Kalinga Ghati : ଦୀର୍ଘ ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି! ଆଜିଠାରୁ ଗଡ଼ିଲା ସବୁ ଗାଡ଼ି, ଯାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି

ଦୀର୍ଘ ୪୬ ଦିନର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷରେ ଖୋଲିଲା କଳିଙ୍ଗା ଘାଟି ରାସ୍ତା। ଏଣିକି ଆଉ ବୁଲାଣି ରାସ୍ତାରେ ଯିବାକୁ ପଡ଼ିବନି। ଆଜିଠାରୁ କଳିଙ୍ଗା ଘାଟିରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ପାଇଁ ଅନୁମତି ମିଳିଛି। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଫଳରେ ଦୀର୍ଘଦିନ ଧରି ହଇରାଣ ହେଉଥିବା ଯାତ୍ରୀ, ଗାଡ଼ିଚାଳକ ଓ ବ୍ୟବସାୟୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୩ ତାରିଖରୁ କଳିଙ୍ଗା ଘାଟି ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କା ଯୋଗୁଁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା। ପରେ ଘାଟିର ବିଭିନ୍ନ ସ୍ଥାନରେ ପଥର ଖସିବା, ମାଟି ଧସିବା ଓ ରାସ୍ତା କ୍ଷତିଗ୍ରସ୍ତ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

କଳିଙ୍ଗା ଘାଟି ହେଉଛି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ବନ୍ଦ ହେବା ଫଳରେ ଯାତ୍ରୀମାନଙ୍କୁ ପ୍ରାୟ ୫୦ରୁ ୬୦ କିଲୋମିଟର ଅଧିକ ରାସ୍ତା ବୁଲି ଯିବାକୁ ପଡ଼ୁଥିଲା। ଫଳରେ ଯାତାୟାତ ଖର୍ଚ୍ଚ ବଢ଼ିବା ସହ ସାଧାରଣ ଲୋକ, ରୋଗୀ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ଏହାରି ମଧ୍ୟରେ ଘାଟି ରାସ୍ତାର ସ୍ଥିତି ଅନୁଧ୍ୟାନ କରିଥିଲେ ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳ। ରାସ୍ତାର ମରାମତି ସହ ଖସିପଡ଼ିଥିବା ପଥର ଓ ମାଟି ହଟାଇବା କାମ ଶେଷ ହେବା ପରେ ପୁଣିଥରେ ଯାନବାହନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି।

ତେବେ ଦୀର୍ଘ ୪୬ ଦିନ ପରେ କଳିଙ୍ଗା ଘାଟି ଖୋଲିଥିବାରୁ ଏବେ ସ୍ୱାଭାବିକ ହେବ ଯାତାୟାତ। କିନ୍ତୁ ବାରମ୍ବାର ଭୂସ୍ଖଳନ ଘଟୁଥିବା ଏହି ରାସ୍ତାର ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କେବେ ହେବ, ତାହା ଏବେ ବଡ଼ ପ୍ରଶ୍ନ।