ଇମରାନଙ୍କ ଗିରଫଦାରୀକୁ ନେଇ ଖପ୍ପା ପାକ୍ ସୁପ୍ରିମ କୋର୍ଟ

ଇସଲାମାବାଦ ହାଇକୋର୍ଟ ପରିସରରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଜଳୁଛି ପାକିସ୍ତାନ। ଇମରାନଙ୍କ ଦଳ ପାକିସ୍ତାନ ତେହରିକେ ଇନସାଫ ପକ୍ଷରୁ ପ୍ରବଳ ବିରୋଧ କରାଯାଉଛି। ଦେଶବ୍ୟାପୀ ପ୍ରଦର୍ଶନ, ବିରୋଧ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ଏହାକୁ ନେଇ ହିଂସା ଦେଖିବାକୁ ମିଳୁଛି। ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କଠୋର କାର୍ଯ୍ୟାନୁଷ୍ଠାନ। ଏସବୁ ଭିତରେ ଏହି ଗିରଫଦାରୀ  ଘଟଣାରେ ଆସିଛି  ନୂଆ ଟ୍ୱିଷ୍ଟ।

ପାକିସ୍ତାନର ସୁପ୍ରିମକୋର୍ଟ ଇମରାନଙ୍କ ଗିରଫଦାରୀକୁ ବେଆଇନ ଓ ଅନୈତିକ କୁହାଯାଇଛି। ଇମରାନଙ୍କୁ ଘଣ୍ଟାଏ ଭିତରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେଠାକାର ସର୍ବୋଚ୍ଚ କୋର୍ଟ । ମଙ୍ଗଳବାର ଇସଲାମବାଦ ହାଇକୋର୍ଟ ପରିସରରୁ ଇମରାନଙ୍କୁ ରେଞ୍ଜର୍ସ ଗିରଫ କରି ନେଇଥିଲା। ଏହାକୁ ନେଇ ସୁପ୍ରିମ କୋର୍ଟରେ ଆବେଦନ  କରାଯାଇଥିଲା। ଶୁଣାଣି କାଳରେ ସୁପ୍ରିମକୋର୍ଟ ମାମଲାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଯେଉଁଭଳି ଭାବେ ଗିରଫ କରାଯାଇଛି, ତାହାକୁ ନାପସନ୍ଦ କରିବା ସହ ଉଦବେଗ ପ୍ରକାଶ କରିଛନ୍ତି କୋର୍ଟ।  

ଏଥିସହ ସୁପ୍ରିମକୋର୍ଟ ଇସଲାମାବାଦ ଆଇଜି ଓ କୋର୍ଟ ରେଜିଷ୍ଟ୍ରାରଙ୍କୁ ସମନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ଏନବିଏ ଆସନ୍ତାକାଲି ଇମ୍ରାନ ଖାନଙ୍କୁ ହାଜର କରିବା ପାଇଁ ଅନୁମତି ମାଗିଥିଲା। କିନ୍ତୁ ଏହି ଆବେଦନକୁ ଖାରଜ କରିଦେବା ସହ ଏକ ଘଣ୍ଟା ଭିତରେ କୋର୍ଟରେ ଇମରାନଙ୍କୁ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ସମୟ ୪.୩୦ରେ ଇମ୍ରାନ ଖାନଙ୍କୁ ହାଜର କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଉମର ଅଟ୍ଟା ବଣ୍ଡିଆଲ, ଜଷ୍ଟିସ ମହମ୍ମଦ ଅଲୀ ମଝାର ଓ ଜଷ୍ଟିସ ଅଥର ମିନୁଲ୍ଲାହଙ୍କୁ ନେଇ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନରେ ଉଲ୍ଲେଖଥିଲା କି, ହାଇକୋର୍ଟଙ୍କ ଆଦେଶ ସମ୍ବିଧାନର ଧାରା ୧୦-ଏ ର ବିରୁଦ୍ଧ ଅଟେ। ଇସଲାମାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧାଭାସରେ ପରିପୂର୍ଣ୍ଣ। ଏନଏବିର ଅଧ୍ୟକ୍ଷଙ୍କ ଦ୍ୱାରା ଦିଆଯାଇଥିବା ୱାରେଣ୍ଟ ବେଆଇନ।

Leave a Reply

Your email address will not be published. Required fields are marked *