଳ-କଲ୍ଲୋଳ ରାଗିଣୀରେ ଓଡ଼ିଆ ଜଳ-ଜୀବନକୁ ମୁଖରିତ କରି ଆସିଛି ଓ ତା’ର ଉଦାର ଉପହାରରେ ସଙ୍ଗୀତ ନାତନ ସବୁଳ-ଶ୍ୟାମଳ ଶ୍ରୀମଣ୍ଡିତ ହୋଇଛି ।

    ବାଗ୍‌ଦେବୀଙ୍କ କନ୍ୟା ଭାବେ ନିରସ ସଙ୍ଗୀତ ସାଧନାରେ ସତତ ନିମଗ୍ନା ଶାନ୍ତିଲତା ‘ସଂଗୀତ’କୁ ଜୀବନର ଅଭିନ୍ନ ଅଂଶ ଭାବେ ଗ୍ରହଣ କରି ବିଜୁ ଆରାଧନା ଓ ଇଶ୍ବର-ଅର୍ଜନାର ନୈବେଦ୍ୟ ଭାବେ ଅର୍ପଣ କରି ଆସିଛନ୍ତି । ପାରମ୍ପରିକ ଓଡ଼ିଶା, ଚମ୍ପୁ, ଛାନ୍ଦ, ଚଉପଦୀ, ଚଉତିସାଠାରୁ ‘ଭଜନ”, ଜଣାଣ ଆଦି ବିବିଧ ଗାୟନରେ ନିଜ ଅମ୍ଳାନ ପ୍ରତିକାର ସ୍ୱାକ୍ଷରକୁ ସ୍ପଷ୍ଟ କରି ସେ ସାଇତିଛନ୍ତି ।

  • ବିଜେଡିର ଅପରାଜୟ ଗଡରେ କିଏ କାହାକୁ ଦେବେ ଟକ୍କର

    ବିଜେଡିର ଅପରାଜୟ ଗଡରେ କିଏ କାହାକୁ ଦେବେ ଟକ୍କର

    ସଜେଇ ହେଉଛି ନିର୍ବାଚନ ମୈଦାନ । ଅଣ୍ଟା କସୁଛନ୍ତି ବିଭିନ୍ନ ଦଳର ଟାଣୁଆ ନେତା । ଟାର୍ଗେଟରେ କ୍ଷମତା, ସେଥିପାଇଁ ଲୋକଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ କିଏ କେତେ ପ୍ରକାର ପନ୍ଥା ଆପଣାଉଛନ୍ତି । ଏବେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନୀ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନ ତାତୀ । ଏ ତାତୀ ଦୁଇଟି ନେତାଙ୍କୁ ନେଇ । ଗୋଟିଏ ପଟେ ବର୍ଷିୟାନ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଏବଂ ଅନ୍ୟପଟେ ରହିଛନ୍ତି ସମାଜସୋବୀ ଅଜୟ ରାଉତ ।

    ପାଟକୁରାରେ ଜିତିବାର ଗ୍ୟାରେଣ୍ଟି ରଖିଥିବା ବିଜୁ ଜନତା ଦଳର ଟିକେଟ ଆଶାୟୀ ଥିବା ଅନେକ ନେତୃତ୍ୱଙ୍କ ଭିତରୁ ସମାଜସେବୀ ଅଜୟ ରାଉତଙ୍କ ନାଁ ସବୁଠୁ ଆଗରେ । ନିଷ୍କଳଙ୍କ ନେତା ଭାବେ ୧୫ ବର୍ଷ ହେବ ନିରବଛିନ୍ନ ଲୋକସେବା କରିଆସୁଥିବା ଅଜୟ ୨୦୨୪ ସାଧାରଣ ନିର୍ବାଚନରେ ପାଟକୁରା ବିଧାୟକ ପାର୍ଥି ଟିକେଟ ପାଇବା ଏକ ରକମ ସ୍ପଷ୍ଟ ବୋଲି ଚର୍ଚ୍ଚ ହେଉଛି । ଅଜୟ ମଧ୍ୟ ପାଟକୁରା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ଯଥା, ଗରଦପୁର, ଡେରାବିଶ ଓ ମାର୍ଶାଘାଇର ସାତ ପଞ୍ଚାୟତରେ ହଜାର ହଜାର କର୍ମୀଙ୍କୁ ନେଇ ଜନସମାବେଶ କରି ନିଜ ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଅଜୟ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝି ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ସମାଜ ସେବାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ନିଜର ଦୃଢ଼ ସାଙ୍ଗଠନିକ ଦକ୍ଷତାକୁ ସେ ସାଧାରଣ ନିର୍ବାଚନରେ ପ୍ରତିପାଦନ କରିବାକୁ ଯାଉଛନ୍ତି ।

