ସିଏଏ ବିରୋଧୀ ୨୦୦ରୁ ଊର୍ଦ୍ଧ୍ବ ଆବେଦନ ଉପରେ ଶୁଣାଣି

ସୁପ୍ରିମ କୋର୍ଟରେ ନାଗରିକ ସଂଶୋଧନ ଆଇନ ୨୦୧୯ ଓ ନାଗରିକ ସଂଶୋଧନ ନିୟମ ୨୦୨୪। ସିଏଏ ଉପରେ କୌଣସି ପ୍ରକାରର ରୋକ ଲଗାଇବାକୁ ସୁପ୍ରିମ କୋର୍ଟଙ୍କ ନା। ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କେନ୍ଦ୍ରକୁ କରିଛନ୍ତି ନୋଟିସ। ତେବେ ଶୁଣାଣି କାଳରେ ସିଜେଆଇ କେନ୍ଦ୍ରକୁ ରୋକ ଲଗାଇବା ଉପରେ ଜବାବ ରଖିବାକୁ କେତେ ସମୟ ଆବଶ୍ୟକ ବୋଲି ପଚାରିଥିଲେ। କେନ୍ଦ୍ର ଏଥିପାଇଁ ୪ ସପ୍ତାହ ମାଗିଥିବା ବେଳେ କୋର୍ଟ ୩ ସପ୍ତାହ ସମୟ ଦେଇଛନ୍ତି।

ଦେଶବ୍ୟାପୀ ସିଏଏ କୁ ନେଇ ଜାରି ବିରୋଧ ଭିତରେ ଆଜି ସର୍ବୋଚ୍ଚ ନ୍ୟାୟାଳୟର ତିନି ଜଣିଆ ଖଣ୍ଡପୀଠରେ ଆରମ୍ଭ ହୋଇଛି ଶୁଣାଣି। ଜଷ୍ଟିସ ଜେ ବି ପର୍ଦିୱାଲା, ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ସିଜେଆଇ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିଛନ୍ତି ୨୩୭ ଯାଚିକାର ଶୁଣାଣି । ଗତ ମାର୍ଚ୍ଚ ୧୧ ତାରିଖରେ କେନ୍ଦ୍ର ସରକାର ପକ୍ଷରୁ ସିଏଏ ଲାଗୁ ପାଇଁ ବିଜ୍ଞପ୍ତି ଜାରି ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପାକିସ୍ତାନ, ଆଫଗାନିସ୍ତାନ, ବାଙ୍ଗଲାଦେଶରୁ ଆସି ଭାରତରେ ଶରଣ ନେଇଥିବା ହିନ୍ଦୁ, ପାର୍ଶୀ, ଖ୍ରୀଷ୍ଟିଆନ, ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀ ଶରଣାର୍ଥୀଙ୍କ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ପରେ ଆରମ୍ଭ ହୋଇଛି ବିବାଦ। ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆବେଦନ ହୋଇଛି।

ମୁଖ୍ୟତଃ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ବା ଆଇୟୁଏମଏଲ, ଡେମୋକ୍ରାଟିକ ୟୁଥ ଫ୍ରଣ୍ଟ ଅଫ ଇଣ୍ଡିଆ ବା ଡିୱାଇଏଫଆଇ, ସିପିଆଇ (ଏମ)ର ଯୁବ ୱିଙ୍ଗ, ଅଲ ଆସାମ ଷ୍ଟୁଡେଣ୍ଟ୍ସ ୟୁନିୟନ ବଏଓଏସୟୁ,ଏଆଇଏମଆଇଏମ ପରି ବହୁ ବିରୋଧୀ ଦଳ ପକ୍ଷରୁ ଏହି ଅପିଲ କରାଯାଇଛି। ସୁପ୍ରିମ କୋର୍ଟ ସମସ୍ତ ୨୩୭ ମାମଲାକୁ ଏକତ୍ର ଶୁଣାଣି କରିବାକୁ ନେଇଥିଲେ ନିଷ୍ପତ୍ତି।ତେବେ କାହିଁକି ସିଏଏକୁ ହେଉଛି ବିରୋଧ? ବିରୋଧୀଙ୍କ ମତ, ଏହି ଆଇନ ମୁସଲମାନଙ୍କ ପ୍ରତି ଭେଦଭାବ ଆଧାରିତ ଆଇନ। ଧର୍ମ ଆଧାରରେ ଆଇନ ହୋଇଥିବାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି। ଏହା ସମ୍ବିଧାନର ଧର୍ମନିରପେକ୍ଷତା, ସିଦ୍ଧାନ୍ତ ଓ ଭାବନା ବିରୋଧୀ ବୋଲି ଅଭିଯୋଗ କରାଯାଇଛି। ଏଥିସହ ଲୋକସଭା ନିର୍ବାଚନକୁ ଆଖିରେ ରଖି ଏହି ଆଇନକୁ କେନ୍ଦ୍ର ଭୋଟବ୍ୟାଙ୍କ ହାତେଇବା ଲକ୍ଷ୍ୟରେ ଜାରି କରିଥିବା କୁହାଯାଇଛି। ଯାହାକୁ ନେଇ ସୁପ୍ରିମକୋର୍ଟଙ୍କ ନୋଟିସର ଉତ୍ତରରେ କେନ୍ଦ୍ର କହିଥିଲା, ବର୍ତ୍ତମାନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇନ ଲାଗୁ ହୋଇନାହିଁ। ଶୁଣାଣି ସରିବା ପରେ ସିଏଏ ଲାଗୁହେବ।

Leave a Reply

Your email address will not be published. Required fields are marked *