ମୋ ପଛରେ ପଡିଛି କଂଗ୍ରେସ: ବ୍ରିଜ ଭୂଷଣ

ମୁଁ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦୋଷ। ମୋ ବିରୋଧରେ ହୋଇଛି ବଡ ଷଡଯନ୍ତ୍ର। ସବୁ ଯାଞ୍ଚ ପାଇଁ ମୁଁ ପ୍ରସ୍ତୁତ। ତେଣୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି। ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ୨ଟି ଯୌନ ଶୋଷଣ ମାମଲା ରୁଜୁ ହେବା ପରେ ଆଜି ନିଜ ସଫେଇରେ ଏପରି କହିଛନ୍ତି ବ୍ରିଜ ଭୂଷଣ।

ସେ ଆହିରି କହିଛନ୍ତି କି, ମୁଁ ସବୁ ଅଭିଯୋଗର ସାମନା କରିବାକୁ ପ୍ରସ୍ତୁତ।  ଏକ ନିର୍ଦ୍ଦିଷ୍ଟ ପରିବାର, ନିର୍ଦ୍ଦିଷ୍ଟ ଆଖଡ଼ା ଓ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମୋ ବିରୋଧରେ ଷଡଯନ୍ତ୍ର କରୁଛନ୍ତି। କଂଗ୍ରେସ ମୋ ପଛରେ ଲାଗିଛି।  ଧାରଣାକାରୀଙ୍କ ଦାବି ବଦଳୁଛି। ପ୍ରଥମେ ମୋର ଇସ୍ତଫା ଦାବି କରାଗଲା। ଇସ୍ତଫା ଦେବା ଅର୍ଥ ନିଜ ଦୋଷ ସ୍ୱୀକାର କରିବା ହେବ ଭାବି ମୁଁ ଇସ୍ତଫା ଦେଲିନି ।

ଏବେ ସେମାନେ ଲୋକଙ୍କୁ ଉସୁକାଇ ନିଜ ସହ ଛିଡ଼ା କରାଇ ଗିରଫଦାରୀ ଦାବି କରୁଛନ୍ତି ବୋଲି କହିଛନ୍ତି ବ୍ରିଜ ଭୂଷଣ । ହେଲେ ମୋର ପୁଲିସ୍‌ ଓ ସୁପ୍ରିମ କୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ନ୍ୟାୟ ବ୍ୟବସ୍ଥା ଉପରେ ପୂର୍ଣ୍ଣ ଭରସା ରହିଛି। ଏଥିସହ ଦମ୍ଭୋକ୍ତି ଦେଖାଇ ବ୍ରିଜ ଭୂଷଣ ନିଜ ପାୱାର ଦେଖାଇବାକୁ ଭୁଲି ନାହାନ୍ତି। ସେ କହିଛନ୍ତି,  ଆନ୍ଦୋଳନକାରୀ ଭୁଲିବା ଉଚିତ ନୁହେଁ, ମୁଁ ଜଣେ ଲୋକସଭା ସାଂସଦ, ଭିନେଶ ଫୋଗଟଙ୍କ ଦୟାରୁ ନୁହେଁ। ଜନସମର୍ଥନରେ ଏଠାରେ ପହଞ୍ଚିଛି। 

ସେପଟେ ପୂର୍ବରୁ ରାଜନୈତିକ ପାର୍ଟିଙ୍କୁ ଆନ୍ଦୋଳନରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିବା କୁସ୍ତିଯୋଦ୍ଧା ଏବେ ସମସ୍ତ ପାର୍ଟିଙ୍କ ସମର୍ଥନ ଲୋଡିଛନ୍ତି। ଫଳରେ ଜନ୍ତରମନ୍ତରରେ ହେଉଥିବା ଧାରଣାସ୍ଥଳକୁ ପପୁ ଯାଦବ, କେଜ୍ରିୱାଲ, ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ଜମ୍ମୁ କାଶ୍ମୀର ରାଜ୍ୟପାଲ ସତ୍ୟପାଲ ମଲିକ ମଧ୍ୟ ଯାଇ ଆନ୍ଦୋଳନକାରୀଙ୍କୁ ସମର୍ଥନ ଦେଇଛନ୍ତି।

ଅନ୍ୟପଟେ ବିଜେପିର ବହୁ ବିଧାୟକ ବ୍ରିଜ ଭୂଷଣଙ୍କ ସପକ୍ଷରେ ଛିଡ଼ାହୋଇ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ  ଭିତ୍ତିହୀନ କହିଛନ୍ତି।

Leave a Reply

Your email address will not be published. Required fields are marked *