    ଅନ୍ୟପଟେ ଅଜୟଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିବେ ବରିଷ୍ଟ ନେତା ବିଜୟ ମହାପାତ୍ର ଓ ତାଙ୍କ ପୁଅ ଅରବିନ୍ଦ। ଶୁଣିବାକୁ ମିଳୁଛି ବିଜୟ ୨୦୨୪ ସାଧାରଣ ନିର୍ବାଚନରେ ପାଟକୁରା ରଣାଙ୍ଗନରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଓଲ୍ହାଇବେ । ଫଳରେ ବିଜୟଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ଅରବିନ୍ଦଙ୍କ ସପକ୍ଷ ରେ ଯାଇପାରେ । ୨୦୧୯ ନିର୍ବାଚନରେ ପାଟକୁରାରେ ବିଜୟ ମହାପାତ୍ର ବିଜେଡି ପାର୍ଥି ସାବିତ୍ରୀ ଅଗ୍ରୱାଲଙ୍କ ଠୁ ପରାଜିତ ହୋଇଥିଲେ ମଧ୍ୟ ୭୮ ହଜାରରୁ ଉର୍ଦ୍ଧ ଭୋଟ ହାତେଇବାରେ ସଫଳ ହୋଇଥିଲେ । ବିଜୟଙ୍କ ଲୋକପ୍ରିୟତା ଅରବିନ୍ଦଙ୍କ ରାଜନୀତିକ କ୍ୟାରିୟରକୁ ସୁହାଇପାରେ । ତେବେ ବିଜୁ ଜନତା ଦଳର ବିକାଶ ମୂଳକ କାର୍ଯ୍ୟ ଓ ଅଜୟଙ୍କ ସମାଜ ସେବା ଅରବିନ୍ଦଙ୍କୁ କେତେ ଟକ୍କର ଦେଇପାରିବ ତାହା କେବଳ ସମୟ କହିବ । ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡିର ଅପରାଜେୟ ଗଡ଼ ହୋଇରହିଥିବା ବେଳେ ବିଜେଡିରୁ ଅଜୟ ରାଉତ ପାର୍ଥି ହେଲେ ତାଙ୍କର ଜିତିବା ଏକ ରକମ ସ୍ପଷ୍ଟ ବୋଲି ଚର୍ଚ୍ଚା ହେଉଛି ।

  • କଲ୍ଲୋହୁଣ୍ଡୁଳା ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

    କଲ୍ଲୋହୁଣ୍ଡୁଳା ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

    ଗତ ଜାନୁଆରୀ ୧୫ ତାରିଖରେ କୋହ୍ଲ ହୁଣ୍ଡୁଳାରେ ହୋଇଥିବା ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଯୋଡ଼ା ପୋଲିସ । ଘଟଣାରେ ସଂପୃକ୍ତ କୋହ୍ଲ ହୁଣ୍ଡୁଳା ଗାଁର ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ୍ । ଏମାନେ ହେଲେ ମୃତ ନାବାଳକଙ୍କ ଭିଣୋଇ ରାମଜାନ ମୁଣ୍ଡା ଓ ତାଙ୍କ ଭାଇ ଜଙ୍କ ମୁଣ୍ଡା ।

    ସୂଚନା ଅନୁଯାୟୀ, ରାମଜାନ ୪ ବର୍ଷ ତଳେ ଜାମୁକୁଣ୍ଡିଆର ଏହି ମୃତ ନାବାଳକଙ୍କ ବଡ଼ ଭଊଣୀ ସୁକ୍ରୁମଣିକୁ ବିବାହ କରିଥିଲେ ମଧ୍ୟ ପରେ ପତ୍ନୀଙ୍କ ଛାଡ଼ି ଦେଇଥିଲେ, ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା ।

    ଗତ ୧୫ ତାରିଖ ସନ୍ଧ୍ୟାରେ ନାବାଳକ ନିକଟସ୍ଥ କୋହ୍ଲ ହୁଣ୍ଡୁଳା ଗାଁରେ ହେଉଥିବା ମକର ମେଳା ଦେଖିବାକୁ ଯାଇଥିଲେ। ସେଠାରେ ଭିଣୋଇ ରାମଜାନ ମୁଣ୍ଡାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଉଭୟ ମିଶି ହାଣ୍ଡିଆ ମଧ୍ୟ ପିଇଥିଲେ । ହେଲେ ପରେ ରାମଜାନ ସୁକ୍ରୁମଣିଙ୍କୁ ଛାଡ଼ିଦେବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ।

    ଏଥିରେ ଉତ୍କ୍ଷିପ୍ତ ହୋଇ ରାମଜାନ ସେଠାକୁ ସାନଭାଇ ଜଙ୍କ ମୁଣ୍ଡାକୁ ଡାକିଥିଲେ ଓ ଉଭୟ ଭାଇ ମିଶି ନାବାଳକଙ୍କୁ ଜୀବନରୁ ମାରି ପୋଲ ତଳେ ପକାଇଦେଇଥିବା ପୋଲିସ ତଦନ୍ତରୁ ଜାଣିବାକୁପାଇଛି । ଏହାପରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଛି । ।

  • ଦୋକାନରେ ନିଆଁ ଲାଗି ଜଳିଗଲା ବହୁ ସାମଗ୍ରୀ

    ଦୋକାନରେ ନିଆଁ ଲାଗି ଜଳିଗଲା ବହୁ ସାମଗ୍ରୀ

    ଗତ ରାତିରେ ଦୋକାନରେ ଲାଗିଗଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ସୂଚନା ପରେ ଦୋକାନୀ ଆସି ଦେଖନ୍ତି ତ, ନିଆଁରେ ଦୋକାନର ଅର୍ଦ୍ଧାଧିକ ଦୋକାନୀକୁ ଖବର ଦେଇଥିଲେ । ଖବର ପାଇ ଦୋକାନ ପାଖରେ ପହଞ୍ଚି ଦୋକାନ ଖୋଲିବା ବେଳକୁ ଦୋକାନ ଭିତରେ ନିଆଁ ହୁତୁହୁତୁ ହୋଇ ଜଳିଥିଲା। ସ୍ଥାନୀୟ ଲୋକେ ମିଶି ନିଆଁ କୁ ଆୟତ୍ତ କରିବା ସହିତ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ।

    ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନରେ ବହୁ ମୋବାଇଲ, ମୋବାଇଲ ସାମଗ୍ରୀ, ଲାପଟପ, ବିଭିନ୍ନ ରାସନ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା। ଏଭଳି ଘଟଣା ଘଟିଛି ପାରାଦ୍ୱୀପ ନେହେରୁବଙ୍ଗଳା ଫିସିଙ୍ଗ ହାର୍ବର ମଧ୍ୟରେ ରହିଥିବା ଏକ ଭେରାଇଟି ଷ୍ଟୋର ରେ । ରାତି 9 ଟାରେ ଦୋକାନ ବନ୍ଦ କରି ଘରେ ଖାଇବସିଥିବା ସମୟରେ ଦୋକାନରେ ନିଆଁ ଲାଗିଥିବା ଖବର ପାଇଥିଲେ ଶଙ୍କର ଲେଙ୍କା l

    ନିଆଁରେ ଜଳିଯାଇଥିବା ଦୋକାନଟିରେ ମୋବାଇଲ, ମୋବାଇଲ ସାମଗ୍ରୀ ସହ ରାସନ ସାମଗ୍ରୀ ବିକ୍ରି ହେଉଥିଲା। ନିଆଁରେ ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

  • ‘ମାଗେ’ ପର୍ବ ଅବସରରେ କୁକୁଡା ଉଡାଇ ମଜା ନେଲେ କଞ୍ଚନପୁରବାସୀ

    ‘ମାଗେ’ ପର୍ବ ଅବସରରେ କୁକୁଡା ଉଡାଇ ମଜା ନେଲେ କଞ୍ଚନପୁରବାସୀ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କଞ୍ଚନପୁର ଗ୍ରାମର ବୀର ବିର୍ସା ମୁଣ୍ଡା, ବଡାମ ବୁଢା ହୋ ସମାଜ ପକ୍ଷରୁ ତୃତୀୟ ବାର୍ଷିକ ମାଗେ ପର୍ବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇ କୁକୁଡ଼ା ଉଡ଼ା ପର୍ବକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପର୍ବ ତିନି ଦିନ ଧରି ପାଳନ କରାଯାଇଥିଲା।

