ପଞ୍ଜାବରେ ଭୟଙ୍କର ସଡ଼କ ଦୁର୍ଘଟଣା। ପୋଲରେ ପିଟିହୋଇ ରାସ୍ତାକଡ଼ ଖାଲକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ଚିତ୍କାର ଓ କାନ୍ଦବୋବାଳି। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପଞ୍ଜାବର ସଙ୍ଗରୁର ନିକଟ ବଠିଣ୍ଡା-ଚଣ୍ଡିଗଡ଼ ଜାତୀୟ ରାଜପଥରେ ବୁଧବାର ସକାଳେ ଘଟିଛି ଏହି ଅଘଟଣ।
ସୂଚନା ଅନୁଯାୟୀ, ପିଆରଟିସି ବା PRTCର ଏକ ଯାତ୍ରୀବାହୀ ବସ୍ ସଙ୍ଗରୁରରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ କିଛି କିଲୋମିଟର ଦୂରରେ ଥିବା ଏକ ଓଭରବ୍ରିଜ୍ ନିକଟରେ ହଠାତ୍ ବସ୍ଟି ନିୟନ୍ତ୍ରଣ ହରାଇଥିଲା। ପ୍ରଥମେ ପୋଲରେ ଧକ୍କା ହେବା ପରେ ରାସ୍ତାକଡ଼ର ଖାଲକୁ ଖସିପଡ଼ିଥିଲା ବସ୍। ଫଳରେ ବସ୍ରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ବସ୍ରୁ ବାହାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସଙ୍ଗରୁର ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଥିଲା।
ସିଭିଲ୍ ହସ୍ପିଟାଲ୍ର ଏସ୍ଏମ୍ଓ ଡାକ୍ତର ବିନୋଦ କୁମାରଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲ୍କୁ ଅଣାଯାଇଥିବା ଲୋକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଗୁରୁତର ଆହତ ୧୦ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଟିଆଲାର ରାଜିନ୍ଦ୍ର ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୧୧ ଜଣଙ୍କ ଚିକିତ୍ସା ସଙ୍ଗରୁର ସିଭିଲ୍ ହସ୍ପିଟାଲ୍ରେ ଜାରି ରହିଛି।
ସେପଟେ ପୋଲିସ ଅଧିକାରୀ ମେହର ସିଂହ କହିଛନ୍ତି, ଦୁର୍ଘଟଣା ସମୟରେ ପାଗ ସଫା ଥିଲା। କୁହୁଡ଼ି ନଥିବା ବେଳେ ବସ୍ଟି ଦ୍ରୁତଗତିରେ ଚାଲୁଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ଅତ୍ୟଧିକ ବେଗ ନା ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ଘଟିଲା, ତାହାର ତଦନ୍ତ କରୁଛି ପୋଲିସ।
ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଦୁର୍ଘଟଣା ପରେ ପୁଣିଥରେ ଯାତ୍ରୀବାହୀ ବସ୍ର ସୁରକ୍ଷା ଓ ଦ୍ରୁତଗତିରେ ଗାଡ଼ି ଚାଳନାକୁ ନେଇ ପ୍ରଶ୍ନ ଉଠିଛି।