ଦିଲ୍ଲୀ ହାଇକୋର୍ଟରୁ ସତ୍ୟେନ୍ଦ୍ର ଜୈନ ନିରାଶ

SATYENDARA JAIN

ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା । ସତ୍ୟେନ୍ଦ୍ରଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ । ଜଷ୍ଟିସ ଦିନେଶ କୁମାରଙ୍କ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା। କୋର୍ଟରେ ଇଡି ସତ୍ୟେନ୍ଦ୍ରଙ୍କ ଜାମିନକୁ ବିରୋଧ କରିଥିଲା । ଇଡି କୋର୍ଟଙ୍କୁ ଜଣାଇଥିଲା କି, ଜୈନଙ୍କୁ ଜାମିନ ଦିଆଗଲେ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ହୋଇପାରେ ଓ ଯାଞ୍ଚ ପ୍ରକ୍ରିୟା ମଧ୍ଯ ପ୍ରଭାବିତ ହୋଇପାରେ ।

ପୂର୍ବରୁ ସୁପ୍ରିମକୋର୍ଟ ଯାଇଥିଲେ, କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁପଡ଼ିଥିଲା । ସର୍ବୋଚ୍ଚ କୋର୍ଟରେ ସେ ମାମଲାର ତ୍ୱରିତ ଶୁଣାଣି ପାଇଁ ଅପିଲ କରିଥିଲେ। ସେତେବେଳେ ଇଡି ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ବିରୋଧ କରିଥିଲେ । ସୁପ୍ରିମକୋର୍ଟ କହିଥିଲେ କି, କୋର୍ଟରେ ଜାମିନ ଆବେଦନ ଅଧିକ ସଂଖ୍ୟାରେ ରହିଛି । ଏମିତି ଅଳ୍ପ କିଛି ମାମଲା ଥିବ ଯାହାର ଶୁଣାଣି ପୂରା ହେଉଥିବ । ଫଳରେ ଜୈନଙ୍କୁ ଯାଚିକା ଫେରାଇ ନେବାକୁ ହୋଇଥିଲା । ତେବେ ସେ କୋର୍ଟରେ ଆବେଦନ କରିଥିଲେ କି ତାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟରେ ତୁରନ୍ତ ଶୁଣାଣି କରାଯାଉ ।
ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ଇଡି, ଜୈନଙ୍କୁ ଗତ ମେ 30ରେ ଗିରଫ କରିଥିଲା । ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି। ଏହାବ୍ୟତୀତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୈନଙ୍କ ସହ ତାଙ୍କ ପତ୍ନୀ ପୁନମଙ୍କ ବିରୋଧରେ ମାମଲା ଦାୟର କରାଯାଇଛି।

Leave a Reply

Your email address will not be published. Required fields are marked *