    ହୋ ସମାଜ ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ମାଘ ସଂକ୍ରାନ୍ତି ପରେ ଯେକୌଣସି ଦିନ ୩ ଦିନ ବ୍ୟାପୀ ଏହି ପର୍ବ ପାଳନ କରିଥାନ୍ତି। ଏଥିରେ ଭୂମି ପୂଜନ, କୂଳ ପୂଜନକୁ ଗୁରୁତ୍ୱ ଦିଆ ଯାଇଥାଏ । ପର୍ବରେ ଆଦିବାସୀ ପୁରୁଷ, ମହିଳାମାନଙ୍କ ପାରମ୍ପରିକ ମାଗେ ନୃତ୍ୟ ସହିତ କୁକୁଡ଼ା ଉଡ଼ା ମୁଖ୍ୟ ଆକର୍ଷଣ ହୋଇଥାଏ।

    ଚଳିତ ପର୍ବ ପାଳନ ଅବସରରେ ଆଖ ପାଖ ଗ୍ରାମରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ଲାଗି ଥିବାରୁ ଲୋକେ କିଣା ବିକା କରି ପର୍ବ ର ମଜା ନେଇଥିଲେ। ହୋ ସମାଜ କମିଟି ସଭାପତି ରୋହିତ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପର୍ବରେ ଉପ ସଭାପତି ରବୀନ୍ଦ୍ର ମୁଣ୍ଡା, ସମ୍ପାଦକ ରଘୁନାଥ ମୁଣ୍ଡା, ଗଣେଶ୍ୱର ମୁଣ୍ଡା, ସୁକରାମ ମୁଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

  • ସୋନପୁରରୁ ଆସିଲା ଦାଦନ ମୃତ୍ୟୁର କରୁଣ ଚିତ୍ର

    ସୋନପୁରରୁ ଆସିଲା ଦାଦନ ମୃତ୍ୟୁର କରୁଣ ଚିତ୍ର

    ରାଜ୍ୟରେ ଥମିବାର ନାମ ନେଉନି ଦାଦନ କଷଣ । ପେଟପାଟଣା ପାଇଁ ପରରାଇଜକୁ ଦାଦନ ଖଟିବାକୁ ଯାଇ ଫେରିଛି ବ୍ୟକ୍ତିଙ୍କ ମୃତଦେହ। ଗାଁରେ ମୃତଦେହ ପହଞ୍ଚିବା ପରେ ସମଗ୍ର ଗାଁ ଶୋକସାଗରରେ ବୁଡିଯାଇଥିଲା। କାନ୍ଦବୋବାଳିରେ ଫାଟିପଡିଥିଲା ପୂରା ଗାଁ। କିଏ ଭାଇ କୁଆଡେ ଗଲୁ କହି ବାହୁନି କାନ୍ଦୁଛି ତ ପୁଣି କିଏ ଗୁମୁରି ଗୁମୁରି ଲୁହ ଗଡଉଛି। ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରୁ।

    ସୂଚନା ମୁତାବକ, ଡୁଙ୍ଗୁରିପାଲି ବ୍ଲକ କପାସିରା ଗାଁର ରଘୁ ଛତି ଜଣେ ଗରିବ ମଣିଷ। ପୁଅ ନୃପତି ବଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୌଣସି କାମ ନ ପାଇ ଗାଁ ଭୂମି ଛାଡି ଚାଲିଯାଇଥିଲେ ତାମିଲନାଡୁ। ସେଠାରେ ଅନେକ ବର୍ଷ ହେବ ସେ ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ। ଯାହା ରୋଜଗାର କରୁଥିଲେ, ତାର ସିଂହଭାଗ ଗାଁକୁ ପଠାଇ ଯେନତେନ ପ୍ରକାରେ ସେଠାରେ ଚଳିଯାଉଥିଲେ। ହେଲେ ବୁଧବାର ଦିନ ସେଠାରେ ସେ ରହୁଥିବା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

    ଗୁରୁବାର ରାତିରେ ଏକ ଆମ୍ବୂଲାନ୍ସରେ ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ଖେଳିଯାଇଥିଲା। ସ୍ଥାନୀୟ ରୀତିନୀତି ଅନୁଯାୟୀ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେପଟେ ସୁବର୍ଣ୍ଣପୁର ଜିଲା ଶ୍ରମ ଅଧିକାରୀ ଡିଲେଶ୍ବର ଶାଖା କପାସିରାରେ ପହଞ୍ଚି ମୃତ ନୃପତି ଛତିଙ୍କ ପରିବାରକୁ ଭେଟିଥିଲେ। ଏହା ସହ ୨୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି।

