କଲେଜିୟମ ସିଷ୍ଟମ ଏକ ମାଇଣ୍ଡ ଗେମ: କିରଣ ରିଜିଜୁ

ପୁଣି ସୁପ୍ରିମକୋର୍ଟଙ୍କ କଲେଜିୟମ ସିଷ୍ଟମ ଉପରେ ଆଇନ ମନ୍ତ୍ରୀଙ୍କ ଟିକ୍କା ଟିପ୍ପଣୀ। କଲେଜିୟମ ମୁଦ୍ଦାକୁ ଖାଲି ଏକ ମାଇଣ୍ଡ ଗେମ କହିଛନ୍ତି ଆଇନମନ୍ତ୍ରୀ। ବିଚାରପତି ନିଯୁକ୍ତିକୁ ନେଇ ସେପର୍ଯ୍ୟନ୍ତ ବିବାଦ ରହିବ, ଯେପର୍ଯ୍ୟନ୍ତ କଲେଜିୟମ ସିଷ୍ଟମ ରହିବ।  ରିଜିଜୁ ଆହୁରି କହିଛନ୍ତିକି, ଯେବେଠାରୁ କଲେଜିୟମ ଆସିଛି, ହାଇକୋର୍ଟର ତିନି ବରିଷ୍ଠ ବିଚାରପତି ସ୍ଥିରକରୁଛନ୍ତି ପରବର୍ତ୍ତୀ ବିଚାରପତି।

କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ସୁପ୍ରିମ କୋର୍ଟର କଲେଜିୟମ ସିଷ୍ଟମକୁ  ଟାର୍ଗେଟ କରିବାରେ ରେକର୍ଡ କରିଛନ୍ତି। ପୁଣି ଥରେ ନିଜ ସଦ୍ୟତମ ବୟାନରେ କଲେଜିୟମ ସିଷ୍ଟମକୁ ଏକ ମାଇଣ୍ଡ ଗେମ କହିବା ସହ ଆଉ ଏହା ଉପରେ କିଛି କହିବେ ନାହିଁ ବୋଲି କହିଛନ୍ତି। ଅରୁଣାଚଳପ୍ରଦେଶରେ 4ଜି ସେବାର 254 ମୋବାଇଲ ଟାୱାର ଉଦ୍ଘାଟନୀ ଉତ୍ସବରେ ଯେତେବେଳେ ତାଙ୍କୁ କଲେଜିୟମର  ସୁପାରିଶ ଉପରେ ପଚରା ଯାଇଥିଲା ସେ ଏପରି ଟିପ୍ପଣୀ ଦେଇଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ଯେତେବେଳେ ମୌକା ମିଳିଛି ଆଇନ ମନ୍ତ୍ରୀ କିରଣ ରିଜିଜୁ କଲେଜିୟମ ସିଷ୍ଟକୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ହାତଛଡା କରି ନାହାନ୍ତି। ସୁପ୍ରିମ କୋର୍ଟର ବିଚାରପତି ନିଯୁକ୍ତିରେ କେନ୍ଦ୍ର ଓ ସର୍ବୋଚ୍ଚ ନ୍ୟାୟାଳୟ ଭିତରେ ଜାରି ରହିଛି ଟଣା ଓଟରା। ତାକୁ ନେଇ ଘନ ଘନ ବୟାନ ବାଜି କରିଥାନ୍ତି ଆଇନ ମନ୍ତ୍ରୀ। ଏମିତିକି କଲେଜିୟମ ବ୍ୟବସ୍ଥାକୁ ସମ୍ବିଧାନର ବହିର୍ଗତ ସିଷ୍ଟମ କହିବା ସହ ଏଲିୟନ ମଧ୍ୟ କହିବାକୁ ପଛାଇ ନାହାନ୍ତି।  ସୁପ୍ରିମ କୋର୍ଟ କଲେଜିୟମକୁ ବଳବତ୍ତର ରଖିବାକୁ ଚାହୁଁଥିବା ବେଳେ ସରକାର କଲେଜିୟମକୁ ବନ୍ଦ କରିବାକୁ ଚାହୁଁଛନ୍ତି।  ଯାହାକୁ ନେଇ ସମ୍ବିଧାନର ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟରେ ଜାରି ରହିଛି ବିବାଦ।

ଏକ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ରିଜିଜୁ କହିଛନ୍ତି, ବିଚାରପତି ନିଯୁକ୍ତିକୁ ନେଇ ସେପର୍ଯ୍ୟନ୍ତ ବିବାଦ ରହିବ, ଯେପର୍ଯ୍ୟନ୍ତ କଲେଜିୟମ ସିଷ୍ଟମ ରହିବ।  ଯେବେଠାରୁ କଲେଜିୟମ ଆସିଛି, ହାଇକୋର୍ଟର ତିନି ବରିଷ୍ଠ ବିଚାରପତି ସ୍ଥିରକରୁଛନ୍ତି ପରବର୍ତ୍ତୀ ବିଚାରପତି। ତେବେ ଏହି ପ୍ରସଙ୍ଗରେ ମୁଁ ଆଉ କିଛି କହିବା ନାହିଁ। ଏବେ ଦେଖିବାକୁ ରହିଲା, କେତେଦିନ କଲେଜିୟମକୁ ନେଇ ଚୁପ ରହିପାରୁଛନ୍ତି ଆଇନ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *