ପ୍ରାକୃତିକ ବିପର୍ଯ୍ୟୟକୁ କିଏ ରୋକିବ? । କେତେବେଳେ, କେଉଁ ମୁହୂର୍ତ୍ତରେ ଆସି ତାଣ୍ଡବ ରଚିପାରେ । ଭୂମିକମ୍ପ, ବନ୍ୟା ଅବା ସାମୁଦ୍ରିକ ଝଡ଼ । ଆଗ୍ନେୟ ଉଦଗୀରଣ ନାଁ ଶୁଣିଲେ ତ ସମସ୍ତଙ୍କ ମନରେ ଛାନିଆ ପଶେ । ଦେଶର ବିଭିନ୍ନ ରାଜ୍ୟ ପ୍ରତିବର୍ଷ ଏହାର ସାମ୍ନା କରିଥାନ୍ତି । ହେଲେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଭଳି ଉପକୂଳବର୍ତ୍ତୀ ରାଜ୍ୟ ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥାନ୍ତି । ହେଲେ,ମନରେ ପ୍ରଶ୍ନ ଉଠେ ଅଧିକାଂଶ ସମୟରେ ମେ’ମାସର ପ୍ରବଳ ଗ୍ରୀଷ୍ମରେ କାହିଁକି ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ହୁଏ । ବିଶେଷକରି ବାତ୍ୟା ଉପକୂଳିଆ ଅଞ୍ଚଳରେ ବ୍ୟାପକ କ୍ଷତି କରିଥାଏ । ଏବେ କିଛି ବାତ୍ୟା ସମ୍ପର୍କରେ ନଜର ପକାଇବା ।
ଆସାନି: ୭ ମେ’୨୦୨୨, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ସିଭିୟର ସାଇକ୍ଲୋନ ଆସାନି । ଆନ୍ଧ୍ର,ଓଡ଼ିଶା,ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଚ ଏବଂ ତାମିଲନାଡୁରେ ଏହା ବ୍ୟାପକ କ୍ଷତି କରିଥିଲା । ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ଥିଲା ୧୨୦ କିଲୋମିଟର । ଆକଳନ ଅନୁସାରେ ଏଥିରେ ପ୍ରାୟ ୧୨କୋଟି ୧୨ ଲକ୍ଷ ଟଙ୍କାର ଧନଜୀବନ ନଷ୍ଟ ହୋଇଥିଲା ।
ଜୱାଦ : ୩ ଡିସେମ୍ବର ୨୦୨୧ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଆଉ ଏକ ବାତ୍ୟା ଯାହାର ନାଁ ଥିଲା ଜୱାଦ । ବାଂଲାଦେଶ ସମେତ ଭାରତର ଆନ୍ଧ୍ରପଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଅନେକ କ୍ଷତି କରିଥିଲା । ସର୍ବାଧିକ ୧୩୦ କିଲୋମିଟର ବେଗରେ ପବନ ବହିବାର ରେକର୍ଡ କରାଯାଇଥିଲା ।
ଗୁଲାବ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ଗୁଲାବ’ ପ୍ରଭାବରେ ଯେଉଁ ଘୂର୍ଣ୍ଣିଝଡ଼ ହୋଇଥିଲା ସେଥିରେ ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ଥିଲା ୧୩୦ କିଲୋମିଟର । ପ୍ରବଳ ବର୍ଷା ସହ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା । ୨୦୨୧ ସେପ୍ଟେମ୍ବର ୨୪ରେ ଆସିଥିଲା ବାତ୍ୟା ଗୁଲାବ । ମିଆଁମାର,ବାଂଲାଦେଶ, ଭାରତ,ପାକିସ୍ତାନ,ବେଲୁଚିସ୍ତାନ,ଓମାନ, ୟୁଏଇ ଏବଂ ୟେମେନରେ ପ୍ରଳୟ ସୃଷ୍ଟି କରିଥିଲା ଗୁଲାବ ।
ୟସ୍: ୨୪ ମେ’ ୨୦୨୧ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍ ବାଂଲାଦେଶ,ନେପାଳ ସମେତ ଭାରତର ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ଓଡ଼ିଶା ଆଦି ସ୍ଥାନରେ ଅନେକ କ୍ଷୟକ୍ଷତି କରିଥିଲା । ଏହାର ଘଣ୍ଟାପ୍ରତି ବେଗ ଥିଲା ୧୧୯ କିଲୋମିଟର । ସେହିପରି ୨୦୨୦ ମେ ୩୧ରେ ଆଉ ଏକ ବାତ୍ୟା ଦେଖିବାକୁ ମିଳିଥିଲା ନିସର୍ଗ ରୂପରେ । ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟରେ ଏହା ବ୍ୟାପକ କ୍ଷତି କରିଥିଲା । ଆରବ ସାଗରରେ ସୃଷ୍ଟି ହୋଇଥିବା ନିସର୍ଗରେ ପବନର ଘଣ୍ଟାପ୍ରତି ବେଗ ଥିଲା ୧୧୧ କିଲୋମିଟର ।