    ତେବେ ପ୍ରଶାସନିକ ତତ୍ପରତାକୁ ଦେଖି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ, ସ୍ଥାନୀୟ ଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇ ଦେଉନଥିବା ରାଜ୍ୟ ସରକାର, ନିର୍ବାଚନ ପାଇଁ ତତ୍ପର ହୋଇଛନ୍ତି ସିନା ଦାଦନ କଷଣ ଦୂର କରୁ ନାହାନ୍ତି। ରାଜ୍ୟରେ କେହି ଦାଦନ ଖଟିବାକୁ ଯାଉନଥିବା ସରକାରୀ ତଥ୍ୟକୁ ମିଛ ପ୍ରମାଣିତ କରିଛି ନୃପତିଙ୍କ ମୃତ୍ୟୁ। ଅନ୍ୟପଟେ, ରୋଜଗାରିଆ ପୁଅର ମୃତ୍ୟୁ ପରେ ପରିବାର କେମିତି ଚଳିବ ତାକୁ ନେଇ ଚିନ୍ତାରେ ପରିବାର।

  • ସାଇବର କ୍ରାଇମର ବଡ ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ

    ସାଇବର କ୍ରାଇମର ବଡ ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ

    କେନ୍ଦୁଝର ପୋଲିସକୁ ବଡ ସଫଳତା। ସାଇବର କ୍ରାଇମରେ ବଡ ପର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ। ସାଇବର ଅପରାଧରେ ସମ୍ପୃକ୍ତ ୪ ଅପରାଧୀ ପୋଲିସ କବଜାରେ। ପୋଲିସ ସେମାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ , ୫ ଟି ବାୟୋମେଟ୍ରିକ ସ୍କାନର, ୨୫ ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ , ଗୋଟିଏ ଲାପଟପ , ୭ ଟି ପାସବୁକ , ୧୮୫ ଟି ଫଟୋ , ୫୦୭୧ ଟଙ୍କା ଜବତ କରିଛି । ଗିରଫ ଅପରାଧୀ ରାଜକିଶୋର ଜେନା, ତପନ କୁମାର ଜେନା, ସୁବ୍ରତ କୁମାର ଜେନାଙ୍କ ଘର ଘସିପୁରା ଥାନା ଅଞ୍ଚଳରେ ହୋଇଥିବା ବେଳେ ପ୍ରଦୀପ କୁମାର ମିଶ୍ରଙ୍କ ଘର ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ। ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଉର୍ଧ୍ବ ମାମଲା ରହିଛି। ଏମାନେ ବିଭିନ୍ନ ସିମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବାବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣତରେ ସିମ୍ ବାହାର କରି ସାଇବର ଠକମାନଙ୍କୁ ବିକ୍ରି କରୁଥିବା ସୂଚନା ଦେଇଛନ୍ତି ଏସପି ନିତିନ୍ କୁଶଲକର।

    ଏହି ଠକମାନେ ପ୍ରତି ସିମ୍ କାର୍ଡ଼କୁ ୪ ରୁ ୫ ହଜାର ଟଙ୍କାରେ ବାହାର ରାଜ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ଏମାନଙ୍କ ନାଁରେ ସାଇବର ଥାନା କେସ୍ ନମ୍ବର ୫/୨୦୨୪ରେ ମାମଲା ରୁଜୁ ହୋଇଛି। ଧାରା ୪୧୯, ୪୨୦ , ୩୪ IPC , RW ଆଇନ୍ ୬୬ (C), ୬୬ (D), IT Act 2000ରେ ଗିରଫ କରାଯାଇଛି ।ଏମାନଙ୍କ ଠାରୁ ପୋଲିସ ଅଧିକ ଖୋଳତାଡ କରିବାକୁ ଯୋଜନା ରଖିଛି।

