‘ମୁଁ ବାପା ହେବାକୁ ଚାହେଁ’ କହି ପୁଣି ଚର୍ଚ୍ଚାକୁ ଆସିଲେ ଦୌଡ଼ରାଣୀ

ପୁଣି ଥରେ ଚର୍ଚ୍ଚାରେ ଦୌଡ଼ରାଣୀ ଦୂତି ଚାନ୍ଦ । ସେ ବାପା ହେବାକୁ ଚାହୁଁଥିବା କହି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏକ ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଦୂତି । ସେ କହିଛନ୍ତି ବିବାହ ପରେ ଆମେ ସ୍ୱାମୀ ଓ ସ୍ତ୍ରୀ ହୋଇ ରହିବୁ । କେବେ ସନ୍ତାନ ଜନ୍ମ ହେଲା ତାହାହେଲେ ମୁଁ ବାପା ହେବି । ଆଉ ସେ ମା’ ହେବେ । ଛୁଆକୁ ତାର ବାପାର ପରିଚୟ ମିଳିବ । ତେଣୁ ମୁଁ ବାପାର କର୍ତ୍ତବ୍ୟ କରିବି । ପିଲାର ଲାଳନପାଳନ ମଧ୍ୟ କରିବି ବୋଲି କହିଛନ୍ତି ଦୂତି ।

ନିଜର ସମଲିଙ୍ଗି ସମ୍ପର୍କକୁ ନେଇ ମନକଥା କହିଛନ୍ତି ଦୂତି । ବହୁ ସଂଘର୍ଷ ପରେ ପରିବାର ଠାରୁ ସ୍ୱୀକୃତି ମିଳିଥିଲା । ଏଥିପାଇଁ ତାଙ୍କୁ ବେଶ୍ ସଂଘର୍ଷ କରିବାକୁ ପଡ଼ିଛି । ପରିବାର ଲୋକେ ଏ ଦିଗରେ କୌଣସି ସହଯୋଗ କରୁନଥିଲେ । କାରଣ ସେତେବେଳେ ସମଲିଙ୍ଗି ବିବାହ ସମ୍ପର୍କରେ ଏତେଟା ଜାଣିନଥିଲେ ପରିବାର ଲୋକେ । ପରିବାର କଳଙ୍କିତ ହେବ ଏବଂ ସାନ ଦୁଇ ଭଉଣୀ ବାହା ହେବାରେ ସମସ୍ୟା ଦେଖାଦେବ । ତେଣୁ ଆରମ୍ଭରୁ ହିଁ ପରିବାର ଲୋକେ ଏହାକୁ ବିରୋଧ କରି ଆସୁଥିଲେ। ପରବର୍ତ୍ତୀ ସମୟରେ ବାପା ଓ ମା’ଙ୍କୁ ବୁଝାଇଲି ଏବଂ ସେମାନେ ବୁଝିଥିଲେ ବୋଲି ଦୂତି କହିଛନ୍ତି ।

ଆମେରିକା,ଅଷ୍ଟ୍ରେଲିଆ,କାନାଡ଼ା ପରି ଦେଶରେ ସମଲିଙ୍ଗି ବିବାହକୁ ସ୍ୱୀକୃତି ମିଳିଛି । କିନ୍ତୁ ଆମ ଦେଶରେ ସମଲିଙ୍ଗି ବିବାହକୁ ଆଜି ପର୍ଯ୍ୟନ୍ତ ଆଇନ୍‌ଗତ ମାନ୍ୟତା ମିଳିନି । ଖୁବଶୀଘ୍ର ଆଇନ୍‌ଗତ ମାନ୍ୟତା ମିଳିଯିବ ବୋଲି ଦୂତିଙ୍କ ବିଶ୍ୱାସ ରହିଛି । ଯେଉଁମାନେ ପରମ୍ପରା ଓ ସଂସ୍କୃତି କଥା କହୁଛନ୍ତି, ସେମାନେ ବୋଧେ ଜାଣିନାହାଁନ୍ତି ଭାରତ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ର। ଏଠି ସବୁ ଧର୍ମ ଓ ସଂସ୍କୃତିର ଲୋକ ବାସ କରନ୍ତି । ତେଣୁ ସମସ୍ତଙ୍କ ବଞ୍ଚିବାର ଅଧିକାର ଅଛି, ସମସ୍ତେ ଉପଭୋଗ କରିବେ, ଖୁସି ମନାଇପାରିବେ ବୋଲି ଦୂତି କହିଛନ୍ତି ।

ପୂର୍ବରୁ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି । ବାଦବିବାଦ ଭିତରେ ଛନ୍ଦି ହୋଇଯାଇଥିଲେ ଦୂତି । ଧୀରେ ଧୀରେ ସେ ସମସ୍ୟାର ସମାଧାନ କଲେ ଏବଂ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ଏବେ ଦେଶର ଆଇନ୍ ଉପରେ ଭରସା ରହିଥିବା କହିଛନ୍ତି ଦୂତି ।

Leave a Reply

Your email address will not be published. Required fields are marked *