କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ପାଟକୁରାରେ ଆସାମ ମୁଖ୍ଯମନ୍ତ୍ରୀଙ୍କୁ ଜନତାଙ୍କ ପ୍ରତ୍ଯାକ୍ଷାନ। ହିମନ୍ତ ବିଶ୍ବଶର୍ମାଙ୍କ ଭାଷଣ ମଝିରୁ ଉଠି ଚାଲିଗଲେ ଲୋକେ। ଖାଲି ହୋଇଗଲା ଚୌକି। ଯାହାକୁ ନେଇ କେନ୍ଦ୍ରାପଡା ବିଜେପି ଏବେ ଚିନ୍ତାରେ। ଆସନ୍ତା ଜୁନ ୧ ତାରିଖରେ କେନ୍ଦ୍ରାପଡାରେ ପଡିବ ଭୋଟ। କେନ୍ଦ୍ରାପଡା ହାତେଇବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଘନଘନ ଏଠାକୁ ଗସ୍ତ କରୁଛନ୍ତି। ବହୁ କେନ୍ଦ୍ରୀୟ ନେତୃତ୍ବ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ୭ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଗତକାଲି ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ କେନ୍ଦ୍ରାପଡାରେ ପ୍ରଚାର ଥିଲା। ହିମନ୍ତଙ୍କ ଭାଷଣ ଶୁଣିବାକୁ ବିଜେପି ଦ୍ବାରା ଆୟୋଜିତ ସଭାରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ବୈଜୟନ୍ତଙ୍କ ଭାଷଣ ପରେ ହିମନ୍ତ ବିଶ୍ବଶର୍ମାଙ୍କ ଅଭିଭାଷଣ ଆରମ୍ଭ ହୋଇଥିଲା। ୨୫ ବର୍ଷର ସରକାରରେ ରାଜ୍ୟର ଦୁରାବସ୍ଥା, ପାଣ୍ଡିଆନଙ୍କ ଆଧିପତ୍ୟ ଆଦି ବିଷୟରେ ଖୁବ ବର୍ଷିଥିଲେ ହିମନ୍ତ। (ଭିଜୁଆଲ୍) ଯାହାକୁ ପ୍ରାରମ୍ଭିକ ଅବସ୍ଥାରେ ଲୋକେ ଉପଭୋଗ କରିଥିଲେ। କିନ୍ତୁ ଯେତେବେଳେ ବିଶ୍ବଶର୍ମାଙ୍କ ଅଭିଭାଷଣ ପାଣ୍ଡିଆନ ଓ ତାଙ୍କ ପତ୍ନୀ କୈନ୍ଦ୍ରିକ ହେଲା ସେତେବେଳେ ଲୋକେ ଚେୟାର ଛାଡି ପଳାଇଲେ। ମାତ୍ର କିଛି ସମୟ ମଧ୍ୟରେ ସଭାସ୍ଥଳିରେ ଖାଲି ଚେୟାର ଦେଖିବାକୁ ମିଳିଥିଲା। (ଭିଜୁଆଲ୍) କେନ୍ଦ୍ରାପଡା ସମ୍ପୂର୍ଣ୍ଣ ରୂପେ ବିଜେଡି ଗଡ। ଏହା ବ୍ୟତୀତ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ହେଉଛନ୍ତି କେନ୍ଦ୍ରାପଡାର ଝିଅ। ତେଣୁ ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ହିମନ୍ତଙ୍କ ଭାଷଣ ଲୋକଙ୍କ ଦ୍ବାରା ଅଗ୍ରାହ୍ୟ ହୋଇଥିଲା। ଅନ୍ୟପଟେ ଲୋକଙ୍କ ଦ୍ବାରା ବିଜେପିର ଷ୍ଟାର ପ୍ରଚାରକ ଗ୍ରହଣ ନ ହେବା କେନ୍ଦ୍ରାପଡା ବିଜେପିକୁ ଚିନ୍ତାରେ ପକାଇ ଦେଇଛି। କେନ୍ଦ୍ରାପଡା ଗଡ ହାତେଇବା ବିଜେପି ପାଇଁ ସ୍ବପ୍ନ ହୋଇ ରହିଯିବା ପରି ମନେ ହେଉଛି।