  • ସ୍ତ୍ରୀ ହତ୍ୟାକାରୀ ଫେରାର ସ୍ବାମୀର ଗିରଫଦାରି ଦାବିରେ ଗ୍ରାମରେ ଉତ୍ତେଜନା

    ସ୍ତ୍ରୀ ହତ୍ୟାକାରୀ ଫେରାର ସ୍ବାମୀର ଗିରଫଦାରି ଦାବିରେ ଗ୍ରାମରେ ଉତ୍ତେଜନା

    ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଥିବା ବେଳେ ସ୍ତ୍ରୀର ବାପଘର ଲୋକ ଥାନାର ଦ୍ବାରସ୍ଥ। ସ୍ବାମୀଙ୍କ ପରିବାରର ୫ ଜଣଙ୍କ ସହ ଜଣେ ପୋଲିସ କର୍ମୀଙ୍କ ନାମରେ ଥାନାରେ ଅଭିଯୋଗ। ଏହି ହତ୍ୟାକୁ ନେଇ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ସୂଚନା ମୁତାବକ, ପୁରୁଣାବଜାର ଥାନାଧୀନ ମିର୍ଜାପୁର ଗ୍ରାମର ସେକ ତାହିରଙ୍କ ଝିଅ ରୁନୁ ବିବି ଗୁଜିଦରଡ଼ାସ୍ଥିତ ସେକ ମୋଜଲ ହୋସେନଙ୍କ ସହ ୧୪ ବର୍ଷ ପୂର୍ବେ ନିକାହ ହୋଇଥିଲା। ନିକାହ ପରଠାରୁ ମୋଜେଲ ରୁନୁଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ।

    ପରେ ରୁନୁ ଦୁଇଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେବାରୁ ଏହି ନିର୍ଯାତନା ବଢିଯାଇଥିଲା। ଥିବା ହେତୁ ମୋଜେଲ ରୁନୁଙ୍କୁ ମାରପିଟ ମଧ୍ୟ କରୁଥିଲେ | ସବୁ ସମୟରେ ମୋଜେଲ ନିଶାସକ୍ତ ଅବସ୍ଥାରେ ରହୁଥିଲେ। ମୋଜେଲଙ୍କ ସାଙ୍ଗରେ ତାଙ୍କର ଦୁଇ ଭଉଣୀ ଓ ଭିଣୋଇ ମଧ୍ୟ ରୁନୁଙ୍କୁ ନିର୍ଯାତନା ଦେଉଥିଲେ |ଏହାକୁ ନେଇ ଗତବର୍ଷ ଏପ୍ରିଲ ମାସରେ ମୋଜେଲର ମରଣାତ୍ମକ ଆକ୍ରମଣରେ ରୁନୁ ଗୁରୁତର ଆହତ ହୋଇଥିଲା। ଏଥିପାଇଁ ପୁରୁଣାବଜାର ଥାନାରେ ଏକ ମାମଲା ମଧ୍ୟ ଦାୟର ହୋଇଥିଲା, ଯାହା ଏବେ କୋର୍ଟରେ ବିଚରାଧୀନ ରହିଛି |

    ତେବେ ଗତକାଲି ମଧ୍ୟାହ୍ନରେ ରୁନୁଙ୍କୁ ମୋଜେଲ ଆକ୍ରମଣ କରି ଗୁରୁତର କରି ଫେରାର ହୋଇଯାଇଥିବା ରୁନୁଙ୍କ ଭାଇ ସେକ ସରାଫତ ଖବର ପାଇ ଗୁଜିଦରଡ଼ାରେ ପହଂଚିଥିଲେ। ପୋଲିସ ଉପସ୍ଥିତିରେ ରୁନୁଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ରୁନୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗ୍ରାମାଞ୍ଚଳ ଥାନାରେ ସେକ ସରାଫତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଥାନାର ଜଣେ କର୍ମଚାରୀଙ୍କ ନାମ ମଧ୍ୟ ଉଲ୍ଲେଖ ଥିବା ବେଳେ ତାଙ୍କ ନାମକୁ ପୋଲିସ ହଟାଇ ଦେବାରୁ ଏହାକୁ ନେଇ ଦେଖାଦେଇଛି ଉତ୍ତେଜନା। ପୋଲିସ ତୁରନ୍ତ ହତ୍ୟାକାରୀ ମୋଜେଲକୁ ଗିରଫ କରିବାକୁ ତଥା ଏତଲାରୁ ବାଦ ଦିଆଯାଇଥିବା ପୋଲିସ କର୍ମଚାରୀଙ୍କ ସହ ସମସ୍ତ ୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

    ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନା। ଉତ୍ତେଜିତ ଲୋକଙ୍କୁ ପୋଲିସ ବୁଝାସୁଝା କରିଛି। ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସିଟି ସିଏସପି ଅଂଶୁମାନ ଦିବେଦୀ

    ପୋଲିସର ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିବା ବେଳେ କିନ୍ତୁ ମାମଲାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଡି ବସିଛନ୍ତି ଲୋକେ। ଯଦି କାର୍ଯ୍ୟାନୁଷ୍ଠାନ ନ ହୁଏ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦେଇଛନ୍ତି ଚେତାବନୀ